ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦାଦାଗିରି ! କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ମିଳିନଥିବାରୁ ଟେଣ୍ଟ ଭାଙ୍ଗିଲେ, କର୍ମୀଙ୍କୁ ପିଟିଲେ ।

463

କନକ ବ୍ୟୁରୋ : ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦବଙ୍ଗଗିରି । ତାଙ୍କୁ ନଡାକି ବେଗୁନିଆରେ କୌଣସି ବି କାର୍ଯ୍ୟକ୍ରମ କଲେ ଯେପରି ସହି ପାରୁ ନାହାନ୍ତି ବିଧାୟକ । ଆଜି ସେବା ଅନୁଷ୍ଠାନ ପକ୍ଷରୁ ହେଉଥିବା ରକ୍ତଦାନ ଶିବିରକୁ ଅଧାରୁ ବନ୍ଦ କରିବାକୁ ପଡିଛି । କାରଣ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସେବା ଅନୁଷ୍ଠାନ ପକ୍ଷରୁ ନିମନ୍ତ୍ରଣ କରାଯାଇନଥିଲା । ହେଲେ ରକ୍ତଦାନ ଶିବିର ବନ୍ଦ କରିବାର କାରଣ ସଂପର୍କରେ ସିଡିଏମଓ କିଛି କହୁନଥିଲେ ମଧ୍ୟ ଗତକାଲିର ଘଟଣାରୁ ଏହା ଯେ ବିଧାୟକଙ୍କ କାମ ତାହା ସ୍ପଷ୍ଟ ଜଣାପଡୁଛି ।

ସେବା ଅନୁଷ୍ଠାନ ପକ୍ଷରୁ ଅଂଚଳର ଗରିବ ଲୋକଙ୍କୁ କମ୍ବଳ, ଚପଲ ବଂଟନ କାର୍ଯ୍ୟକ୍ରମ ପାଇଁ ଗତକାଲି ବେଗୁନିଆ ମିନି ଷ୍ଟାଡିୟମରେ ଟେଂଟ ପୋତା ଯାଉଥିଲା । ହେଲେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନଥିବାରୁ ରାତିରେ ନିଜେ ବିଧାୟକ ଓ ତାଙ୍କ ସହକର୍ମୀ ଯାଇ ଟେଂଟ ଉପାଡି ଫିଙ୍ଗି ଦେଇଥିଲେ । ଏଥିସହ ସେବା ଅନୁଷ୍ଠାନର ସଦସ୍ୟଙ୍କୁ ମଧ୍ୟ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ମଧ୍ୟ ଏତଲା ଦିଆଯାଇଛି । ତେବେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଏଭଳି ଦବଙ୍ଗଗିରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।