ବିବାଦରେ ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା : ପୋଲସରା ବିଧାୟକ ମାଟ୍ରିକ୍ ପାସ୍ କରିବା ନେଇ ଉଠିଲା ପ୍ରଶ୍ନ

76

କନକ ବ୍ୟୁରୋ : ଆପଣ ଜାଣିଛନ୍ତି କି ଆପଣଙ୍କ ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଯେଉଁମାନେ ଆପଣଙ୍କ ପାଇଁ ଆଇନକାନୁନ କରୁଛନ୍ତି, ସେମାନେ କେତେ ପାଠ ପଢିଛନ୍ତି? ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ତାଙ୍କୁ ଘେରିଛନ୍ତି ନାଗରିକ ସୁରକ୍ଷା ଓ ଅଧିକାର ମଂଚ । କେବଳ ଶ୍ରୀକାନ୍ତ ସାହୁ ନୁହେଁ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚଳିତ ବିଧାନସଭାରେ ୨୫ ଜଣ ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମ କିମ୍ବା ତା’ଠାରୁ କମ୍ ।

ବିଧାୟକ ଶ୍ରୀକାନ୍ତ ସାହୁ । ୨୦୧୪ରେ ବିଜେଡି ଟିକେଟରେ ପୋଲସରାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଶ୍ରୀକାନ୍ତ । ଏବେ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଅଡୁଆରେ ପଡିଛନ୍ତି ବିଧାୟକ । ଆରଟିଆଇ ତଥ୍ୟକୁ ନେଇ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ଘେରିଛି ନାଗରିକ ସୁରକ୍ଷା ଓ ଅଧିକାର ମଂଚ ।

ଦଶମ ଶ୍ରେଣୀ କୃତକାର୍ଯ୍ୟ ହୋଇନଥିବା ଶ୍ରୀକାନ୍ତ ସାହୁ ପରୀକ୍ଷାରେ କେତେ ନମ୍ବର ରଖିଥିଲେ, ଜାଣନ୍ତୁ ଏଥିରୁ
ଓଡ଼ିଆରେ ୨୫, ଇଂରାଜୀରେ ୭, ସଂସ୍କୃତରେ ୧୦, ଗଣିତରେ ୧୬, ବିଜ୍ଞାନରେ ୧୬, ଇତିହାସରେ ୩ ଭୂଗୋଳରେ ୬, ଇଚ୍ଛାଧିନ ବିଷୟ ଶାରୀରିକ ବିଜ୍ଞାନରେ ୧୯ ନମ୍ବର, ଏହିପରି ମୋଟ ୯୩ ନମ୍ବର ରଖିଥିଲେ ଶ୍ରୀକାନ୍ତ ସାହୁ ।

ପଂଚଦଶ ଓଡ଼ିଶା ବିଧାନସଭାରେ ଅନେକ ବିଧାୟକଙ୍କର ମାଟ୍ରିିକ କିମ୍ବା ତା’ଠାରୁ କମ ଶିକ୍ଷାଗତ ଯୋଗ୍ୟତା ରହିଛି । ୧୪୭ ବିଧାୟକଙ୍କ ମଧ୍ୟରୁ ୨୫ ଜଣ ବିଧାୟକ ଅଛନ୍ତି ଏହି ତାଲିକାରେ । ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ମାତ୍ର ପଂଚମ ଶ୍ରେଣୀ ଯାଏଁ ପଢିଛନ୍ତି ୩ ବିଧାୟକ । ଆଉ ଅଷ୍ଟମ ଯାଏଁ ପଢିଛନ୍ତି ୫ ଜଣ ବିଧାୟକ । ଏଡିଆର ରିପୋର୍ଟ ଅନୁସାରେ ବିଜେପିରୁ ନିର୍ବାଚନ ଜିତିଥିବା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, କଂଟାମାଳର ବିଜେଡି ବିଧାୟକ ମହିଧର ରାଣା ଏବଂ ସାନଖେମୁଣ୍ଡିର ବିଜେଡି ନନ୍ଦିନୀ ଦେବୀଙ୍କ ଶିକ୍ଷାଗତ ଯୋଗ୍ୟତା ୫ ଶ୍ରେଣୀ । ସେହିପରି ବିଜେଡି ବିଧାୟକ ଆୟୁବ ଖାନ, ଡୁଗୁନି କହଁର, ଲାଲବିହାରୀ ହିମିରିକା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ରାଜୀବ ପାତ୍ର ମାତ୍ର ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢିଛନ୍ତି ।

ଆଉ ଏକ ରୋଚକ ତଥ୍ୟ ହେଉଛି ଅନେକ ନେତା ମାତ୍ର ଦଶମ ଶ୍ରେଣୀ ପାସ କରି ମନ୍ତ୍ରୀପଦ ମଧ୍ୟ ହାସଲ କରିଛନ୍ତି । ବର୍ତମାନର ଆଇଟି ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମାତ୍ର ଦଶମ ଶ୍ରେଣୀ ପାସ କରିଛନ୍ତି । ସେହପରି ଦଶମ ପାସ କରିଥିବା ୧୭ ଜଣ ବିଧାୟକଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସର ଟାଣୁଆ ନେତା ତାରାପ୍ରସାଦ ବାହିନୀପତି, ପ୍ରକାଶ ଚନ୍ଦ୍ର ବେହେରା ଏବଂ ବିଜେପିର ପ୍ରଦୀପ ପୁରୋହିତ ।