ରାଜ୍ୟସ୍ତରୀୟ ଶିଶୁଦିବସରେ ମୁଖ୍ୟମନ୍ତ୍ରୀଙ୍କ ମୋ ସ୍କୁଲ କ୍ୟାମ୍ପେନ ଯୋଜନା ଘୋଷଣା : ନିଜ ସ୍କୁଲର ଉନ୍ନତି ପାଇଁ ଆଗେଇ ଆସିଲେ ଅନେକ ବ୍ୟକ୍ତି

32

କନକ ବ୍ୟୁରୋ : ରାଜ୍ୟସ୍ତରୀୟ ଶିଶୁଦିବସରେ ମୁଖ୍ୟମନ୍ତ୍ରୀଙ୍କ ମୋ ସ୍କୁଲ କ୍ୟାମ୍ପେନ ଯୋଜନା ଘୋଷଣା ପରେ ଏବେ ନିଜ ସ୍କୁଲର ଉନ୍ନତି ପାଇଁ ଅନେକ ବ୍ୟକ୍ତି ଆଗେଇ ଆସୁଛନ୍ତି । ନୟାଗଡର ରାସଙ୍ଗ ପ୍ରାଥମିକ ବିଦ୍ୟାଳୟ ଓ ଗଣିଆଁ କିଶୋର ବିଦ୍ୟାପୀଠର ଉନ୍ନତି ପାଇଁ ଏବେ ଅଂଟା ଭିଡିଛନ୍ତି ଖୋଦ ବିଧାୟକ ଅରୁଣ ସାହୁ । ପୂର୍ବତନ ମନ୍ତ୍ରୀ ଅରୁଣ ସାହ ଏହି ୨/୩ଟି ସ୍କୁଲରେ ପାଠପଢିଥିବା ବେଳେ , ଏବେ ଏହି ସବୁ ସ୍କୁଲର ସମସ୍ୟା ସମାଧାନ ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି । ପୁରାତନ ଛାତ୍ର ମାନେ ମଧ୍ୟ ନିଜ ନିଜ ସ୍କୁଲର ଉନ୍ନତି ପାଇଁ କାମ କରିବା ଦରକାର ବୋଲି ଅରୁଣ ସାହୁ କହିଛନ୍ତି ।

ସେହିପରି କଟକର ରାଣୀହାଟ ସ୍କୁଲରେ ଟିକିଏ ବର୍ଷାରେ ଆଣ୍ଠୁଏ ପାଣି ଜମେ । ବିଭିନ୍ନ ସମସ୍ୟାରେ ପାଠପଢନ୍ତି ଛାତ୍ରଛାତ୍ରୀ । ତେବେ ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ମୋ ସ୍କୁଲ କ୍ୟାମ୍ପେନ ଯୋଜନା ପରେ ଏବେ ସ୍କୁଲର ଉନ୍ନତି ପାଇଁ ଆଗେଇ ଆସିଛନ୍ତି ସ୍କୁଲର ପୁରାତନ ଛାତ୍ର । ଯେଉଁ ସ୍କୁଲରେ ପାଠ ପଢି ସଫଳ ହୋଇଥାନ୍ତି, ସେହି ସ୍କୁଲର ସେବା କରିବାରେ ସମସ୍ତଙ୍କର ଇଚ୍ଛା ଥାଏ । ମୋ ସ୍କୁଲ କ୍ୟାମ୍ପେନ ମାଧ୍ୟମରେ ରାଣୀହାଟ ସ୍କୁଲର ଉନ୍ନତି କରିବାକୁ ସମାଜ ସେବୀ ମହେନ୍ଦ୍ର ନାୟକ ହାତ ବଢାଇଛନ୍ତି ।

ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଅଭିଭାଷଣରେ ସ୍କୁଲର ଉନ୍ନତି ପାଇଁ ପୁରାତନ ଛାତ୍ର ଏବଂ ସାଧାରଣ ବ୍ୟକ୍ତି ଆଗେଇଆସିବାକୁ ଆହ୍ୱାନ ଦେଇଥିବା ବେଳେ ସମାଜର ସବୁ ମହଲରେ ଏହାକୁ ସ୍ୱାଗତ କରାଯାଇଛି । ତେଣୁ ଏହି ଯୋଜନା ଦ୍ୱାରା ସରକାରୀ ସ୍କୁଲର ବ୍ୟବସ୍ଥାରେ କଣ ଅଧିକ ସୁଧାର ଆସିପାରିବ ତାହା ପରବର୍ତ୍ତୀ ସମୟରେ ଜଣାପଡିବ ।