ଯୌନ ଶୋଷଣ ଅଭିଯୋଗକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ ଏମଜେ ଆକବର : କହିଲେ, ଆରୋପରେ ନାହିଁ ସତ୍ୟତା । ୨୦୧୯ ନିର୍ବାଚନ ପୂର୍ବରୁ କରାଯାଇଛି ଷଡଯନ୍ତ୍ର

63

କନକ ବ୍ୟୁରୋ : ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍. ଜେ ଆକବରଙ୍କ ବିରୋଧରେ ମି ଠୁ ଅଭିଯାନରେ ଆସିଥିବା ଅସଦାଚରଣ ଅଭିଯୋଗ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ମନ୍ତ୍ରୀ । କହିଛନ୍ତି, ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଏବଂ ଅମୂଳକ । ସାଧାରଣ ନିର୍ବାଚନ ପୂର୍ବରୁ କୌଣସି ଉଦ୍ଦେଶ୍ୟ ରଖି ଏଭଳି ଭିତ୍ତିିହୀନ ଏବଂ ନିରାଧାର ଅଭିଯୋଗ ଅଣାଯାଇଛି ବୋଲି କହିଛନ୍ତି ଆକବର । ଆକବର କହିଛନ୍ତି, ପ୍ରିୟା ରମାନି ଏକ ପତ୍ରିକାରେ ମି ଠୁ ଅଭିଯାନ ପ୍ରସଙ୍ଗରେ ବିଭିନ୍ନ ନିବନ୍ଧ ଲେଖିଛନ୍ତି । କିନ୍ତୁ କୌଣସିଥିରେ ମୋ ନାଁ ନେଇନାହାନ୍ତି । କିନ୍ତୁ ଏବେ ସେ ମନଗଢା କଥା କହୁଛନ୍ତି । ବର୍ତ୍ତମାନ ସମୟରେ ସେ ନାମ ଆଣିବାର ମାନେ କଣ ବୋଲି ପ୍ରଶ୍ନ କରିଛନ୍ତି ଏମ.ଜେ ଆକବର । ରାଜନୀତିରେ ପ୍ରବେଶ ପୂର୍ବରୁ ଆକବର ଜଣେ ସାମ୍ବାଦିକ ଭାବେ ଏକାଧିକ ଖବରକାଗଜରେ ସମ୍ପାଦକ ରହିଥିଲେ । ଆଉ ସମ୍ପାଦକ ଥିବାବେଳେ ସେ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ୧୧ ଜଣ ମହିଳା ସାମ୍ବାଦିକ ଏହି ଅଭିଯୋଗ ଆଣିଛନ୍ତି । ପ୍ରିୟା ରମାନି ପ୍ରଥମେ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ହୋଟେଲ ରୁମରେ ସାକ୍ଷାତକାର ବେଳେ ଆକବର ଅଶ୍ଲୀଳ ଆଚରଣ କରିବା ସହିତ ଯୁବତୀଙ୍କୁ ନିର୍ଯାତନା ଦେଉଥିଲେ ବୋଲି କହିଥିଲେ । ସେହିଭଳି ଅନ୍ୟ କିଛି ସାମ୍ବାଦିକ ବି ଏଭଳି ଅଭିଯୋଗ ଆଣିଥିଲେ ।

ସେପଟେ ସୋସିଆଲ ମିଡିଆରେ ଚାଲିଥିବା ମି ଠୁ ଆନ୍ଦୋଳନରେ ବଲିଉଡ ସହିତ ଗଣମାଧ୍ୟମ ବି ପ୍ରଭାବିତ ହୋଇଛି । ସାମ୍ବାଦିକ ବିନୋଦ ଦୁଆଙ୍କ ନାଁ ଏହି ପ୍ରକ୍ରିୟାରେ ଯୋଡି ହୋଇଛିା ତାଙ୍କ ନାଁରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ । ନିଷ୍ଠା ଜୈନ ନାମକ ଜଣେ ଫିଲ୍ମ ନିର୍ମାତା ବିନୋଦଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ୧୯୮୯ର ବିଭିନ୍ନ ଘଟଣା ସମ୍ପର୍କରେ ବର୍ଣ୍ଣନା କରି ସେ ବିନୋଦ ଦୁଆଙ୍କୁ ଜଣେ ଯୌନ ନିର୍ଯାତନାକାରୀ ବୋଲି ଦର୍ଶାଇଛନ୍ତି । ଏ ନେଇ ନିଷ୍ଠା ଫେସବୁକ ପୋଷ୍ଟ କରିଛନ୍ତି । ନିଷ୍ଠା କହିଛନ୍ତି, ଚାକିରୀ ପାଇଁ ସାକ୍ଷାତକାର ନେବାବେଳେ ବିନୋଦ ତାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ । ଏହା ପରେ ଏକ ପାର୍କିଂ ପ୍ଲେସରେ କାର ଭିତରକୁ ଡାକି ଅସଦାଚରଣ କରିଥିଲେ ।