ସଜାଡ଼ି ହେଉଥିବା ପିସିସି ଘରକୁ ଲାଗିପାରେ ଝଟକା ! କଂଗ୍ରେସ ଛାଡ଼ିପାରନ୍ତି କୃଷ୍ଣ ? ଆଜି ଅପରାହ୍ନରେ ଘୋଷଣା !

20

କନକ ବ୍ୟୁରୋ: ସଜାଡ଼ି ହେଉଥିବା କଂଗ୍ରେସ ପାଇଁ ପୁଣି ବିଢ଼ିପାରେ ଅଡ଼ୁଆ । ଦୀର୍ଘ ଦିନ ଧରି ଅସନ୍ତୁଷ୍ଟ ଥିବା କୋରାପୁଟ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଦଳ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏତିକି ବେଳେ ଆଜି କୋରାପୁଟରୁ ଭୁବନେଶ୍ୱର ଆସି ଅପରାହ୍ନରେ କୃଷ୍ଣଚନ୍ଦ୍ର ସଗରିଆ ସାମ୍ବାଦିକ ସମ୍ମିଳନୀ ଡାକିଥିବା ସୂଚନା ମିଳିଛି । ଯାହାକୁ ନେଇ କଂଗ୍ରେସ ଶିବିରରେ ଏକ କମ୍ପନ ସୃଷ୍ଟି ହୋଇଛି । ଗତ କିଛି ମାସ ତଳେ ଜୟପୁର ବିଧାୟକ ତଥା ରାଜ୍ୟ କଂଗ୍ରେସର ମୂଖ୍ୟ ସଚେତକ ତାରାବାହିନୀପତିଙ୍କ ସହ ତାଙ୍କର ମତାନ୍ତର ବିଷୟ ଚର୍ଚ୍ଚାରେ ଥିଲା । ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ମାନେ ଏହି ସମସ୍ୟାର ସମାଧାନ କରିଥିଲେ ମଧ୍ୟ ଏଥିରେ କୃଷ୍ଣଚନ୍ଦ୍ର ଅସନ୍ତୁଷ୍ଟ ଥିବା ବାରି ହୋଇପଡିଛି ।

krushna chandra sagariaତେବେ ଏହାକୁ ନେଇ ହାଇକମାଣ୍ଡଙ୍କୁ ଫେରାଦ ହେବା ପରେ ତାଙ୍କୁ ପିସିସି ସାଧାରଣ ସମ୍ପାଦକ ପଦବୀରେ ନିଯୁକ୍ତ କରିଥିଲେ । ହେଲେ ସାଧାରଣ ସମ୍ପାଦକ ପଦବୀ ଅପେକ୍ଷା ଜାତୀୟସ୍ତରରେ ଏସ୍-ସି ସେଲରେ ପଦବୀ ପାଇଁ ଆଶା କରୁଥିଲେ କୃଷ୍ଣଚନ୍ଦ୍ର ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଏବଂ ସାଧାରଣ ସମ୍ପାଦକ ପଦବୀ ପାଇ ଖୁସି ନଥିବା ଚର୍ଚ୍ଚା ହେଉଛି ।

ରାଜ୍ୟରେ କଂଗ୍ରେସର ଅଙ୍କ ଜଟିଳ ହେବାରେ ଲାଗିଛି । ଘର ସଜାଡ଼ିବାକୁ ଉଦ୍ୟମ କରୁଥିବା କଂଗ୍ରେସ ଭିତରେ କେତେବେଳେ କନ୍ଦଳ ତ ଆଉ କେତେବେଳେ ପଦବୀକୁ ନେଇ ସମସ୍ୟା ଦେଖାଯାଉଛି । ୨୦୧୯ ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସର ବରିଷ୍ଠ ନେତାମାନେ ଏଭଳି ମୁହଁ ଫେରେଇ ନେଲେ କଂଗ୍ରେସ ସ୍ଥିତି କ’ଣ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।