ଗାଡିରେ ଯିବୁନି ହେଲିକପ୍ଟର ଯିବୁ! ପଛୁଆ ଜିଲ୍ଲାର ନେତାଙ୍କ ଆକାଶରେ ଉଡିବା ନିଶା, ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପାଇଁ ଦାବି କଲେ ହେଲିକପ୍ଟର

33

କନକ ବ୍ୟୁରୋ : ଆମ ବିଧାୟକ ଓ ସାଂସଦଙ୍କ ହେଲିକପ୍ଟର ନିଶା । ନିଜ ନିର୍ବାଚନ ମଣ୍ଡଳିରେ ଜନତାଙ୍କ ନିକଟରେ ପହଁଚିବା ଲାଗି ହେଲିକପ୍ଟର ଯାତ୍ରା କରୁଛନ୍ତି ସାଂସଦ ଓ ବିଧାୟକ । ମାଲକାନଗିରି ଜିଲ୍ଲାର ଏମ.ପି.ଭି ୬୯ ଗାଁ ରେ ଆଜି ଶିବରାତ୍ରୀ ଅବସରରେ ଏକ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ହେଲିକପ୍ଟର ଯୋଗେ ପହଁଚି ଥିଲେ ସ୍ଥାନୀୟ ବିଧାୟକ ଓ ସାଂସଦ । ବଡ କଥା ହୋଉଛି ବି.ଜେ.ଡି ବିଧାୟକ ଓ ସାଂସଦଙ୍କୁ ହେଲିକପ୍ଟର ଯୋଗାଇ ଥିଲେ ସେଇ ମନ୍ଦିର ପ୍ରତିଷ୍ଠା କରି ଥିବା ଜଣେ ଯୁବ ବ୍ୟବସାୟୀ । ତେବେ ନିଜ ଅଂଚଳ ରେ ଦିନ ରାତି ଚାରି ଚକିଆ ଗାଡିରେ ବୁଲୁ ଥିବା ସାଂସଦ ଓ ବିଧାୟକଙ୍କୁ ହଠାତ ହେଲିକପ୍ଟର ର ଆବଶ୍ୟକତା କାହିଁକି ପଡିଲା ତାକୁ ନେଇ ଚର୍ଚା ଜୋର ଧରିଛି ।

malkangirଆଜି ଦିନ ପ୍ରାୟ ୧୧ଟା ୩୦ । ମାଲକାନଗିରି ଏମପିଭି ୬୯ ଅଞ୍ଚଳରେ ଅବତରଣ କରିଥିଲା ହେଲିକପ୍ଟର । ହେଲିକପ୍ଟରରୁ ଓହ୍ଲାଇଥିଲେ ବିଧାୟକ ସ୍ଥାନୀୟ ବିଧାୟକ ମାନସ ମାଡକାମୀ ଓ ସାଂସଦ ବଳଭଦ୍ର ମାଝୀ । କାର୍ଯ୍ୟକ୍ରମ ଥିଲା ମହାଶିବରାତ୍ରିରେ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଏଥିରେ ଯୋଗ ଦେବା ପାଇଁ ହେଲିକପ୍ଟର ଯୋଗେ ପହଁଚିଥିଲେ ସାଂସଦ ଓ ବିଧାୟକ । କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ହେଲିକପ୍ଟର ବ୍ୟବସ୍ଥା ହେଲେ ଆସିବେ ବୋଲି ସାଂସଦ ବଳଭଦ୍ର ମାଝୀ କହିବା ପରେ ଏପରି ବ୍ୟବସ୍ଥା କରିଥିଲେ ମନ୍ଦିରର ପ୍ରତିଷ୍ଠାତା ।

ମାଳକାନଗିରି ଭଳି ପଛୁଆ ଜିଲ୍ଲାରେ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପାଇଁ ଜନପ୍ରତିନିଧିଙ୍କ ହେଲିକପ୍ଟର ଦାବି ସ୍ଥାନୀୟ ଅଂଚଳରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି । ସାଂସଦ ଓ ବିଧାୟକଙ୍କ ଉପସ୍ଥିତି ଲାଗି ହାଇଦ୍ରାବାଦର ହେଲିଟୁର୍ସ ଇଣ୍ଡିଆ ନାମକ ଏକ ଘରୋଇ କମ୍ପାନୀରୁ ହେଲିକପ୍ଟର ଭଡାରେ ଆଣିଥିଲେ ମନ୍ଦିର ପ୍ରତିଷ୍ଠାତା । ଏଥିପାଇଁ ଗୃହ ବିଭାଗ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲାପାଳ ଓ ଏସ.ପି ଙ୍କ ଅନୁମତି ମଧ୍ୟ ନିଆଯାଇଥିଲା । ହେଲିକପ୍ଟର ଯୋଗେ ନବରଙ୍ଗପୁର ଚନ୍ଦାହାଣ୍ଡି ଠାରୁ ଏମ.ପି.ଭି ୬୯ ଗାଁ କୁ ପହଁଚି ଥିଲେ ସାଂସଦ ବଳଭଦ୍ର ମାଝୀ ଓ ବିଧାୟକ ମାନସ ମାଡକାମୀ ।

ଅବଶ୍ୟ ହେଲିକପ୍ଟରରେ ଯିବା ଆସିବା କରିବା କିଛି ବେଆଇନ କାର୍ଯ୍ୟ ନୁହେଁ । ମନ୍ଦିର ପ୍ରତିଷ୍ଠାତା ଭଡ଼ା ଦେଲେ, ସାଂସଦ ବିଧାୟକ ହେଲିକପ୍ଟରରେ ଗଲେ, ସେଥିରେ ମଧ୍ୟ ଆପତି ନାହିଁ । ତେବେ ନିଜ ଅଂଚଳରେ ଚାରିଚକିଆ ଯାନରେ ଏହି ଜନ ପ୍ରତିନିଧିମାନେ ଘୁରି ବୁଲୁଥିବା ବେଳେ କାହିଁକି ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଆସିବା ପାଇଁ ହେଲିକପ୍ଟର ଆବଶ୍ୟକ ପଡିଲା, ଏ ନେଇ ଉଠୁଛି ପ୍ରଶ୍ନ । ପଛୁଆ ଅଂଚଳରେ ଏଭଳି ବ୍ୟୟବହୁଳ ଗସ୍ତକୁ ସହଜରେ ହଜମ କରିପାରୁନାହାନ୍ତି ସ୍ଥାନୀୟ ବାସିନ୍ଦା ।