ଆତଙ୍କବାଦର ମୁକାବିଲା ପାଇଁ ଭୁବନେଶ୍ୱରରେ ଏନଏସଜି କମାଣ୍ଡୋ କଲେ ମକଡ୍ରିଲ ! ସଚିବାଳୟକୁ କରାଗଲା ଲକ୍ଷ୍ୟସ୍ଥଳ

29

କନକ ବ୍ୟୁରୋ : ଭୁବନେଶ୍ୱରରେ ଦମ୍ ଦେଖାଇଲେ ଭାରତର ସବୁଠୁ ଦକ୍ଷ ଏନଏସଜି କମାଣ୍ଡୋ । ଆତଙ୍କବାଦୀ ମୁକାବିଲା ପାଇଁ ରାଜଧାନୀରେ ଏନଏସଜି କମାଣ୍ଡୋ କଲେ ବଡ ଧରଣର ମକଡ୍ରିଲ । ରାଜଧାନୀର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କଲେ କିପରି ଏହାର ମୁକାବିଲା କରାଯିବ ସେ ନେଇ ଚାଲିଲା ପ୍ରସ୍ତୁତି । ଟାର୍ଗେଟ ପ୍ଳେସ ଭାବେ ନିଆଗଲା ସଚିବାଳୟକୁ ।

ଗୁରୁବାର ରାତି ପ୍ରାୟ ୧୧ଟା ବେଳେ ସଚିବାଳୟକୁ ମାଡି ଯାଇଥିଲା ଏକ ନମ୍ବରବିହୀନ କାର । ସଚିବାଳୟ ବନ୍ଦ ଥିଲା, ସେଠାରେ ଥିବା ସୁରକ୍ଷା କର୍ମୀ କାରକୁ ଅଟକାଇବାକୁ ପ୍ରୟାସ କରିଥିଲେ । ଏହାପରେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଏଥିରେ ଟଳି ପଡିଥିଲେ ସୁରକ୍ଷା କର୍ମୀ । କିଛି ସମୟ ପରେ ସୂଚନା ଆସିଥିଲା ରାଜୀବ ଭବନରେ ଲୁଚି ରହିଛନ୍ତି ଆତଙ୍କବାଦୀ ।

ଏହାପରେ ଭୁବନେଶ୍ୱର ବିମାନବନ୍ଦରରେ ବି ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ଆସିଥିଲା । ଖବର ମିଳିବା ପରେ ଜାତୀୟ ସୁରକ୍ଷା ବାହିବୀ ବା ଏନଏସଜି ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଥିଲେ । ଏନଏସଜି, ସିଆଇଏସଏଫ ଓ କମିଶନରେଟ ପୁଲିସର ମିଳିତ ଚଢାଉ ଆରମ୍ଭ ହୋଇଥିଲା । ସଚିବାଳୟରେ ପଶିଥିବା ଆତଙ୍କବାଦୀଙ୍କୁ କାବୁ କରିବାକୁ ତତକ୍ଷଣାତ୍ ପ୍ରସ୍ତୁତ କରାଗଲା ବ୍ଲୁପ୍ରିଂଟ ।

ସଚିବଳାୟ ଭିତରକୁ ପଶି ଲୁଚିରହିଥିବା ଆତଙ୍କବାଦୀଙ୍କୁ ନିପାତ କରିଥିଲେ ସୁରକ୍ଷାକର୍ମୀ । ଅନୁରୂପ ଭାବରେ ବିମାନବନ୍ଦର ଓ ରାଜୀବ ଭବନ ଉପରେ ଚଢାଉ କରି ଆତଙ୍କବାଦୀଙ୍କୁ କାବୁ କରାଗଲା । ଏହା ରାଜଧାନୀରେ ଥିଲା ଏନଏସଜି, ସିଆଇଏସଏଫ ଓ କମିଶନରେଟ ପୁଲିସର ମିଳିତ ମକଡ୍ରିଲ ।