ଜୋର୍ ଧରୁଛି ବିଜେଡି ବିଧାୟକଙ୍କ ଲାଂଚ ପ୍ରସଙ୍ଗ : ବିଜେପି ପରେ ବିଜେଡି ବିଧାୟକ ଦେଲେ ଏତଲା

30

କନକ ବ୍ୟୁରୋ : ଜୋର୍ ଧରୁଛି ବିଜେଡି ବିଧାୟକଙ୍କ ଲାଂଚ ପ୍ରସଙ୍ଗ। ବିଜେପି ପରେ ବିଜେଡି ବିଧାୟକ ଦେଲେ ଏତଲା। କ୍ୟାମେରାରେ କଥାବାର୍ତା କରିଥିବା ବ୍ୟକ୍ତି ବିରୋଧରେ ଏତଲା ଦେଇଛନ୍ତି ବିଜେଡିର ୪ ଜଣ ବିଧାୟକ। ଖାରବେଳ ନଗର ଥାନାରେ ଏନେଇ ଏତଲା ଦିଆଯାଇଛି । ୪ ଜଣ ବିଜେଡି ବିଧାୟକ ସୀମାରାଣୀ ନାୟକ, ସୁଶାନ୍ତ ବେହେରା, ଅନାମ ନାୟକ ଓ ବିଜୟ ନାୟକଙ୍କ ପକ୍ଷରୁ ଏତଲା ଦିଆଯାଇଛି।

ଭବାନୀପାଟଣା ବିଧାୟକ ଅନାମ ନାୟକ କହିଛନ୍ତି, ଟଂକା ନଦେବାରୁ ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ସେହିପରି ହିନ୍ଦୋଳ ବିଧାୟିକ ସୀମାରାଣୀ ନାୟକ ନିଜ ଏତଲାରେ ଲେଖିଛନ୍ତି, ଶିଳ୍ପ ସଂସ୍ଥାର ପ୍ରତିନିଧି ନାଁରେ ବ୍ୟକ୍ତି ଜଣକ ମୋ ସହ ଦେଖା କରିଥିଲେ। ପରେ ମୋତେ ୫୦ ଲକ୍ଷ ଟଂକା ମାଗିଥିଲେ। ନଦେବାରୁ ମିଛରେ ଭିଡିଓ କରି ଦେଖାଉଛନ୍ତି ।

ସମାନ ଅଭିଯୋଗ କରିଛନ୍ତି କରଂଜିଆ ବିଧାୟକ ବିଜୟ କୁମାର ନାୟକ। କାରଖାନା କରିବା ବାହାନାରେ ସଂପୃକ୍ତ ବ୍ୟକ୍ତି ଜଣକ ମିଛରେ ଭିଡିଓ ରେକର୍ଡିଂ କରି ଫାଇଦା ନେବାକୁ ଚେଷ୍ଟା କରୁଥିବା ସେ ଏତଲାରେ ଦର୍ଶାଇଛନ୍ତି। ସେହିପରି ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ନିଜ ଏତଲାରେ ଦର୍ଶାଇଛନ୍ତି ଯେ, ୧ କୋଟି ଟଂକା ନଦେବାରୁ ମୋତେ ବଦନାମ କରିବାକୁ ଷଡଯନ୍ତ୍ର କରାଯାଇଛି।

ସେପଟେ ୪ ବିଜେଡି ବିଧାୟକଙ୍କ ନାଁରେ ଏତଲା ଦେଇଛି ବିଜେପି। ଏସବୁ ଭିତରେ ଅପରେସନ ବ୍ଲାକ ସ୍ପଟରେ ଧରାପଡିଥିବା ବିଧାୟକଙ୍କ ବିରୋଧରେ ଆରମ୍ଭ ହୋଇଛି ତଦନ୍ତ। ପ୍ରସ୍ତୁତ ହୋଇଛି ଭିଜିଲାନ୍ସର ୫ଟି ଟିମ୍। ପ୍ରଥମେ ତଥ୍ୟ ଭିତିକ ଭିଡିଓ ଓ ଅଡିଓର ଫରେନସିକ୍ ଯାଂଚ ହେବ। ତା ପରେ ଜନ ପ୍ରତିନିଧିଙ୍କୁ ପଚରା ଉଚରା କରାଯିବ। ବିଧାୟକଙ୍କୁ ଜେରା ବେଳେ ତଦନ୍ତ ସଂସ୍ଥା କୌଣସି ଚାପର ବଶବର୍ତି ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଭିଜିଲାନସ ନିର୍ଦ୍ଦେଶକ।

ଏହା ସହ ଦେଖନ୍ତୁ ଏହି ଭିଡିଓ –