ବାୟୁସେନା ବିମାନ ଏଏନ-୩୨ର ଏଯାଏଁ ମିଳୁନି ପତ୍ତା : ନିଖୋଜ ୨୯ ଜଣ ଯାତ୍ରୀଙ୍କ ଭିତରେ ଓଡିଆ ଯୁବକ ଚରଣ ମହାରଣା

33

କନକ ବ୍ୟୁରୋ : ନିଖୋଜ ଏୟାରଫୋର୍ସ ବିମାନ ଏଏନ ୩୨ର ଏଯାଏଁ ମିଳିନି ପତା । ବାୟୁସେନା, ନୌସେନା ଓ କୋଷ୍ଟଗାର୍ଡ ମିଳିତ ଭାବେ ଜାରି ରଖିଛନ୍ତି ସର୍ଚ୍ଚ ଅପରେସନ । ଏହି ବିମାନରେ କ୍ରୁ ମେମ୍ବରଙ୍କ ସମେତ ମୋଟ ୨୯ ଜଣ ଯାତ୍ରୀ ଥିଲେ । ନିଖୋଜ ମାନଙ୍କ ଭିତରେ ଜଣେ ଓଡିଆ ଯୁବକ ଅଛନ୍ତି । ତାଙ୍କ ନାଁ ଚରଣ ମହାରଣା। ସେ ଗଂଜାମ ଜିଲ୍ଲା ଶୁକୁଣ୍ଡା ବାସିନ୍ଦା ବୋଲି ଜଣାପଡିଛି । ସେ ବାୟୁସେନାରେ ଜଣେ ଟେକ୍ନିସିଆନ ଭାବେ କାମ କରନ୍ତି । ବିମାନ ନିଖୋଜ ଖବର ପାଇବା ପରେ ତାଙ୍କ ପରିବାରରେ ଭୟର ପରିବେଶ ସୃଷ୍ଟି ହୋଇଛି । ବିମାନଟି ବିଶାଖାପାଟଣାରୁ ଚେନ୍ନାଇ ଯିବା ପରେ ଆଣ୍ଡାମାନ ଯିବା ନେଇ ପୁଅ ଖବର ଦେଇଥିଲା ବୋଲି ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି । ସେପଟେ ଏହି ବିମାନ ଶୁକ୍ରବାର ସକାଳ ୯ଟା ବେଳେ ଚେନ୍ନାଇରୁ ପୋର୍ଟ ବ୍ଲେୟାର ପାଇଁ ଉଡାଣ ଆରମ୍ଭ କରିଥିଲା । ମାତ୍ର ୧୬ ମିନିଟ ପରେ ଏହି ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଏବେ ବି ନିଖୋଜ ବିମାନକୁ ଠାବ କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି ।