ବିମାନ ଏଏନ୍-୩୨ର ମିଳିଲାନି ପତା : ନିଖୋଜ କର୍ମଚାରୀଙ୍କ ପରିବାରକୁ ଗଲା ମୃତ୍ୟୁର ଚିଠି

49

କନକ ବ୍ୟୁରୋ : ନିଖୋଜ ବାୟୁସେନା ବିମାନ ଏଏନ୍-୩୨ର ମିଳିଲାନି ପତା। ପ୍ରାୟ ଦୁଇ ମାସର ସର୍ଚ୍ଚ ଅପରେସନ ପରେ ବି ବିମାନର ପତା ନମିଳିବାରୁ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ମୃତ ବୋଲି ଧରି ନେଇଛି ଭାରତୀୟ ବାୟୁସେନା । ବିମାନରେ ଥିବା ସମସ୍ତ ଯବାନ ଏବଂ ବ୍ୟକ୍ତିଙ୍କ ବଂଚିଥିବାର ସଂଭାବନା ନାହିଁ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି । ତେଣୁ ସମସ୍ତଙ୍କୁ ମୃତ ଘୋଷଣା କରିବା ସହ ବିମାନରେ ଥିବା ୨୯ ଜଣ ଯାତ୍ରୀଙ୍କ ପରିବାର ଲୋକଙ୍କୁ ଏନେଇ ଅବଗତ କରାଯାଇଛି। ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ବାୟୁସେନାର ଏହି ବିମାନରେ ୨ଜଣ ଓଡ଼ିଆ ଯବାନ ମଧ୍ୟ ଥିଲେ । ଗଂଜାମ ଜିଲ୍ଲା ବ୍ରହ୍ମପୁର ସୁକୁଣ୍ଡାର ଚରଣ, ଏହି ବିମାନରେ ଯାତ୍ରା କରୁଥିଲେ । ସେହିପରି ଯାଜପୁର ଜିଲ୍ଲା ରଙ୍ଗରଙ୍ଗା ଗାଁର ପୂର୍ଣ୍ଣଚନ୍ଦ୍ର ସେନାପତି ଏହି ବିମାନ ଯୋଗେ ପୋର୍ଟବ୍ଲେୟାର ଆସୁଥିଲେ । ଦୀର୍ଘ ଦିନ ଧରି ପୁଅଙ୍କ ଫେରିବା ବାଟକୁ ଚାହିଁ ରହିଥିବା ବେଳେ ଏବେ ଆସିଛି ମୃତ୍ୟୁର ଚିଠି। ଗତ ଜୁଲାଇ ୨୨ ତାରିଖରେ ବାୟୁସେନାର ବିମାନ ଏଏନ୍-୩୨ , ୨୯ ଜଣ ଯାତ୍ରୀଙ୍କୁ ଧରି ଚେନ୍ନାଇରୁ ପୋର୍ଟବ୍ଲେୟାର ଅଭିମୁଖେ ଯାଉଥିବାବେଳେ ନିଖୋଜ ହୋଇଯାଇଥିଲା।