ଅସ୍ତରଙ୍ଗ ପୋଲିସ କବଜାରେ ମିସ ୪୨୦ : ଚାକିରି ଦେବା ନାଁରେ ଠକେଇ ଅଭିଯୋଗ, ସହଯୋଗୀଙ୍କ ସହ ମିଶି ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ କରୁଥିଲେ ମୋଟା ଅଙ୍କର ଅର୍ଥ

66

କନକ ବ୍ୟୁରୋ : ପୋଲିସ କବଜାରେ ମିସ-୪୨୦ । ଚାକିରି ଦେବା ନାଁରେ ଠକେଇ କରିଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି ଅସ୍ତରଙ୍ଗ ପୋଲିସ । ଚାକିରିର ଲୋଭ ଦେଖାଇ ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଠକିନେଉଥିଲେ ସଂପୃକ୍ତ ମହିଳା । ଠକାମୀର ଶିକାର ହୋଇଥିବା ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିବା ପରେ ଧରାପଡିଛନ୍ତି ମିସ-୪୨୦ ।

ତେବେ ଗିରଫ ପରେ ମିସ-୪୨୦ କେତେବେଳେ ଥାନା ଭିତରେ ପୋଲିସ ଅଧିକାରୀଙ୍କ ଗୋଡ ଧରୁଛନ୍ତି ତ ଆଉ କେତେବେଳେ ମୁହଁକୁ ଲୁଚାଇ କାନ୍ଦୁଛନ୍ତି । ମିସ -୪୨୦ଙ୍କ ନାଁରେ ଅଭିଯୋଗ ହେଉଛି, ଭୁବନେଶ୍ୱରରେ ଏକ ସଂସ୍ଥା ଖୋଲି କଲେଜ ପଢୁଆ ଛାତ୍ରଛାତ୍ରୀମାନଙ୍କୁ ଚାକିରି ନାଁରେ ଠକୁଥିଲେ । ଜଣେ ସହଯୋଗୀଙ୍କ ସହ ମିଶି ବିଭିନ୍ନ ଅଂଚଳର ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ କରୁଥିଲେ । ପରେ ନିଜେ ସେମାନଙ୍କ ଘରକୁ ଯାଇ କିମ୍ବା ମଧ୍ୟସ୍ଥିଙ୍କ ଦ୍ୱାରା ଚାକିରି ପ୍ରଲୋଭନ ଦେଖାଇ ମୋଟ ଅଙ୍କର ଟଙ୍କା ଲୁଟୁଥିଲେ । ଅସ୍ତରଙ୍ଗ ଅଂଚଳର ଗୋଟିଏ ପରିବାରର ୨ଝିଅଙ୍କୁ ବିଟେକ ନାମଲେଖା ଏବଂ ଚାକିରି ଲୋଭ ଦେଖାଇ ୨୦ହଜାର ଟଙ୍କା ନେଇଥିଲେ ମିସ-୪୨୦ । ଆଉ ଭୁବନେଶ୍ୱର ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ ଟଙ୍କା ଦେଇଥିବା ପରିବାର ।

ଶେଷରେ ଲିଙ୍ଗରାଜ ଥାନାରେ ଏତଲା ଦେଇଥିଲେ ଠକେଇର ଶିକାର ହୋଇଥିବା ପରିବାର । ଲିଙ୍ଗରାଜ ଥାନା ଅସ୍ତରଙ୍ଗ ପୋଲିସକୁ ଜଣାଇବା ପରେ ଠକ ଯୁବତୀ ଓ ତାର ସହଯୋଗୀଙ୍କୁ ଗିରଫ କରାଯାଇଛି । ଆଉ କେଉଁମାନେ ଏହି ମିସ-୪୨୦ଙ୍କ ଠକାମୀର ଶିକାର ହୋଇଛନ୍ତି ସେନେଇ ପୋଲିସ ଅଧିକ ଖୋଳତାଡ କରୁଛି ।