ସଂସଦରେ ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ : ଭିଡରେ ଆକ୍ରମଣ ପ୍ରସଙ୍ଗରେ ଲୋକସଭାରେ ହଙ୍ଗାମା

33

କନକ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଆଜି ସଂସଦରେ ଆର୍ଥିକ ଅପରାଧୀ ବିଧେୟକ, ମୋଟର ଭେଇକିଲ ଆକ୍ଟ ଏବଂ ଆରଟିଆଇ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା କରାଯାଉଛି । ଲିଚିଂ ବା ଭିଡରେ ଆକ୍ରମଣ ପ୍ରସଙ୍ଗକୁ ନେଇ ଆଜି ଗୃହରେ ହଙ୍ଗାମା ଦେଖିବାକୁ ମିଳିଥିଲା । ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଏହିପରି ଘଟଣା ପଛରେ ଯେଉଁମାନଙ୍କ ହାତ ରହିଛି ସେମାନଙ୍କ ବିରୋଧରେ ରାଜ୍ୟ ସରକାରମାନେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ଏନେଇ ସେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏପରି ଘଟଣା ଘଟିବା କିଛି ନୁଆ କଥା ନୁହେଁ । ଲିଚିଂ ଘଟଣାର କେତେକଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏହାକୁ ସେ ନିନ୍ଦା କରୁଛନ୍ତି ବୋଲି ଆଜି ଲୋକସଭାରେ ରାଜନାଥ କହିଛନ୍ତି । ଏଥିପାଇଁ ସେ ରାଜ୍ୟ ସରକାରମାନଙ୍କୁ ଦାୟୀ କରିଛନ୍ତି । ଏହାକୁ ରୋକିବା ରାଜ୍ୟ ସରକାରମାନଙ୍କ ଦାୟିତ୍ୱ ବୋଲି ରାଜନାଥ କହିଛନ୍ତି । ଗତକାଲି ପ୍ରଥମ ଦିନରେ ବିରୋଧିମାନେ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଏନେଇ ଶୁକ୍ରବାର ସରକାର ଗୃହରେ ଫ୍ଲୋର ଟେଷ୍ଟ ଦେବେ ।