ଟଙ୍କା ରିଲିଫ୍ ! ରାଜ୍ୟରେ ଆରମ୍ଭ ହେଲା ଗ୍ରାମୀଣ ମୋବାଇଲ୍ ଏଟିଏମ୍ ଭ୍ୟାନ୍

41

କନକ ବ୍ୟୁରୋ : ଟଙ୍କା ପାଇଁ ଜାରି ଅଚଳାବସ୍ଥାକୁ ସୁଧାରିବାକୁ ପ୍ରୟାସ । ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଗ୍ରାମୀଣ ମୋବାଇଲ୍ ଏଟିଏମ୍ ଭ୍ୟାନ୍ । ଗାଁ କୁ ଗାଁ ବୁଲି ମାଇକ୍ରୋ ଏଟିଏମରେ ଲୋକଙ୍କୁ ଟଙ୍କା ଯୋଗାଇବାର ବ୍ୟବସ୍ଥା ହୋଇଛି ।

ଏସବିଆଇ ପକ୍ଷରୁ ପ୍ରଥମ ଥର ପାଇଁ ଏହି ସେବା ଆରମ୍ଭ ହୋଇଛି ପୁରୀ ଜିଲ୍ଲା ନିମାପଡାରେ । ଲୋକଙ୍କ ପାଖରେ ପହଁଚିଛି ମୋବାଇଲ୍ ଭ୍ୟାନ୍ । ଏହି ମାଇକ୍ରୋ ଏଟିଏମରୁ ଦିନକୁ ୩ ଥରରେ ମୋଟ୍ ୨ ହଜାର ଟଙ୍କା ଉଠାଇହେବ ।

ଏପଟେ ମେଡିକାଲରେ ପହଁଚିଛି ବ୍ୟାଙ୍କ । ୱାର୍ଡରୁ ୱାର୍ଡ ବୁଲି ଦିଆଯାଉଛି ଟଂକା । ପୁରୁଣା ଟଂକା ବଦଳରେ ବ୍ୟାଙ୍କ ଯୋଗାଇଦେଉଛି ନୂଆ ନୋଟ୍ । ୧୦୦ ରୁ ୨ ହଜାର ଯାଏଁ । ରାଉରକେଲାରେ କାନାଡା ବ୍ୟାଙ୍କ ପକ୍ଷରୁ ଆରମ୍ଭ ହୋଇଛି ଏହି ସେବା । ହସପିଟାଲରେ ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସମ୍ପର୍କୀୟ ବ୍ୟାଙ୍କ ଓ ଏଟିଏମରେ ଲମ୍ବା ଧାଡି ଲଗାଉଛନ୍ତି । ଏଣୁ ରୋଗୀଙ୍କ ସୁବିଧା ପାଇଁ ଅଂଟା ଭିଡିଛି କାନାଡା ବ୍ୟାଙ୍କ ।

ସେହିପରି ପେଟ୍ରୋଲ ପମ୍ପରେ ଖୋଲିଛିି ଏଟିଏମର ବିକଳ୍ପ । ମେସିନରେ କାର୍ଡ ସ୍ୱାଇପ୍ କରି ଟଙ୍କା ଉଠାଇଛନ୍ତି ରାଜଧାନୀ ବାସୀ । ପ୍ରଥମ ଥର ପାଇଁ ଭୁବନେଶ୍ୱରର ସୁନ୍ଦରପଦା ପେଟ୍ରୋଲ ପମ୍ପରେ ଆରମ୍ଭ ହୋଇଛି ଏହି ସେବା ।

ପୁରୁଣା ନୋଟ୍ ଅଚଳ ହେବା ପରେ ଏକପ୍ରକାର ଅଚଳ ହୋଇପଡିଛି ସାଧାରଣ ଜୀବନଯାତ୍ରା । ଲୋକେ ଘଂଟା ଘଂଟା ଧରି ଏଟିଏମ ଆଗରେ ଲମ୍ବା ଲାଇନ୍ ଲଗାଉଛନ୍ତି । ବ୍ୟାଙ୍କରେ ବି ଭିଡ ଜମୁଛି । ଏଭଳି ସ୍ଥିତିରେ ସରକାର ଓ ବ୍ୟାଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ସେବା ଲୋକଙ୍କ ଯନ୍ତ୍ରଣାକୁ କିଛି ପରିମାଣରେ କମାଇବା ଆଶା କରାଯାଉଛି ।