ଏସସିବିରେ ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲା ପଣ୍ଡା ! ଗୁରୁତର ଅବସ୍ଥାରେ ଆଇସିୟୁରେ ଚାଲିଛି ଚିକିତ୍ସା

35

କନକ ବ୍ୟୁରୋ : ଏସସିବିରେ ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲା ପଣ୍ଡା । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କୁ ଗତକାଲି ଠାବ କରିଥିଲା ଭୁବନେଶ୍ୱର ମଂଚେଶ୍ୱର ପୋଲିସର ସ୍ୱତନ୍ତ୍ର ଟିମ୍ । ସେ ଡିହାଇଡ୍ରେସନ ଯୋଗୁଁ ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିବା ବେଳେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବାବୁଲାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଛି ।

ଗତ ୧୬ ତାରିଖରେ ରାଜଭବନଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଗ୍ରାମୀ ପରିବାରର ଦାୟାଦଙ୍କୁ ସମ୍ବର୍ଧନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ସେ ତାଙ୍କ ବାପାମାଆଙ୍କ ସହ ଭୁବନେଶ୍ୱର ଆସିଥିଲେ । ଫେରିବା ବେଳେ ଭୁବନେଶ୍ୱର ରେଳ ଷ୍ଟେସନରୁ ନିଖୋଜ ହୋଇଯାଇଥିଲେ । ତାଙ୍କ ନିଖୋଜ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା । ବିଜେଡି ଓ ବିଜେପି ପରସ୍ପରକୁ ଦୋଷ ଦେଇଥିଲେ ।

ଆରପଟେ ସେ ଘରୋଇ କଳି ଯୋଗୁଁ ଜାଣିଶୁଣି ଘରୁ ବାହାରେ ରହିଥିବା ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେଇଥିଲେ । ତେବେ ବାବୁଲା କାହିଁକି ନିଖୋଜ ଥିଲେ ସେନେଇ ସ୍ପଷ୍ଟ ହୋଇନାହିଁ । ସେପଟେ ବାବୁଲା ଅସୁସ୍ଥ ଥିବା ଜାଣି ତାଙ୍କ ପରିବାର ଲୋକ ଚିନ୍ତା ପ୍ରକାଶ କରିଛନ୍ତି । ଏବଂ ରାଜ୍ୟ ସରକାର ଚିକିତ୍ସା ସହାୟତା ଦେବା ପାଇଁ ଅନୁରୋଧ କରିଛନ୍ତି ।

ସେପଟେ ବାବୁଲା ପଣ୍ଡାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମୀ ପଣ୍ଡାଙ୍କ ଦାୟାଦ ବାବୁଲା ପଣ୍ଡାଙ୍କୁ ଘରୋଇ ହସ୍ପିଟାଲରୁ ଉଦ୍ଧାର ପରେ ଏସସିବି ମେଡିକାଲରେ ଚିିକିତ୍ସା ପାଇଁ ଭର୍ତି କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –