ବିଧାନସଭାରେ ବୁନୁଙ୍କ ଜଳବାଣ ! ମେୟର ଥିଲା ବେଳେ ତାଙ୍କୁ ଯାହା ପଚରା ହୁଏ, ସେହି କଥା ମନ୍ତ୍ରୀଙ୍କୁ ପଚାରିଲେ ଅନନ୍ତ

334

କନକ ବ୍ୟୁରୋ: ବଦଳିଗଲେ ବୁନୁ । ବିଧାୟକ ହେବା ପରେ ପୂରାପୂରି ପରିବର୍ତ୍ତନ ହୋଇଗଲେ ପୂର୍ବତନ ମେୟର । ନିର୍ବାଚନ ରେଜଲ୍ଟ ବାହାରିବାକୁ ଚାଳିଶ ଦିନ ବି ହୋଇନି ହେଲେ ଗୋଟିଏ ଚରିତ୍ରରୁ ବାହାରି ଆଉ ଏକ ଚରିତ୍ରରେ ଅଭିନୟ ଆରମ୍ଭ କରିଦେଲେଣି ଅନନ୍ତ ନାରାୟଣ ଜେନା । ବିଧାୟକ ହେବା ପରେ ଆଜି ବିଧାନସଭାରେ ନିଜ ନିଆରା ରୂପ ଦେଖାଇଛନ୍ତି ଅନନ୍ତ ଜେନା । ବର୍ଷାଜଳ ନିଷ୍କାସନ ନେଇ ମନ୍ତ୍ରୀଙ୍କୁ ଲିଖିତ ପ୍ରଶ୍ନ କରିବା ପରେ ବେଶ୍ ଚର୍ଚ୍ଚାରେ ଅଛନ୍ତି ଅନନ୍ତ ।


ସ୍ମାର୍ଟସିଟିରେ ବର୍ଷାଜଳ ନିଷ୍କାସନ ନେଇ ବିଧାୟକ ଅନନ୍ତ ଜେନା ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଭୁବନେଶ୍ୱରର ମୁଖ୍ୟ ସମସ୍ୟା ବର୍ଷାଜଳ ସମସ୍ୟା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପ୍ରଶ୍ନ କରିଥିଲେ ଅନନ୍ତ । ଶିଶୁଭବନ ଛକ ଠାରୁ ବାଣୀବିହାର, ରାଜଭବନ ଛକ ଠାରୁ ଜୟଦେବ ବିହାର, କମିଶନରେଟ ପୋଲିସ ଅଫିସ ସାମ୍ନା, କଳିଙ୍ଗ ଷ୍ଟାଡିୟମ ୩ ନଂ ଗେଟ୍ ଓ ଶ୍ରୀୟା ଟ୍ରାଫିକ ଛକ ନିକଟରେ ଥିବା ଭେଣ୍ଡିଂ ଜୋନ୍ ରାସ୍ତାରେ ଜମୁଥିବା ବର୍ଷାଜଳ ସମସ୍ୟା ଉପରେ ସରକାର ଅବଗତ ଅଛନ୍ତି କି ? ଯଦି ଅବଗତ ଅଛନ୍ତି ତେବେ ଏଯାଏଁ କି ପଦକ୍ଷେପ ନିଆଗଲାଣି ବୋଲି ପ୍ରଶ୍ନ କରିଛନ୍ତି ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା । ବିଧାୟକଙ୍କ ପ୍ରଶ୍ନ ପରେ ଏହାର ଲିଖିତ ଉତ୍ତର ମଧ୍ୟ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ।


ତେବେ ପ୍ରଶ୍ନ – ଉତ୍ତର କାର୍ଯ୍ୟକ୍ରମ ଭିତରେ ସମ୍ନାକୁ ଆସିଛି ଏକ ନିଆରା କାହାଣୀ । ନୂଆ ଚରିତ୍ରରେ ଅଭିନୟ କରୁଥିବା ଅନନ୍ତଙ୍କ ମୁହଁରେ ‘ଜଳବନ୍ଦୀ’ ପ୍ରଶ୍ନ ପରେ ଫର୍ଚ୍ଚା ଫର୍ଚ୍ଚା ଦିଶିଛି ଅନନ୍ତଙ୍କ ଅତୀତ । ସବୁଠାରୁ ବଡ କଥା ହେଉଛି ଆଜି ମନ୍ତ୍ରୀଙ୍କୁ ଅନନ୍ତ ଯେଉଁ ପ୍ରଶ୍ନ ପଚାରୁଛନ୍ତି ଦୀର୍ଘ ୧୦ ବର୍ଷ ହେଲା ସେହି ସମାନ ପ୍ରଶ୍ନ ତାଙ୍କୁ ପଚରା ଯାଉଥିଲା । ଭୁବନେଶ୍ୱର ଭାସିଲେ ତାଙ୍କୁ ଖୋଜା ପଡୁଥିଲା ।

ଫି ବର୍ଷ ବର୍ଷା ଆସିଲେ ଆଉ ରାଜଧାନୀ ବୁଡିଲେ ନିନ୍ଦିତ ହୁଏ ବିଏମସି, ନିନ୍ଦିତ ହୁଅନ୍ତି ମେୟର । ଠିକ୍ ସେହି ସମୟରେ ଜଳବନ୍ଦୀ ସମସ୍ୟା ଦୂର ପାଇଁ ବୁନୁଙ୍କ ଜଣାଣ କରାଯାଏ । ସାରା ରାଜଧାନୀରେ ବର୍ଷା ପାଣି କମ, ଡ୍ରେନ ପାଣି ଅଧିକ ଚାଲିଲେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରନ୍ତି ବୁନୁ । ଲୋକଙ୍କ ଅସନ୍ତୋଷ ଆଉ ରାଗକୁ ଥଣ୍ଡା କରିବାକୁ ଯାଇ ଗଣମାଧ୍ୟମର ସାହାରା ନିଅନ୍ତି ଅନନ୍ତ । ଫି ବର୍ଷ ସାମ୍ବାଦିକଙ୍କ ପ୍ରଶ୍ନରେ ସେହି ଚିରା ଚରିତ ଉତ୍ତର ରଖନ୍ତି ଆଉ କୁହନ୍ତି; ‘ଆମେ ଅନୁଧ୍ୟାନ କରୁଛୁ, ଖୁବ ଶୀଘ୍ର ସମସ୍ୟାର ସମାଧାନ ହେବ’

ତେବେ ଦୀର୍ଘ ଦଶ ବର୍ଷ ହେଲା ଭୁବନେଶ୍ୱରବାସୀଙ୍କୁ ପ୍ରତିଶ୍ରୁତି ଦେଇ ଆସୁଥିବା ବୁନୁ ହଠାତ କାହିଁକି ବଦଳିଗଲେ ? ନିଜ ଦାୟିତ୍ୱରେ ଥିବା ବେଳେ ତାଙ୍କୁ ଯେଉଁ ପ୍ରଶ୍ନ ପଚରା ହୁଏ ଆଜି ସେହି ପ୍ରଶ୍ନ କେଉଁ ସାହାସରେ ପଚାରିଛନ୍ତି ଅନନ୍ତ ? ଯଦି ବିଧାୟକ ହେଲା ପରେ ଲୋକଙ୍କ ସମସ୍ୟା ବୁଝିପାରି ସରକାରଙ୍କ ଶିବିରକୁ ପ୍ରଶ୍ନ ବାଣ ମାରି ପାରୁଛନ୍ତି ତାହେଲେ ମେୟର ଥିଲା ବେଳେ କଣ ପାଇଁ ବୁଝି ପାରୁନଥିଲେ ? ବିଧାୟକ ହେଲେ କଣ ଲୋକେ ନିଜର ନିଜର ଲାଗନ୍ତି ? ବିଧାନସଭାରେ ବୁନୁଙ୍କ ଜଳବାଣ ପରେ ଏବେ ସେହି ପ୍ରଶ୍ନ ତାଙ୍କୁ ବୁମେରାଂ ସାଜିଛି ବୋଲି ସବୁଠି ଚର୍ଚ୍ଚା ।