‘ମି ଠୁ’ କ୍ୟାମ୍ପେନ ! ପ୍ରିୟା ରମାଣୀଙ୍କ ବିରୋଧରେ ମାନହାନି ମକଦ୍ଦମା କଲେ କେନ୍ଦ୍ରମନ୍ତ୍ରୀ ଏମ ଜେ ଆକବର

41

କନକ ବ୍ୟୁରୋ : ‘ମି ଠୁ’ କ୍ୟାମ୍ପେନ୍ ଜରିଆରେ ଯୌନଶୋଷଣ ଅଭିଯୋଗର ଶିକାର ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଏମ.ଜେ. ଆକବର । ଅଭିଯୋଗକାରିଣୀ ସାମ୍ବାଦିକା ପ୍ରିୟା ରମାଣୀଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି ଆକବର । ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ନିଜ ଓକିଲଙ୍କ ଜରିଆରେ ମାନହାନି ମୋକଦ୍ଦମା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ୧୧ ଜଣ ସାମ୍ବାଦିକା ଆକବରଙ୍କ ନାଁରେ ଯୌନଶୋଷଣ ଅଭିଯୋଗ ଆଣିଥିଲେ ।

ଭାରତୀୟ ପିଙ୍ଗଳ କୋର୍ଡର ଧାରା ୪୯୯ ଓ ୫୦୦ ଅନୁସାରେ ଏହି ମାମଲା ଦାୟର ହୋଇଛି । ସେପଟେ ସାମ୍ବାଦିକା ପ୍ରିୟା ରମାଣୀ ଏ ନେଇ ନିଜର ସଫେଇ ରଖିଛନ୍ତି । ପ୍ରିୟା କହିଛନ୍ତି, ସେ ଆଇନଗତ ଲଢେଇ ଲଢିବେ । ଆଉ ସତକୁ ସାମ୍ନା କରିବେ । ଯେତେବେଳେ ଏଭଳି ଅଭିଯୋଗ ଆସିଥିଲା ସେତେବେଳେ ସଂପୃକ୍ତ ମହିଳା ସେମାନଙ୍କ କ୍ଷେତ୍ରରେ କାମ କରୁଥିଲେ । ତେଣୁ ଏଭଳି ଅଭିଯୋଗ ଆସିନଥିଲା । ସେମାନେ ନିଜ ନିଜ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

ସେପଟେ ବଲିଉଡର ‘ମି ଠୁ’ ଝଡ ପରେ ଏବେ ଓଲିଉଡ୍କୁ ଡେଇଁଛି । ଜଣାଶୁଣା ଟେଲି ଅଭିନେତ୍ରୀ ଏଲି ପାଢୀ, ପ୍ରଯୋଜକଙ୍କ ବିରୋଧରେ ସାଂଘାତିକ ମନ୍ତବ୍ୟ ଦେଇଛନ୍ତି । ଏଲି ସିଧା ସିଧା କହିଛନ୍ତି, ସିନେମାର ନାୟିକା ନୁହେଁ ବାସ୍ତବ ଜୀବନର ନାୟିକା କରିବାକୁ ଚାହୁଁଥିଲେ ପ୍ରଯୋଜକ । ପ୍ରୋଜେକ୍ଟ ଆରମ୍ଭ ହେବା ପୂର୍ବରୁ କିଛି ଏଭଳି କଥାବାର୍ତ୍ତା ପ୍ରଯୋଜକମାନେ ତାଙ୍କ ସହ କରିଥିବା ଅଭିଯୋଗ ଆଣିଛନ୍ତି ଏଲି । ସେ କହିଛନ୍ତି ପ୍ରଥମ ଫିଲ୍ମ ଏ ମିଳନ ଯୁଗ ଯୁଗର ସଫଳତା ପରେ ଗୋଟିଏ ପରେ ଗୋଟିଏ ସିନେମା ଅଫର ଆସିଥିଲା । ତେବେ ଯେଉଁ ପ୍ରଯୋଜକମାନେ ଅଫର ଦେବା ଆରମ୍ଭ କରିଥିଲେ ସେମାନେ କେହି ପ୍ରଫେସନାଲ ନଥିଲେ । ବରଂ ନୂଆ ନୂଆ ପ୍ରଯୋଜକ ହୋଇଥାନ୍ତି । ବ୍ୟବସାୟରୁ ଆସି ପ୍ରଯୋଜନା କରିବାକୁ ମନ ବଳାଇଥାନ୍ତି । ସେମାନଙ୍କ ପାଖରେ ଅଧିକ ପଇସା ଥିଲା । ତେଣୁ ସେମାନେ ନିଜ ଫିଲ୍ମର ନାୟିକା ନୁହେଁ ଅଫସ୍କ୍ରିନରେ ନାୟିକା କରିବାକୁ ଚାହୁଁଥିଲେ । ଏଭଳି ଦୁଇ ପ୍ରଯୋଜକଙ୍କ ସିନେମା ଅଫର ଆସିଥିଲା । କିନ୍ତୁ ସେମାନଙ୍କ କଥା ବାର୍ତାରୁ ସନ୍ଦେହ ହେବାରୁ ଉକ୍ତ ସିନେମାକୁ ଗ୍ରହଣ କରିନଥିଲେ ବୋଲି କହିଛନ୍ତି ଏଲି ।