ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ଗୃହରେ କ୍ରୀଡା ମନ୍ତ୍ରୀଙ୍କ ଉତ୍ତର, କହିଲେ ରାଜ୍ୟରେ ୨୧୭ଟି ମିନି ଷ୍ଟାଡିୟମର ଚାଲିଛି କାମ

232

କନକ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି । ଗୃହରେ ଉତ୍ତର ରଖୁଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ସେ ଗୃହରେ ଜଣାଇଛନ୍ତି ରାଜ୍ୟରେ ୨୧୭ଟି ମିନି ଷ୍ଟାଡିୟମର କାମ ଚାଲିିଛି । ୧୧୮ଟି ମିନି ଷ୍ଟାଡିୟମର କାମ ଆରମ୍ଭ ହୋଇଛି । ଆଜି ଷ୍ଟାଣ୍ଡିଂ କମିଟି ୩୮ଟି ବିଭାଗର ଖର୍ଚ୍ଚ ଦାବି ତର୍ଜମା କରି ଦେଇଥିବା ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ ।

ଏହାସହ ରାଜ୍ୟ ମାନବାଧିକାର କମିସନଙ୍କ ବାର୍ଷିକ ରିପୋର୍ଟ ବି ଆଇନମନ୍ତ୍ରୀ ଗୃହରେ ଉପସ୍ଥାପନ କରିବେ । ୧୩ ଓ ୧୪ ତାରିଖରେ ଗୃହକାର୍ଯ୍ୟ ବନ୍ଦ ରହିବ । ୧୫ ତାରିଖରୁ ବିଭାଗୀୟ ଖର୍ଚ୍ଚଦାବି ଆଲୋଚନା ଆରମ୍ଭ ହେବ । ଜୁଲାଇ ୩୧ ତାରିଖରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଲ ଆଗତ ହୋଇ ପାରିତ ହେବ । ଆଜି ଆରମ୍ଭ ହେଉଥିବା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅଗଷ୍ଟ ୮ ତାରିଖ ଯାଏଁ ଚାଲିବ ।