କନକ ବ୍ୟୁରୋ: ଉପସ୍ଥାପିତ ହେବ ନୂଆ ସରକାରର ନୂଆ ବଜେଟ । ଆସନ୍ତା ୨୮ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ ବଜେଟ । ତେଣୁ ଏଥିପାଇଁ ଆଗତ ହୋଇଛି ବଜେଟ ଚିଠା ପ୍ରସ୍ତାବ । ରାଜ୍ୟ ମନ୍ତ୍ରିପରିଷଦ ବୈଠକରେ ଚିଠା ପ୍ରସ୍ତାବ ଆଗତ ହୋଇଛି ।
ଏଥର ବଜେଟର ପରିମାଣକୁ ବୃଦ୍ଧି କରାଯାଇଛି । ବଜେଟର ପରିମାଣ ପ୍ରାୟ ୧ ଲକ୍ଷ ୩୯ ହଜାର କୋଟିର ଚିଠା ପ୍ରସ୍ତାବ ଆଗତ ହୋଇଥିବା ସୂଚନା ମିଳିଛି । ଆଜି ବସିଥିବା ମନ୍ତ୍ରି ପରିଷଦ ବୈଠକରେ ବଜେଟ ବୃଦ୍ଧିକୁ ମଞ୍ଚୁରୀ ମିଳିଛି । ଯଦିଓ ବଜେଟର ଆକାର ନେଇ ସରକାର କୌଣସି ବିଧିବଦ୍ଧ ସୂଚନା ଦେଇନାହାନ୍ତି ତଥାପି ଏଥର କାଳିଆ ଯୋଜନା ଓ ମିଶନ ଶକ୍ତି ଯୋଜନା ପାଇଁ ଅଧିକ ବ୍ୟୟବରାଦ କରାଯାଇଥିବା ସୂଚନା ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଏଥର ନବୀନଙ୍କୁ ପଞ୍ଚମ ଥରର ସରକାର ଗଢିବାରେ ଅନେକ ମାତ୍ରାରେ ସାହାଯ୍ୟ କରିଛି ନବୀନଙ୍କ ଏହି ଲୋକାଭିମୁଖୀ ଯୋଜନା । କାଳିଆ ଯୋଜନା ଓ ମିଶନ ଶକ୍ତି ଯୋଜନା ନବୀନଙ୍କୁ ୫ମ ପାଳିର ସରକାର କରିବାରେ ଏକ ବଡ ଭୂମିକା ଗ୍ରହଣ କରିଛି । କାଳିଆ ଯୋଜନାରେ ଚାଷୀଙ୍କ ପରିବାରକୁ ପ୍ରଥମେ ୫ ହଜାର ଟଙ୍କା ପଠାଇ କୃଷକଙ୍କ ମନ ଜିଣିଥିଲେ ମୁଖ୍ୟମନ୍ତ୍ରୀ । ଆଉ ନୂଆ ସରକାର ଗଢିବା ଦିନ ହିଁ ଆଉ ୫ ହଜାର କୃଷକଙ୍କ ଖାତାକୁ ପଠାଇବେ ବୋଲି ନବୀନ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ । ବିଜୟ ପରେ ଆଉ ସରକାର କରିବା ପରେ ନବୀନ ପ୍ରତିଶ୍ରୁତି ପାଳିଲେ । ତେଣୁ ନିର୍ବାଚନ ଜିତାଇଥିବା ଯୋଜନାକୁ ଏଥର ବଜେଟରେ ଅଧିକ ଫୋକସ ଦିଆଯିବ ବୋଲି ସୂଚନା ମିଳିଛି ।
ସେହିପରି ନବୀନଙ୍କ ଅନ୍ୟ ଏକ ଲୋକାଭିମୁଖୀ ଯୋଜନା ହେଉଛି ମହିଳାଙ୍କ ପାଇଁ ଉଦିଷ୍ଟ ମିଶନ ଶକ୍ତି ଯୋଜନା । ଚଳିତ ନିର୍ବାଚନରେ ମହିଳା ଅନେକ ଗୁରୁତ୍ୱ ବହନ କରିଥିବାରୁ ନିର୍ବାଚନ ପୂର୍ବରୁ ସବୁ ଦଳ ମହିଳା କାର୍ଡ ଖେଳିଥିଲେ । ତେବେ ନବୀନ ମଧ୍ୟ ମହିଳା କାଡ ଖେଳି ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସ୍ୱାବଲମ୍ବୀ କରାଇଥିଲେ । ନିଜ ଗୋଡରେ ନିଜେ ଛିଡା ହେବାକୁ ନବୀନ ମହିଳାଙ୍କୁ ନାରା ଦେଇଥିଲେ । ଆଉ ବିଜୟ ପରେ ନୂଆ ସରକାରର ନୂଆ ବଜେଟରେ ନବୀନ ମିଶନ ଶକ୍ତି ଯୋଜନାରେ ଅଧିକ ବ୍ୟୟବରାଦ କରିଥିବା ସୂଚନା ମିଳିଛି । ତେବେ ୨୮ ତାରିଖରେ ବଜେଟ ଉପସ୍ଥାପନା ପରେ ହିଁ ସ୍ପଷ୍ଟ ହେବ କେଉଁ ଯୋଜନାକୁ କେତେ ଅର୍ଥ ମିଳୁଛି ।