ମୋବାଇଲ୍ ସହ ଆଧାର ସଂଯୋଗ ! ଜାନୁଆରିରୁ ଅନଲାଇନ୍ ସୁବିଧା

55

ମୋବାଇଲ୍‌ କଂପାନିଗୁଡ଼ିକର ଷ୍ଟୋର୍‌ ଭ୍ରମଣ ନକରି ଅନଲାଇନରେ ମୋବାଇଲ୍‌ ନମ୍ବର ସହିତ ଆଧାର ସଂଯୋଗ କରିବାକୁ ଚାହୁଁଥିବା ଗ୍ରାହକମାନଙ୍କୁ ୨୦୧୮ ଜାନୁଆରି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ପାଞ୍ଚ ପ୍ରକାର ଗ୍ରାହକଙ୍କ ପାଇଁ ମୋବାଇଲ୍‌ ନମ୍ବର ପୁନଃ ଯାଞ୍ଚ କିଭଳି ଉପାୟରେ କରାଯିବ ସେ ବିଷୟରେ ଟେଲିକମ୍‌ ବିଭାଗ ପକ୍ଷରୁ ମୋବାଇଲ୍‌ କଂପାନିଗୁଡ଼ିକୁ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଛି । ସତୁରି ବର୍ଷରୁ ଅଧିକ ବୟସର ଲୋକ ଯେଉଁମାନଙ୍କ ପାଖରେ ଆଧାର ନାହିଁ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ମୋବାଇଲ୍‌ ନମ୍ବର ଯାଞ୍ଚର ଅନ ଲାଇନ୍‌ ସୁବିଧା ଉପଲବ୍ଧ କରାଇବାକୁ ମୋବାଇଲ୍‌ କଂପାନିଗୁଡ଼ିକୁ କୁହାଯାଇଛି। ଏହା ବ୍ୟତୀତ ବିଦେଶରେ ରହଣୀ ଯୋଗୁଁ ଆଧାର ପାଇନଥିବା ଭାରତୀୟଙ୍କ ମୋବାଇଲ୍‌ ନମ୍ବରକୁ ମଧ୍ୟ ବିନା ଆଧାରରେ ପୁନଃ ଯାଞ୍ଚ କରିବାର ସୁବିଧା ପ୍ରଦାନ କରାଯିବ। ତେବେ ଏଥିପାଇଁ ବିଦେଶରେ ରହୁଥିବା ଭାରତୀୟମାନଙ୍କୁ ମୋବାଇଲ୍‌ କଂପାନିଗୁଡ଼ିକର ଷ୍ଟୋର୍‌ ଭ୍ରମଣ କରିବାକୁ ପଡ଼ିବ।

ଆଧାର ସହିତ ଯେଉଁ ମୋବାଇଲ୍‌ ନମ୍ବର ଲିଙ୍କ୍‌ ହୋଇଛି ସେହି ନମ୍ବରକୁ ପୁନଃ ଯାଞ୍ଚ କରିବା ପାଇଁ ୧୪୫୪୬କୁ ଇଣ୍ଟରଆକ୍ଟିଭ୍‌ ଭଏସ୍‌ ରେସ୍‌ପନ୍‌ସ ସିଷ୍ଟମ୍‌ (ଆଇଭିଆର୍‌ଏସ୍‌) ହେଲ୍‌ପଲାଇନ୍‌ ନମ୍ବର ଭାବେ ଓ୍ଵାନ୍‌ ଟାଇମ୍‌ ପାସ୍‌ଓ୍ଵାର୍ଡ (ଓଟିପି) ହାସଲ କରିବା ନିମନ୍ତେ ବ୍ୟବହାର କରାଯାଇପାରିବ । ମୋବାଇଲ୍‌ ନମ୍ବର ସହିତ ଆଧାର ଲିଙ୍କ୍‌ କିଭଳି କରାଯିବ ସେ ସଂକ୍ରାନ୍ତରେ ଟେଲିକମ୍‌ ବିଭାଗ ପକ୍ଷରୁ ୧୮ ପୃଷ୍ଠାର ନିର୍ଦେଶାବଳୀ ଜାରି କରାଯାଇଛି ।

ୱେବସାଇଟ୍‌ ଜରିଆରେ ମୋବାଇଲ୍‌ ନମ୍ବରର ପୁନଃ ଯାଞ୍ଚ ବେଳେ ମୋବାଇଲ୍‌ କଂପାନିଗୁଡ଼ିକ ଇ-ସିଏଏଫ୍‌ (କଷ୍ଟମର ଆକ୍ୟୁଜିସନ୍‌ ଫର୍ମ) ଗ୍ରହଣ କରିପାରିବେ । ପୂର୍ବରୁ କଂପାନିଗୁଡ଼ିକ ପାଇଁ ଏହି ସୁବିଧା ଉପଲବ୍ଧ ନଥିଲା । ଅନଲାଇନ୍‌ରେ ମୋବାଇଲ୍‌ ନମ୍ବର ଏବଂ ଆଧାର ଲିଙ୍କ୍‌ କିଭଳି କରାଯିବ ସେ ନେଇ ଟେଲିକମ୍‌ ବିଭାଗ ପକ୍ଷରୁ କୌଣସି ନିର୍ଦିଷ୍ଟ ସୂଚନା ଦେଇନଥିବାରୁ କଂପାନିଗୁଡ଼ିକ ସେଥିପାଇଁ ବ୍ୟବସ୍ଥା ଗ୍ରହଣ କରିପାରୁନଥିଲେ । ଏବେ ସବୁ କିଛି ସ୍ପଷ୍ଟ ହୋଇଯାଇଥିବାରୁ ୨୦୧୮ ଜାନୁଆରି ୧ ସୁଦ୍ଧା ଅନଲାଇନ୍‌ ଯାଞ୍ଚ ସୁବିଧା ଉପଲବ୍ଧ ହୋଇଯିବ ବୋଲି ଆଶା କରାଯାଉଛି ।

୨୦୧୮ ଫେବ୍ରୁଆରି ୬ ସୁଦ୍ଧା ଆଧାର ଜରିଆରେ ମୋବାଇଲ୍‌ ନମ୍ବରଗୁଡ଼ିକର ପୁନଃ ଯାଞ୍ଚ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ଅନଲାଇନ୍‌ ଯାଞ୍ଚ ପ୍ରକ୍ରିୟା ବିଳମ୍ବିତ ହେଉଥିବାରୁ ଧାର୍ଯ୍ୟ ସମୟ ସୀମା ଭିତରେ ଏତେ ବଡ଼ କାମ ଶେଷ ହେବାର ବହୁତ କମ ସମ୍ଭାବନା ରହିଛି । ଦରକାର ପଡ଼ିଲେ ଏହି ସମୟ ସୀମା ଆଉ ୪-୬ ସପ୍ତାହ ବଢ଼ାଇବା ପାଇଁ କୋର୍ଟଙ୍କୁ ଅନୁରୋଧ କରାଯିବ ବୋଲି ସରକାର କହିଛନ୍ତି ।

ଗତ ମାସ ମଧ୍ୟ ଭାଗରେ ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତୃପକ୍ଷ (ୟୁଆଇଡିଏଆଇ) ପକ୍ଷରୁ କୁହାଯାଇଥିଲା ଯେ ଡିସେମ୍ବର ୧ରୁ ଆଧାର-ମୋବାଇଲ୍‌ ନମ୍ବରର ଅନଲାଇନ୍‌ ଲିଙ୍କ୍‌ ସୁବିଧା ଆରମ୍ଭ ହେବ । ଏଥିପାଇଁ ଟେଲିକମ୍‌ ବିଭାଗ ତିନିଟି ବିକଳ୍ପ ପ୍ରଦାନ କରିଥିଲା । ତାହା ହେଉଛି ଏସ୍‌ଏମ୍‌ଏସ୍‌ ଜରିଆରେ ଓଟିପି, ଆଇଭିଆରଏସ୍‌ ଏବଂ ମୋବାଇଲ୍‌ କଂପାନିଙ୍କ ଆପ୍‌ ।