ଚିକିତ୍ସା ପାଇଁ ଦିଲ୍ଲୀ ଯିବେ ପ୍ରଭାତ ବିଶ୍ୱାଳ ! ଏସସିବିରୁ ବାହାରିବା ପରେ ସ୍ୱାଗତ କଲେ ସମର୍ଥକ ।

33

ସର୍ତ୍ତମୂଳକ ଜାମିନରେ ମୁକୁଳିଥିବା କଟକ-ଚୌଦାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ନେଇ ଏବେ ବି ଚର୍ଚ୍ଚା ଜାରି ରହିଛି । ପ୍ରଭାତଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଜଟିଳ ହୋଇପଡିବାରୁ ସେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ । ହେଲେ ପ୍ରଭାତଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ହସ୍ପିଟାଲ ନିଆଯିବ । ତେଣୁ ପ୍ରଭାତ ବିଶ୍ୱାଳଙ୍କୁ ଆଜି କଟକ ଏସସିବିରୁ ଡିସଚାର୍ଜ କରାଯାଇଛି । ଏବେ ତାଙ୍କର ଆଉ ଏକ ଚେହେରା ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି । ଗତ ୫ରୁ ୬ମାସ ହେବ ଚିକିତ୍ସାଧୀନ ଥିବା ପ୍ରଭାତଙ୍କ ମୁହଁରେ ଦାଢ଼ି ସାଙ୍ଗକୁ ବିଷାଦପୂର୍ଣ୍ଣ ଚେହେରା ପରିବାର ଲୋକଙ୍କ ସହ ସମର୍ଥକ ମାନଙ୍କୁ ମ୍ରିୟମାଣ କରିଥିଲା । ତେବେ ଗତ ଜୁନ ୨୬ ତାରିଖ ଦିନ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିବାପରେ ଆଜି ତାଙ୍କୁ କଟକ ବଡ ମେଡିକାଲରୁ ଡିସଚାର୍ଜ କରାଯାଇଛି । ତେବେ ପ୍ରଭାତଙ୍କୁ ଦିଲ୍ଲୀ ଏମ୍ସ ନେବା ପୂର୍ବରୁ ତାଙ୍କ ଦାଢ଼ି କଟାଯାଇଛି । ଏହାପରେ ବହୁଦିନ ଧରି ପ୍ରଭାତଙ୍କୁ ପୂର୍ବପରି ଲୁକ ଦେଖି ହୁଏତ ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ଖୁସି ମିଳିଥାଇ ପାରେ । କିନ୍ତୁ ବିଗତ ୬ରୁ ୭ ମାସ ମଧ୍ୟରେ ପ୍ରଭାତଙ୍କ ଏଭଳି ଦୁଇଟି ଚେହେରା ବଖାଣିଛି ଅନେକ କାହାଣୀ ।

କଟକ ବଡ ମେଡିକାଲରେ ପୂର୍ବରୁ ଚିିକିତ୍ସିତ ପ୍ରଭାତଙ୍କ ଅବସ୍ଥା ଦେଖି ସଭିଏଁ ଆଶ୍ଚର୍ଯ୍ୟ ହୋଇପଡିଥିଲେ । କାରଣ ଗିରଫ ପୂର୍ବରୁ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜୀବନଶୈଳୀ ସହ ସମସ୍ତେ ଅବଗତ ଥିଲେ । ହସ ଖୁସିରେ ରହି ନିଜ ସମର୍ଥକଙ୍କ ସହ ଅଧିକ ସମୟ ଅତିବାହିତ କରୁଥିବା ପ୍ରଭାତଙ୍କ ମୁହଁରେ ନଥିଲା ହସ । ଏହା ବଦଳରେ ଦୀର୍ଘମାସ ପରେ ପ୍ରଭାତଙ୍କ ମୁହଁରେ ଦାଢ଼ି ସାଙ୍ଗକୁ ତାଙ୍କର ଅସହାୟତା ପରିଲକ୍ଷିତ ହୋଇଥିଲା । ଯାହାକି ତାଙ୍କ ପରିବାର ଲୋକଙ୍କ ସହ ସମର୍ଥକଙ୍କ ମନକୁ ଅବସାଦ କରିଥିଲା ।

ସି-ସୋର ମାମଲାରେ ପୂର୍ବରୁ ବିଧାୟକ ହାଇକୋର୍ଟରୁ ଜାମିନ ପାଇଛନ୍ତି । କିଛି ଦିନ ତଳେ ବାହାର ରାଜ୍ୟରେ ଚିକିତ୍ସା କରାଇବା ପାଇଁ କୋର୍ଟରେ ଆବେଦନ କରିଥିଲେ । ଆବେଦନର ଶୁଣାଣି କରି କୋର୍ଟ ତାଙ୍କୁ ବାହାର ରାଜ୍ୟରେ ଚିକିତ୍ସା କରିବା ପାଇଁ ଅନୁମତି ଦେଇଥିଲେ । ସି-ସୋର ମାମଲାରେ ଗିରଫ ହୋଇ ଜେଲରେ ଥିବା ବେଳେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସ୍ୱାସ୍ଥ୍ୟ ବିଗିଡିଥିଲା । ୨୫ ଲକ୍ଷ ଟଙ୍କାର ଜମାରାଶି ସହ ୫ଲକ୍ଷ ଟଙ୍କା ଏବଂ ୨ ଜଣ ଜାମିନଦାରରେ ମୁକୁଳିବା ପାଇଁ ସର୍ତ୍ତ ରଖିଥିଲେ ହାଇକୋର୍ଟ । ପୂର୍ବରୁ ପ୍ରଭାତଙ୍କ ସ୍ୱାସ୍ଥ୍ୟ ସଂପର୍କିତ ସମସ୍ତ ତଥ୍ୟ କୋର୍ଟକୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଜାମିନ ପାଇବା ପରେ କ୍ୟାମେରା ସମ୍ମୁଖରେ କାନ୍ଦି ପକାଇଥିଲେ ପ୍ରଭାତ । କାରଣ ପ୍ରଭାତଙ୍କ ସମର୍ଥକମାନେ ପ୍ରଭାତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ । ଯେଉଁଥି ପାଇଁ ପ୍ରଭାତ ସମସ୍ତଙ୍କ ନିକଟରେ କୃତଜ୍ଞତା ଜଣାଇବା ସହ କାନ୍ଦି ପକାଇଥିଲେ । ହେଲେ ଆଜି ପ୍ରଭାତଙ୍କ ଦିଲ୍ଲୀ ଯିବା ପୂର୍ବର ଚେହେରା ହୁଏତ ତାଙ୍କ ସମର୍ଥକଙ୍କୁ ପୂର୍ବ ପ୍ରଭାତ ବିଶ୍ୱାଳ କଥା ମନେପକାଇ ଦେଇଛି ।