ସେନା ଷ୍ଟାଇଲରେ ମାଓବାଦୀଙ୍କ ମକଡ୍ରିଲ ! ସାମ୍ନାକୁ ଆସିଲା ଏକ୍ସକ୍ଲୁସିଭ୍ ଭିଡ଼ିଓ, ଜାଣନ୍ତୁ କିଭଳି ହୋଇଥାଏ ମାଓବାଦୀଙ୍କ ମକଡ୍ରିଲ

32

କନକ ବ୍ୟୁରୋ : ଲାଲ କରିଡରରେ ପୋଲିସ ସହ ଯୁଦ୍ଧ ବେଳେ ପ୍ରାଣ ହରାଇଥିବା ଏବଂ ଆହତ ଅବସ୍ଥାରେ ଥିବା ମାଓବାଦୀଙ୍କୁ କେମିତି ଉଦ୍ଧାର କରାଯିବ , ସେନେଇ ମାଓଗଡରେ ଚାଲିଛି ମକଡ୍ରିଲ । ଏବଂ ମାଓବାଦୀ କରୁଛନ୍ତି ଏହି ମକଡ୍ରିଲ୍ । ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯଦି ପୋଲିସ ସହ ଗୁଳି ବିନିମୟରେ ମାଓବାଦୀଙ୍କ ମୃତ୍ୟୁ ହୁଏ ତେବେ ଯେକୌଣସି ଉପାୟରେ ମୃତକ ଓ ଆହତଙ୍କୁ ନିଜ ଆଡକୁ ନେଇଯିବା ପାଇଁ ତାଲିମ ଦିଆଯାଇଛି ।

ମାଓବାଦୀଙ୍କ ମକଡ୍ରିଲ । ଲାଲଗଡ଼ରୁ ଆସିଲା ମାଓବାଦୀଙ୍କ ମକଡ଼୍ରିଲର ଲାଇଭ ଭିଡ଼ିଓ । ଯେଉଁଥିରେ ଦୁର୍ଗମ ଜଙ୍ଗଲରେ ସାଥୀ ନକ୍ସଲଙ୍କୁ କାନ୍ଧରେ ବୋହି ନେବାର ଅଭ୍ୟାସ କରୁଛନ୍ତି ମାଓବାଦୀ । ପୋଲିସ ସହ ଲଢେଇ ବେଳେ ପ୍ରାଣ ହରାଇଲେ କିମ୍ବା ଗୁରୁତର ଆହତ ହେଲେ ସାଥୀଙ୍କୁ କିଭଳି କରାଯିବ ଉଦ୍ଧାର, ସେନେଇ ମାଓ ଶିବିରରେ ଚାଲିଛି ଟ୍ରେନିଂ । ରାତିର ଅନ୍ଧାର ହେଉ ଅବା ଦିନ , ଅଳ୍ପ ସମୟ ମଧ୍ୟରେ ଘଂଚ ଜଙ୍ଗଲ ଭିତରେ ପାହାଡ ଡେଇଁ ନିଜ ସାଥୀଙ୍କୁ ବଞ୍ଚାଇବାର କୌଶଳ ଶିଖାଉଛନ୍ତି ମାଓ ନେତା । ମାଓଶିବିରରେ ଚାଲିଥିବା ଏହି ମକ୍ଡ୍ରିଲ୍ର ଭିଡିଓ ଏବେ ଭାଇରାଲ୍ ହୋଇଛି ।

ବର୍ଷ ବର୍ଷ ଧରି ମାଓବାଦୀଙ୍କ ଉପରେ ଅତର୍କିତ ଆକ୍ରମଣ କରୁଛନ୍ତି ପୋଲିସ ଓ ଯବାନ । ମାଓବାଦୀ ସହ ଘନ ଘନ ଗୁଳି ବିନିମୟ ବି ହେଉଛି । ହେଲେ ଅଧିକାଂଶ ସମୟରେ ସେମାନଙ୍କ ମୃତଦେହର ପତା ମିଳିପାରୁନି । ଯବାନ ମାନେ ବାରମ୍ବାର ଦାବି କରିଥାନ୍ତି ଏନକାଉଣ୍ଟର ସମୟରେ ଅନେକ ମାଓବାଦୀ ଯବାନଙ୍କ ଗୁଳିର ଶିକାର ହୁଅନ୍ତି । କିନ୍ତୁ ବହୁତ କମ ମାଓବାଦୀଙ୍କ ମୃତଦେହ ଯବାନ ମାନେ ପାଇଥାନ୍ତି । ସେତେବେଳେ ପ୍ରଶ୍ନ ଉଠିଥାଏ ମାଓବାଦୀଙ୍କ ମୃତଦେହ ପ୍ରକୃତରେ କେମିତି ଉଭାନ ହୋଇଯାଇଥାଏ । ଆଉ ଲାଇଭ ଭିଡ଼ିଓରେ ଏହାର ଉତ୍ତର ସାମ୍ନାକୁ ଆସିଛି । ମାଓ ଶିବିରର ଏହି ଭିଡିଓରୁ ଅନୁମାନ କରାଯାଉଛି ଯେ, ପୋଲିସ ସହ ମୁହାଁମୁହିଁ ବେଳେ ନିଜ ସାଥୀଙ୍କୁ ଠିକ୍ ଏହି ଶୈଳୀରେ ଉଦ୍ଧାର କରିଥାନ୍ତି ମାଓବାଦୀ ।

ବିଭିନ୍ନ ସୁରକ୍ଷା ଏଜେନ୍ସିର ସୂଚନା ଅନୁସାରେ, ଏହି ଭିଡିଓ ଛତିଶଗଡ ଦକ୍ଷିଣ ବସ୍ତର ଅଂଚଳରେ ଥିବା ଏକ ମାଓ ତାଲିମ କେନ୍ଦ୍ରର । ପୂର୍ବରୁ ମଧ୍ୟ ଲାଲଗଡର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ଯବାନଙ୍କ ସହ ମାଓବାଦୀଙ୍କ ଲଢେଇର ଲାଇଭ୍ ଚିତ୍ର ରହିଥିଲା । କେବଳ ଛତିଶଗଡ଼ ନୁହେଁ, ଓଡ଼ିଶାରେ ମଧ୍ୟ ସମାନ ଷ୍ଟ୍ରାଟେଜି ଆପଣାଇଥାନ୍ତି ମାଓବାହିନୀ । ମାଓ ସଂଗଠନରେ ଯୋଗ ଦେବାକୁ ଯୁବକ ମାନେ ଇଚ୍ଛା ପ୍ରକାଶ କରୁନଥିବାରୁ ଧୀରେ ଧୀରେ ଲାଲବାହିନୀର ସଦସ୍ୟଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ତେଣୁ ଏଭଳିସ୍ଥଳେ ପୁରୁଣା ସାଥୀଙ୍କୁ ଆଉ ହରାଇବାକୁ ଚାହୁଁନାହାନ୍ତି ଲାଲବାହିନୀ ।