ପରିଶ୍ରା କରିବାର ବାହାନା କରି ଦୋକାନରେ ପଶିଲେ, ଅଧା ଘଣ୍ଟାରେ ସବୁ ଗାଏବ କରି ଚାଲିଗଲେ । ସିସିଟିଭିରେ କଏଦ ହେଲା ପୂରା ଘଟଣା

ରାତି ଅଧରେ ଦୋକାନରେ ପଶି ଦୁର୍ବୃତ ବୁଲେଇଲେ କଳାକନା, ଲକ୍ଷାଧିକ ଟଙ୍କାର ମୋବାଇଲ ଫୋନ୍ ଚୋରି

177

କନକ ବ୍ୟୁରୋ : ଅଧ ଘଂଟା ଭିତରେ ସବୁ ସଫା । ଦୋକାନ ଭିତରେ ପଶି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କାର ମୋବାଇଲ । ଭୁବନେଶ୍ୱର ଆଇଆରସି ଭିଲେଜ୍ ଅଂଚଳରେ ଥିବା ମୋବାଇଲ ଜୋନ୍ ନାମକ ଏକ ଦୋକାନରେ କଳାକନା ବୁଲାଇ ଦେଇଛନ୍ତି ୩ଜଣ ଦୁର୍ବୃତ । ଲୁଚି ଛପି ଆସିଲେ ଚୋରି କରି ଗାଏବ୍ ହୋଇଗଲେ । ହେଲେ ସିସିଟିଭିରେ କଏଦ ହୋଇଯାଇଥିଲା ଏହି ଦୁର୍ବୃତଙ୍କ ସବୁ କାରନାମା ।

ଆଇଆରସି ଭିଲେଜ୍ । ସମୟ ରାତି : ୧ଟା ୫୦ । କେହି କିଛି ନଜାଣିଲା ଭଳି ମୋବାଇଲ ଜୋନରେ ପହଂଚିଥିଲେ ୩ଜଣ ଯୁବକ । ଟାର୍ଗେଟ୍ ଥିଲା ଦୋକାନ୍ ଭିତରେ ପଶି, ସବୁ କିଛି ଗାଏବ୍ କରି ଉଭାନ୍ ହୋଇଯିବା । କାଳେ କିଏ ସନ୍ଦେହ କରିବ,ଏହି ଆଶଙ୍କା ଥିବାରୁ ଦୋକାନ ସାମ୍ନାରେ ପ୍ରଥମେ ପରିଶ୍ରା କରିବାର ଅଭିନୟ କରିଥିଲେ । ଆଉ ସୁବିଧା ଦେଖି ସଟର ଖୋଲି ପଶିଥିଲେ ଦୋକନ୍ ଭିତରେ । ଯେମିତି ଏମାନେ ରାତିର ଅନ୍ଧରାରକୁ ଚାହିଁ ରହିଥିଲେ ।
ସମୟ : ୧ଟା ୫୮ । ମାତ୍ର ୮ମିନିଟ୍ ଭିତରେ ଦୋକାନ ଭିତରେ ପ୍ରବେଶ କରିସାରିଥିଲେ । ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଚିତ୍ର ଦେଖିଲେ, ଆପଣ ଜାଣିବି ପାରିବେନି ଯେ, ଏମାନେ ସବୁ ଚୋର । କାରଣ ଲାଇଟ୍ ଅନ୍ କରି ଦୋକାନର ମାଲିକ ଭଳି ଚେୟାରରେ ବସିବା, ବେଧଡକ୍ ଦୋକାନ ଭିତରେ ଘୁରି ବୁଲିବା ଏବଂ ମନପସନ୍ଦର ମୋବାଇଲକୁ ନିରିଖି ଦେବା ଭଳି ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ପ୍ରାୟ ଅଧ ଘଂଟରେ ସବୁ ସଫା ।  କେଇ ମିନିଟ୍ ଭିତରେ ୩୪ଟି ସ୍ମାର୍ଟ ଫୋନ୍, ୭ରୁ ୮ଟି ଫିଚର ଫୋନ୍ ଏବଂ କ୍ୟାସ୍ କାଉଂଟରରୁ ନଗଦ ୫ ହଜାର ଟଙ୍କା ଧରି ଫେରାର୍ ହୋଇଯାଇଥିଲେ ଏହି ୩ଜଣ ଦୁର୍ବତ । ଦଶହରା ଓ ଦୀପାବଳିକୁ ଦୃଷ୍ଟିରେ ରଖି ନୂଆ ନୂଆ ମଡେଲର ମୋବାଇଲ ମଗାଇଥିଲେ ଦୋକାନ ମାଲିକ । ହେଲେ ସେସବୁ ବିକ୍ରି କରିବା ପୂର୍ବରୁ ପଡ଼ିଗଲା ଏହି ଚୋରଙ୍କ ହାବୁଡରେ ।

ଆଉ ସକାଳୁ ଆସି ଦେଖିଲା ବେଳକୁ କିଛି ମୋବାଇଲ କଭର ଏବଂ ଖୁଚୁରା ଟଙ୍କାକୁ ଚାଡ଼ି ଦେଲେ, ଦୋକାନରୁ ସବୁ କିଛି ଗାଏବ୍ ହୋଇଯାଇଛି । ଏନେଇ ନୟାପଲ୍ଲୀ ଥାନାରେ ମାମଲା ରୁଜୁ କରିଛନ୍ତି ବିଶ୍ୱ ରଂଜନ । ଦେଖିବାକୁ ଅତି ସରଳ ଏବଂ ଶିକ୍ଷିତ ଲାଗୁଥିବା ଏହି ଚେହେରାକୁ ଚିହ୍ନି ରଖନ୍ତୁ । ହୁଏତ ଛଦ୍ମ ବେଶରେ ଆପଣଙ୍କ ପାଖ-ପଡୋଶୀ ଭାବେ କି ଥାଇ ପାରନ୍ତି ।