ଆଦିବାସୀଙ୍କ ବିକାଶ ନେଇ ରାଜନୀତି ଛକାପଂଝା : ପଛୁଆ ଜିଲ୍ଲା ମାଲକାନଗିରିର ବିକାଶର ଅସଲଚିତ୍ର ଆସିଲା ସାମ୍ନାକୁ

72

କନକ ବ୍ୟୁରୋ : ମାଓ ପ୍ରବଣ ମାଲକାନଗିରି ଜିଲ୍ଲା । ରାଜ୍ୟ ତଥା ଦେଶର ଏକ ଅନୁନ୍ନତ ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାର ପରିଚୟ ରହି ଆସିଛି । ତେବେ ଏହି ସବୁ ଜିଲ୍ଲାର ବିକାଶ ହେଲେ ନ୍ୟୁ ଇଣ୍ଡିଆ ମିଶନ ସଫଳ ହୋଇ ପାରିବ ଦାବୀ କରି ଆସୁଛି କେନ୍ଦ୍ର ସରକାର । ତେବେ ମାଲାକନଗିରି ସମେତ ରାଜ୍ୟର କେ.ବି.କେ ଅନ୍ତର୍ଭୁକ୍ତ ଜିଲ୍ଲା ମାନଙ୍କ ବିକାଶ ଲାଗି ରାଜ୍ୟ ସରକାର ନାନା ପରୀକ୍ଷାମୂଳକ ପଦକ୍ଷେପ ଗ୍ରହଣ କରି ଆସୁଥିବାବେଳେ ସଚିବ ପହ୍ୟାର ଅଧିକାରୀ ପଛୁଆ ଜିଲ୍ଲାର ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି । ପ୍ରଥମେ ସଚିବ ୟୁ. ଏନ. ବେହେରା, ପରେ ଆର୍. ବାଲକ୍ରିଷ୍ଣନ ପରେ ଏବେ ବିଶାଳ ଗଗନ ମାଲକାନଗିରି ଜିଲ୍ଲାର ନୋଡା ଅଫିସର ଦାୟିତ୍ୱ ରେ ରହିଛନ୍ତି । ଗତ ୨ ବର୍ଷ ଧରି ଜିଲ୍ଲାର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକୁ ତଦାରଖ କରି ଆସୁଛନ୍ତି ସରକାର । ତେବେ ସେହି ସଚିବ ମାନଙ୍କ ରିପୋର୍ଟ ବୟାନ କରୁଛି, ପଛୁଆ ତାଲିକାର ଜିଲ୍ଲା ଗୁଡିକ କେତେ ବିକଶିତ ।

କନକ ନ୍ୟୁଜ ହାତରେ ଲାଗି ଥିବା ସାଧାରଣ ପ୍ରଶାସନ ବିଭାଗରେ ମେମୋ ସଂଖ୍ୟା୫୧୫, ତୋରିଖ ୦୫.୦୧.୨୦୧୮ ମୁତାବକ- ମାଲକାନଗିରି ଜିଲ୍ଲାରେ ସି.ଡି.ଏମ.ଓ ଓ ୨ ଏଡି.ଏମ.ଓ ଙ୍କ ସମେତ ମୋଟ ୫୬ ଟି ଡାକ୍ତରୀ ପଦବୀ ଖାଲି ରହିଛି । ସେହି ପରି କୃଷୀ ଉପନିର୍ଦେଶକ, ଜିଲ୍ଲା କୃଷୀ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ, ସଂସ୍କୃତୀ ଅଧିକାରୀ, ପର୍ଯ୍ୟଟନ ଅଧିକାରୀ, ଜିଲ୍ଲା ପଂଚାୟତ ଅଧିକାରୀ ପଦ ଖାଲି ପଡିଛି । ଏଥି ସହ ଏନେକ ସହକାରୀ ନିର୍ବାହୀ ଯନ୍ତ୍ରୀ, ୨ ତହସିଲଦାର, ୭ ଟି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀକୁ ନେଇ ଜିଲ୍ଲାରେ ୫୦ ରୁ ଉର୍ଦ୍ଧ୍ୱ ପ୍ରମୁଖ ପଦ ପଦବୀ ଖାଲି ପଡିଛି ।

ସେହି ପରି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଧିମେଇ ଥିବା ନେଇ ସରକାରଙ୍କୁ ଜଣାଇଛନ୍ତି ସଚିବ । ଏଲ.ଡବ୍ଲୁ.ଇ ଅନ୍ତର୍ଗତ ଗୋବିନ୍ଦପାଲି – ମହୁପଦର, ଚିତ୍ରକୋଣ୍ଡା – ଯାନବାଇ ରାସ୍ତା କାମ ମନ୍ଥର ଗତି ରେ ଚାଲି ଥିବା ବେଳେ ଶିଖପାଲି – ପୋଡିଆ, କାଲିମେଳା-ଭେଜାଙ୍ଗିଓାଡା-ବାଲିମେଳା, ଗୋବିନ୍ଦପାଲି – ବଡଡୁରାଲ ରାସ୍ତା କାମ ଆଦୌ ଆରମ୍ଭ ହୋଇ ପାରୁ ନାହିଁ ବୋଲି ସଚିବ ଆର. ବାଲକ୍ରିଷ୍ଣନଙ୍କ ରିପୋର୍ଟ ରେ ଉଲ୍ଲେଖ ରହିଛି । ଡିଜିଟାଲ ଇଣ୍ଡିଆର କଥା କୁହା ଯାଉ ଥିବା ବେଳେ ଜିଲ୍ଲାର ୮୦ ଭାଗ ଅଂଚଳରେ ଏବେ ବି ମୋବାଇଲ ସଂଯୋଗିକରଣ ନାହିଁ । ୧୧୧ ପଂଚାୟତ ମଧ୍ୟ ରେ ୧୦୦ ରୁ ଉର୍ଧ ପଂଚାୟତ ରେ ବ୍ୟାଙ୍କ ସେବା ପହଁଚି ପାରିନାହିଁ ।  ବିଦ୍ୟୁତିକରଣ  କ୍ଷେତ୍ରରେ ଏବେ ବି ଅନେକ ଗାଁ ଅନ୍ଧାରର ରହି ଥିବା ବେଳେ ଅନେକ ପାୱାର ଗ୍ରିଡ କାମ ପେଣ୍ଡିଙ୍ଗ ଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ସଚିବ । ତେବେ ସଚିବଙ୍କ ଗସ୍ତ ର ବିଶେଷ କିଛି ପ୍ରଭାବ ପଡି ପାରୁ ନାହିଁ ବୋଲି ବୁଦ୍ଧିଯିବି ମହଲ ରେ ଚର୍ଚା ।

ତେବେ ସଚିବଙ୍କ ଗସ୍ତ ପରେ ଜିଲ୍ଲାର ବିକାଶ ର ଧାରା ଆହୁରି ତ୍ୱରାନ୍ୱିତ ହୋଇଛି ବୋଲି କିଛି ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ମତ । ବହୁ ପ୍ରତୀକ୍ଷିତ ଗୁରୁପ୍ରୀୟା ସେତୁ ନିର୍ମାଣ କାମ ଏବେ ଶେଷ ପର୍ଯ୍ୟାୟରେ ପହଁଚି ଥିବା ବେଳେ ଜିଲ୍ଲାରେ ଏବେ ବ୍ୟାଙ୍କ ସଂଖ୍ୟା୪୬ କୁ ପହଁଚିଛି, ଏଲ.ଡବ୍ଲୁ.ଇ ଯୋଜନା ମୁତାବକ ୨୪ ଟି ନୁତନ ୯ ଟି ଟେଲିଫୋନ ଟାଓାର ନିର୍ମାଣ ହୋଇଛି । ୯ ଟି ବେଲି ବ୍ରିଜ ସମେତ ରୁରାଲ ରୋଡ ନେଟୱାର୍କିଙ୍ଗ ସଫଳ ହୋଇ ପାରିଛି । ସହରାଂଚଳରେ ଗ୍ରାମକଣ୍ଠ ପରମବକ୍ ପଟ୍ଟା ଓ ଗ୍ରାମଂଚଳ ରେ ଜଂଗଲ ଜମି ପଟ୍ଟା ପ୍ରଦାନ କରା ଯାଉଛି ବୋଲି ଡିମ ଡିମ ପିଟୁଛି  ଶାସକ ଦଳ । ବାସ୍ତବରେ ମାଲକାନଗିରି ଜିଲ୍ଲା ସହରାଂଚଳ ଓ ଆଖପାଖ ଅଂଚଳରେ କିଛି ବିକାଶର ଚିହ୍ନ ବର୍ଣ୍ଣ ପରିଲିକ୍ଷିତ ହୋଇଛି ସତ । ତେବେ ଦୁର୍ଗମ ଅଂଚଳରେ ପ୍ରଶାସନ ପହଁଚିବା ଦିଗରେ ବାଧକ ସାଜିଛି ମାଓ ସମସ୍ୟା ।