ଠକଙ୍କ କବଜାରେ ‘ମୋ ସାଇକେଲ୍‌’ ! ସୁତୁଲି ବାନ୍ଧି ଦିନରାତି ଚଳାଉଛନ୍ତି, ଟଙ୍କାଟିଏ ବି ଦେଉନାହାନ୍ତି

1,704

କନକ ବ୍ୟୁରୋ : ମୋ ସାଇକେଲ୍‌ ବ୍ୟବସ୍ଥା ଆରମ୍ଭ ହେବା ପରେ ରାଜଧାନୀବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଏହି ସେବା ଆରମ୍ଭ ହୋଇଥିବାବେଳେ ଏଥିରେ ‌ସାଇକେଲ୍‌ ଆରୋହୀଙ୍କ ପାଇଁ ବିଭିନ୍ନ ପ୍ୟାକେଜ୍‌ରେ ସାଇକେଲ୍ ଚଳାଇବାର ସୁବିଧା ଯୋଗାଇ ଦିଆଯାଉଛି । ଏପରିକି ସ୍ମାର୍ଟ ଲକ୍ ବ୍ୟବସ୍ଥା ବି କରାଯାଇଛି । କିନ୍ତୁ କର୍ତ୍ତୃପକ୍ଷ ଯେତିକି ସ୍ମାର୍ଟ ଦେଖାଉଛନ୍ତି ରାଜଧାନୀର କିଛି ଲୋକ ତାହାଠାରୁ ଅଧିକ ସ୍ମାର୍ଟ ବୋଲି ପ୍ରମାଣିତ କରିଦେଇଛନ୍ତି । ସେମାନେ କିପରି ସହଜରେ ଠକେଇ କରି ମାଗଣାରେ ସାଇକେଲ୍‌ ଚଳାଇପାରିବେ ତା’ର ସୁଚିନ୍ତିତ ରାସ୍ତା ବାହାର କରିଛନ୍ତି ।

ola cycle
image courtesy-https://hindi.thequint.com

ପ୍ରତିଦିନ ମାଗଣାରେ କିପରି ମୋ ସାଇକେଲ୍ ଚଲାଇବେ, ଯେଉଁଠି ଇଚ୍ଛା ସେଠାରେ ରଖିବେ, ଯେଉଁ ସାଇକେଲ୍‌ ଗନ୍ତବ୍ୟସ୍ଥଳକୁ ନେଇକି ଯିବେ ସେହି ସାଇକେଲ୍‌ରେ ଘରକୁ ଫେରିବେ ସେଥିପାଇଁ ଅଭିନବ ଉପାୟ ଆପଣାଇଛନ୍ତି ରାଜଧାନୀର କିଛି ବାସିନ୍ଦା । ମୋ ସାଇକେଲ୍ କେହି ବୁକିଂ କରି ନଥିଲେ ତାହା ସ୍ବତଃ ଲକ୍ ହୋଇଯିବାର ବ୍ୟବସ୍ଥା ହୋଇଛି । ଏଥିପାଇଁ ସାଇକେଲ୍‌ରେ ସ୍ମାର୍ଟ ଲକ୍‌ ଏବଂ ଜିପିଏସ୍ ସଂଯୋଗ ହୋଇଛି । ‌ହେଲେ ରାଜଧାନୀର କିଛି ଲୋକ ଲକ୍ ହେଉଥିବା ରଡ୍‌ଟିକୁ ସୂତୁଲିରେ ବାନ୍ଧି ସାଇକେଲ୍‌କୁ ସଂପୂର୍ଣ୍ଣ ଭାବେ ଅନଲକ୍ କରିଦେଇଛନ୍ତି ।

ସାଇକେଲ୍‌କୁ ଯେତେବେଳେ ଯେଉଁଠିକୁ ପାରୁଛନ୍ତି ନେଉଛନ୍ତି । ସାଲିଆ ସାହି, କାରଗିଲ୍‌ ବସ୍ତି ସମେତ ବିଭିନ୍ନ ଅଞ୍ଚଳରେ ଏବେ କିଛି ଲୋକ ଏହି ଉପାୟ ଆପଣାଇଛନ୍ତି । ପ୍ରତିଦିନ ସାଇକେଲ୍‌ ଚଳାଉଛନ୍ତି, ରାତିରେ ଘରେ ସାଇକେଲ୍‌ ବି ରଖୁଛନ୍ତି ହେଲେ ଟଙ୍କାଟେ ଦେଉନାହାନ୍ତି । ସାଇକେଲ୍‌ ଯୋଗାଉଥିବା ତିନିଟି ସଂସ୍ଥା କର୍ତ୍ତୃପକ୍ଷଙ୍କ ପାଖରେ ବି ଏନେଇ ଖବର ନାହିଁ । ସାଇକେଲ୍‌ କୁଆଡ଼େ ଯିବ, କେଉଁ ନମ୍ବର୍‌ରେ ବୁକିଂ ହେଲା ତା’ର ସବିଶେଷ ତଥ୍ୟ ଡାଟାବେସ୍‌ରେ ରହିବ ବୋଲି କର୍ତ୍ତୃପକ୍ଷ କହୁଥିଲେ ହେଁ ଏହା କାମ କରୁଛି କି ନାହିଁ ବୋଲି ପ୍ରଶ୍ନ ଉଠିଲାଣି । ଯଦି କାମ କରୁଛି ତେବେ ପ୍ରାୟ ସପ୍ତାହେ ହେଲାଣି କର୍ତ୍ତୃପକ୍ଷ କିପରି ଜାଣିପାରୁନାହାନ୍ତି ବୋଲି ପ୍ରଶ୍ନ ଉଠିଲାଣି ।

mo cycle

ଏହିଭଳି ସାଇ‌େକଲ୍‌ ଲକ୍‌କୁ ସୂତୁଲିରେ ବାନ୍ଧି ‌ଚଳାଉଥିବା ଜୟଦେବ ବିହାର ଅଞ୍ଚଳର ଜଣେ ବ୍ୟକ୍ତି କହିଛନ୍ତି ଯେ, ମୋର ସ୍ମାର୍ଟ ଫୋନ୍ ନାହିଁ । ଜଣେ ଲୋକଙ୍କୁ କହିଲି ସାଇକେଲ୍‌ ଅନଲକ୍‌ କରିଦେବାକୁ। ଅଧଘଣ୍ଟା ପାଇଁ ବୁକିଂ କଲି ଆଉ ସେହି ଲୋକଙ୍କୁ ୫ଟଙ୍କା ଦେଇଦେଲି । ଏହାପରେ ଲକ୍‌କୁ ସୂତୁଲିରେ ବାନ୍ଧି ଚଳାଉଛି । ସକାଳେ କାମକୁ ସାଇକେଲ୍‌ ନେଇ ଯାଉଛି । ସାଇଟ୍ ଉପରେ ସାଇକେଲ୍‌ ରଖି କାମ କରୁଛି । ଆଉ ସଞ୍ଜ ହେଲେ ସାଇକେଲ୍‌ ଆଣି ଘରେ ରଖି ଦେଉଛି । ଏ ସାଇକେଲରେ ଲିକ୍ ଭୟ ନାହିଁ କି ଖରାପ ହେଲେ ସଜାଡ଼ିବାରା ଭୟ ନାହିଁ ।
ଯଦି ଖରାପ ହେଲା ସାଇକେଲ୍‌ ରଖିକି ଆଉ ଗୋଟେ ସାଇକେଲ୍‌ ନେଇଯିବି । ସେହିପରି ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି, ମୁଁ ପ୍ରଥମେ ବୁକିଂ କରି ସାଇକେଲ୍‌ ଚଳାଇଲି । ଅଧ ଘଣ୍ଟା ପରେ ଅଫରାଇଡ୍‌ କରିଦେଲି । ଏହା ପୂର୍ବରୁ କିନ୍ତୁ ସୂତୁଲିରେ ଲକ୍ ରଡ୍‌କୁ ସିଟ୍‌ ରଡ୍‌ରେ ବାନ୍ଧିଦେଲି । ଅନଲାଇନ୍‌ରେ ମୋ ବୁକିଂ କଟିଗଲା । କିନ୍ତୁ ସାଇକେଲ୍‌ ଲକ୍ ହେଲାନି। ସାଇକେଲ୍‌ ଏବେ ସବୁଦିନ ମାଗଣା ଚଲାଉଛି । ଯଦି କିଏ କ’ଣ କହିବେ ସାଇକେଲ୍‌ ଫେରାଇ ଦେବି । ‘ମୋ ସାଇକେଲ୍‌’କୁ ନିଆରା ତରିକାରେ ଅନଲକ୍‌ କରି ଲୋକ ବ୍ୟବହାର କରୁଥିବା ନେଇ କ୍ରୁଟ୍ କର୍ତ୍ତୃପକ୍ଷଙ୍କୁ ୨୪ଘଣ୍ଟା ତଳେ ଜଣାଇଥିଲୁ ।
କିନ୍ତୁ କର୍ତ୍ତୃପକ୍ଷ ଏହାର କିଛି ସ୍ପଷ୍ଟ କାରଣ ପାଇଲେନି କି କେଉଁ ସାଇକେଲ୍‌ ଏପରି ହୋଇଛି ଜାଣିପାରିଲେନି । ଏନେଇ କ୍ରୁଟ୍‌ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି, ସବୁ ସାଇକେଲ୍‌ ବୁକିଂ ହେଲା ପରେ ଗଡ଼ୁଛି । ଯେଉଁ ସାଇକେଲ୍‌ଗୁଡ଼ିକ ଅନଲକ୍ ହୋଇ ରହୁଛି ସେଥିପାଇଁ ବି ଅଧଘଣ୍ଟା ପିଛା ୫ଟଙ୍କା ହିସାବରେ ଟଙ୍କା କଟୁଛି । ରାତିରେ ସାଇକେଲ୍‌ ଘରେ ରଖିପାରିବାର ବ୍ୟବସ୍ଥା ଥିବାରୁ ଲୋକ ରଖୁଛନ୍ତି । ଏହି ସାଇକେଲ୍‌ ଆମର ଜିଓଫେନସିଂ ଅଞ୍ଚଳ ବାହାରକୁ ଯାଇ ନଥିବାରୁ ଚିନ୍ତାର ବିଷୟ ନୁହେଁ । ଖୁସିର କଥା ଯେ, ଅନ୍ୟ ଲୋକଙ୍କ ଭଳି ବସ୍ତି ବାସିନ୍ଦା ବି ମୋ ସାଇକେଲ୍‌ ବୁକିଂ କରି ଚଳାଉଛନ୍ତି । ଯାହା କିଛି ବି ସମସ୍ୟା ଅଛି ତୁରନ୍ତ ସମାଧାନ କରାଯିବ ।