ମିଶନ ୩୫୦ର ରଣନୀତି କଲେ ଶାହା : ଓଡିଶାର ସ୍ଥିତି ନେଇ ସମୀକ୍ଷା, ହେଲା ପାୱାର ପଏଂଟ ପ୍ରେଜେଣ୍ଟେସନ

36

କନକ ବ୍ୟୁରୋ : ଟାର୍ଗେଟ ୨୦୧୯ । ଆସନ୍ତା ସାଧାରଣ ନିର୍ବାଚନରେ କିପରି ବିଜେପି ଅଧିକ ସଫଳ ହେବ ସେନେଇ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଆଜି ସେନେଇ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ତିନି ଘଣ୍ଟାର ରାଜନୀତି ପାଠ ପଠାଇବା ସହ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି । ଆସନ୍ତା ନିର୍ବାଚନରେ କିପରି ଦଳ ୩୫୦ରୁ ଅଧିକ ଆସନରେ ବିଜୟୀ ହେବ ସେଥିପାଇଁ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ କାନରେ ଗୁରୁମନ୍ତ୍ର ଫୁଙ୍କିଛନ୍ତି ଅମିତ ।

ବିଶେଷ କରି ବିଜେପିର ପ୍ରଦର୍ଶନ ଭଲ ନଥିବା ରାଜ୍ୟ ପଶ୍ଚିମ ବଙ୍ଗ, କେରଳ ଓ ଓଡିଶାକୁ ଗୁରୁତ୍ୱ ଦେଇଛନ୍ତି ଅମିତ । ଏହି ସବୁ ରାଜ୍ୟ ତଥା ବିଜେପି ପ୍ରାର୍ଥୀ ପରାଜିତ ହୋଇଥିବା ଆସନଗୁଡିକୁ କିପରି ବିଜେପି ଅକ୍ତିଆର କରିପାରିବ, ସେନେଇ ପାୱାର ପଏଂଟ ପ୍ରେଜେଣ୍ଟେସନ କରିଛନ୍ତି । ଅଣବିଜେପି ଶାସିତ ରାଜ୍ୟ ଏବେ ଶାହାଙ୍କ ମୂଳ ଟାର୍ଗେଟ । ପରାଜିତ ହୋଇଥିବା ୧୫୦ଟି ଆସନରେ ବିଜୟ ପାଇଁ ବର୍ତମାନଠାରୁ ପ୍ରସ୍ତୁତି କରିବାକୁ ଶାହା ଆହ୍ୱାନ ଦେଇଛନ୍ତି । ଏହା ଛଡା ବିଜେପି ଶାସିତ ରାଜ୍ୟରେ ସରକାର ବିରୋଧୀ ହାୱାକୁ ପ୍ରତିହତ କରିବା ପାଇଁ ସାମାଜିକ କ୍ଷେତ୍ରରେ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଦିଲ୍ଲୀରେ ଅମିତ ରାଜନୀତିର ପାଠ ପଢାଉଥିବା ବେଳେ ପଶ୍ଚିମବଙ୍ଗରେ ଦଳକୁ ପରାଜୟର ମୁହଁ ଦେଖିବାକୁ ମିଳିଛି । ପଶ୍ଚିମ ବଙ୍ଗରେ ଆଜି ସମସ୍ତ ୭ଟି ସହରାଂଚଳ ନିର୍ବାଚନରେ ବିଜୟୀ ହୋଇଛି ମୋଦିଙ୍କ ମୁଖ୍ୟ ବିରୋଧୀ ଭାବେ ପରିଚିତ ମମତା ବାନାର୍ଜୀଙ୍କ ତୃଣମୁଳ କଂଗ୍ରେସ । କିନ୍ତୁ ଏହି ନିର୍ବାଚନ ଦଳକୁ କିଛି ମାତ୍ରାରେ ଆଶ୍ୱସ୍ତ କରିଛି । ଏହି ନିର୍ବାଚନରେ ବିଜେପି ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ବାମଦଳ ତୃତୀୟ ସ୍ଥାନକୁ ଖସିଛି । ଏହାପରେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ କିପରି ମାତ୍ ଦିଆଯିବ ସେନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ଅମିତ ଶାହ ।

କେବଳ ପଶ୍ଚିମବଙ୍ଗ ନୁହେଁ ରାଜନୀତିର ଚାଣ୍ୟକଙ୍କ ନଜରରେ ଓଡ଼ିଶା ମଧ୍ୟ ରହିଛି । ପୂର୍ବରୁ ଓଡିଶା ଗସ୍ତ ଅବସରରେ ଅମିତ ଶାହ ରାଜ୍ୟରେ ୧୨୦ ବିଧାନସଭା ଆସନ ଅକ୍ତିଆର କରିବା ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ଯାହା ତାଙ୍କ ଓଡ଼ିଶା ଦଖଲ ଷ୍ଟ୍ରାଟେଜିକୁ ଦର୍ଶାଉଛି ।

ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ହୋଇଥିବା ଏହି ବୈଠକରେ ଅନନ୍ତ କୁମାର, ରବିଶଙ୍କର ପ୍ରସାଦ, ଜେପି ନଡ୍ଡା, ପିୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ ସମେତ ୩୧ ଜଣ ମନ୍ତ୍ରୀ ଓ ନେତା ଉପସ୍ଥିତ ଥିଲେ । ସେମାନଙ୍କ ପାଖରୁ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାର ରିପୋର୍ଟ ମଧ୍ୟ ନେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ । ୨୦୧୪ ସାଧାରଣ ନିର୍ବାଚନରେ ଅମିତ ଶାହଙ୍କ ରଣନୀତିରେ ଉତର ପ୍ରଦେଶରୁ ଏନଡିଏ ୭୩ ଆସନରେ ବିଜୟୀ ହୋଇଥିଲା । ସେହି ପରି ପରବର୍ତୀ ସମୟରେ ଅମିତ ଶାହଙ୍କ ଷ୍ଟ୍ରାଟେଜି ଦ୍ୱାରା ବିଜେପି ୧୩ଟି ରାଜ୍ୟରେ କ୍ଷମତାକୁ ଆସିଥିବା ବେଳେ ୫ଟି ରାଜ୍ୟରେ ଶାସକ ଦଳର ସମର୍ଥନ କରୁଛି । ସେପଟେ ଆଜି ଗୋଟିଏ ପଟେ ଅମିତ ଶାହ ଦଳୀୟ ନେତାଙ୍କୁ ୨୦୧୯ ନିର୍ବାଚନର ପାଠ ପଢାଉଥିବା ବେଳେ ଆରପଟେ ରାହୁଲ ଗାନ୍ଧି ୧୮ ଦଳୀୟ ବିରୋଧୀ ଗୋଷ୍ଠୀଙ୍କ ସହ ଆଗାମୀ ନିର୍ବାଚନରେ ମୋଦିଙ୍କୁ ମାତ୍ ଦେବା ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ଆଲୋଚନା କରିଛନ୍ତି ।

ଅମିତ ୩୫୦ ଆସନ ହାତେଇବା ପାଇଁ ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାହା ଦିବାସ୍ୱପ୍ନ ବୋଲି କହିଛନ୍ତି ବିଜେଡି ନେତା ତେଜେଶ୍ୱର ପରିଡ଼ା । ସେ କହିଛନ୍ତି, ଓଡ଼ିଶାରେ ୧୨୦ ଆସନ ହାତେଇ ସରକାର ଗଠନ କରିବାକୁ ଅମିତ ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାହା ମୂଲ୍ୟହୀନ । ଓଡ଼ିଶାରେ ବିଜେପିର ସ୍ଥିତି କଣ ତାହା ଭଲ ଭାବେ ପରଖିବା ଉଚିତ୍ ।

ତେଜେଶ୍ୱରଙ୍କ ପ୍ରତିକ୍ରିୟାର ଜବାବ ରଖିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି । ସେ କହିଛନ୍ତି, ପୂର୍ବରୁ ଅମିତଙ୍କ ଷ୍ଟ୍ରାଟେଜି ଅନେକ ରାଜ୍ୟରେ ଦଳକୁ ସଫଳତା ଆଣି ଦେଇଛି । ତେଣୁ ଅମିତଙ୍କ ଷ୍ଟ୍ରାଟେଜି ଅନୁସାରେ ଏବେ ରାଜ୍ୟ ବିଜେପି କାମ କରୁଛି । ରାଜ୍ୟରେ ଦଳକୁ ମଜବୁତ କରିବା ପାଇଁ ଅମିତ ଟାକ୍ସ ଦେଇଛନ୍ତି ଯାହାର ଫଳାଫଳ ଓଡ଼ିଶାର ଜନସାଧାରଣ ଆଗାମୀ ଦିନରେ ଦେଖିବାକୁ ପାଇବେ ।