ଉଜୁଡା ଶିକ୍ଷା ବ୍ୟବସ୍ଥାରେ ସୁଧାର ଦିଗରେ ଆଉ ଏକ ପଦକ୍ଷେପ : ଜିଲ୍ଲା ସ୍ତରରେ ଆରମ୍ଭ ହେଲା ମୋ ସ୍କୁଲ ଅଭିଯାନ

134

କନକ ବ୍ୟୁରୋ : ଭୁଶୁଡି ପଡିଥିବା ସରକାରୀ ସରକାରୀ ଶିକ୍ଷା ବ୍ୟବସ୍ଥାରେ ସୁଧାର ଦିଗରେ ଆଉ ଏକ ପଦକ୍ଷେପ । ସରକାରୀ ସ୍କୁଲରେ ପାଠପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ମୋ ସ୍କୁଲ ଅଭିଯାନ । ଏହି ଅଭିଯାନରେ ଅବସରପ୍ରାପ୍ତ ଶିକ୍ଷକ ଓ ବିଭିନ୍ନ ଶିକ୍ଷା ଅନୁଷ୍ଠାନର କୃତି ଛାତ୍ରଛାତ୍ରୀ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ଶିକ୍ଷାର ଉନ୍ନତିକରଣ ପାଇଁ କାମ କରିବେ ।

ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇ ଭବିଷ୍ୟତ ଗଢିବା ପାଇଁ ଅଂଟା ଭିଡିଛି ଜିଲ୍ଲା ପ୍ରଶାସନ । ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ପାଇଁ ସମ୍ବଲପୁରରେ ଆରମ୍ଭ ହୋଇଛି ମୋ ସ୍କୁଲ ଅଭିଯାନ । ଏହି ଅଭିଯାନ ପାଇଁ କିପରି ଯୋଜନା ଓ ଖସଡା ପ୍ରସ୍ତୁତ ହେବ ସେଥିପାଇଁ ସମ୍ବଲପୁର ତାପସ୍ୱିନୀ ଜିଲ୍ଲା ପ୍ରେକ୍ଷାଳୟରେ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ୍, ସ୍ୱେଚ୍ଛାସେବୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଯୋଜନା ମୁତାବକ ଆଗାମୀ ଦିନରେ ସହରର ବସ୍ତି ଅଂଚଳର ସ୍କୁଲ ଛାତ୍ରଛାତ୍ରୀ ଓ ପାଠ ଛାଡିଥିବା ଛାତ୍ରଛାତ୍ରୀକୁ ଶିକ୍ଷା ବ୍ୟବସ୍ଥାକୁ ଫେରାଇ ପୁଣିି ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ ।

ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁସାରେ ବିଭିନ୍ନ ଅବସର ପ୍ରାପ୍ତ ଶିକ୍ଷକ, ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସରକାରୀ ସ୍କୁଲଗୁଡିକୁ ପୋଷ୍ୟ ଭାବେ ଗ୍ରହଣ କରି ଶିକ୍ଷାଦାନ କରିବେ । ସ୍କୁଲ ପାଠ୍ୟକ୍ରମ ସମୟ ପରେ ମୋ ସ୍କୁଲ ଅଭିଯାନରେ ଶିକ୍ଷା ଦାନ କରାଯିବ । ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୫ଶହ ସ୍କୁଲ ପୋଷ୍ୟ ହୋଇସାରିଥିବା ବେଳେ ୪୦ ଜଣ ସ୍ୱେଚ୍ଛାସେବୀ ଶିକ୍ଷକ ପଞ୍ଜିକୃତ ହୋଇଛନ୍ତି । ଜିଲ୍ଲା ପ୍ରଶାସନର ଏହି ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଉଥିବା ବେଳେ ଏହାର ସଫଳ ରୂପାୟନ କିପରି ହେଉଛି ତାହା ଆଗାମୀ ସମୟରେ ହିଁ ଜଣାପଡିବ ।