ଭୋଟ ପଡ଼ିବା ପୂର୍ବରୁ ମତଦାନ କେନ୍ଦ୍ର ଗୁଡ଼ିକରେ ହେବ ମକ୍ ପୋଲ୍ ! ସମସ୍ତ ନିର୍ବାଚନ ଅଧିକାରୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ

222

କନକ ବ୍ୟୁରୋ : ମତଦାନ କେନ୍ଦ୍ର ଗୁଡ଼ିକରେ ହେବ ମକ୍ ପୋଲ୍ । ଉଭୟ ଲୋକସଭା ଓ ବିଧାନସଭା ନିମନ୍ତେ ଓଡ଼ିଶାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମତଦାନ କେନ୍ଦ୍ରଗୁଡ଼ିକରେ ‘ମକ୍ପୋଲ୍’ କରାଇବାକୁ ଭାରତର ନିର୍ବାଚନ କମିସନ୍ ନିର୍ଦେଶ ଦେଇଛନ୍ତି । ପ୍ରକୃତ ମତଦାନ ଆରମ୍ଭ ହେବାର ୯୦ ମିନିଟ ବା ଦେଢ଼ଘଣ୍ଟା ପୂର୍ବରୁ ଏହି ‘ମକ୍ ପୋଲ୍’ କରାଯିବ । ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସମସ୍ତ ନିର୍ବାଚନ ଅଧିକାରୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଥିବା କଥା ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅଧିକାରୀ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଆସନ୍ତାକାଲି ପଡିବ ଭୋଟ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ରାଜ୍ୟର ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ମୈଦାନରେ ଅଛନ୍ତି ୨୧୭ଜଣ ପ୍ରାର୍ଥୀ । ଭୋଟରଙ୍କ ନିଷ୍ପତି ଆସନ୍ତା ୫ବର୍ଷ ଯାଏଁ ନେତାଙ୍କ ରାଜନୈତିକ ଭବିଷ୍ୟତ ସହ ଯୋଡି ହୋଇରହିବ । ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଏହି ୪ଟି ଲୋକସଭା ଆସନ ପାଇଁ ୨୬ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଆସନ୍ତାକାଲି ଇଭିଏମରେ ବନ୍ଦ ହେବ । ସେହିପରି ୨୮ଟି ବିଧାନସଭା ପାଇଁ ୧୯୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।

ପ୍ରଥମ ପର୍ଯ୍ୟାୟରେ ଭୋଟ ପଡିବାକୁ ଥିବା ସମସ୍ତ ନିର୍ବାଚନ ମଣ୍ଡଳୀରେ ରହିଛି ୭ହଜାର ୨୩୩ଟି ବୁଥ୍ । ଏଥିମଧ୍ୟରୁ ୨୩୭୫ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୬୦ଲକ୍ଷ ୩ହଜାର ୭୦୭ମତଦାତ ରହିଛନ୍ତି । ତେବେ ଏଥିରେ ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ୩୦ଲକ୍ଷ ୩୦ହଜାର ୨୨୨ଜଣ ମହିଳା ଭୋଟର ରହିଥିବା ବେଳେ ୨୯ଲକ୍ଷ ୭୨ହଜାର ୯୨୫ଜଣ ପୁରୁଷ ମତଦାତା ରହିଛନ୍ତି । ଶୁକ୍ରବାର ଦିନ ହେବାକୁ ଥିବା ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ପାଇଁ ମତଦାନ ପ୍ରକ୍ରୀୟାରେ ନିୟୋଜିତ ହୋଇଛନ୍ତି ୪୭ହଜାର ୮୦୫ଜଣ କର୍ମଚାରୀ ।