ସିବିଆଇର ପରିଚୟ ଦେଇ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ । ୭୦ ଗ୍ରାମର ଅଳଙ୍କାର ଲୁଟି ଦଂପତିଙ୍କୁ ଧରାଇଦେଲେ କାଠଗୁଣ୍ଡର ପୁଡିଆ

ଲୁଟର ଶିକାର ଦଂପତିଙ୍କ ଅଭିଯୋଗ ପରେ ବ୍ରହ୍ମପୁର ପୁଲିସର ଛାନଭିନ

134

କନକ ବ୍ୟୁରୋ: ସିବିଆଇ ଅଧିକାରୀ ପରିଚୟ ଦେଇ ବୃଦ୍ଧ ଦଂପତିଙ୍କ ଠାରୁ ସୁନା ଗହଣା ଲୁଟ୍ । ଦିନ ଦ୍ୱିପହରରେ ବ୍ରହ୍ମପୁର ସହରରେ ଘଟିଛି ଏପରି ଲୁଟ ଘଟଣା । ପ୍ରଥମେ ନିଜକୁ ସିବିଆଇ ଅଧିକାରୀର ପରିଚୟ ଦେଇ ଦୁଇ ଲୁଟେରା ବୃଦ୍ଧ ଦଂପତିଙ୍କ ଠାରୁ ପ୍ରାୟ ୭୦ ଗ୍ରାମର ସୁନା ଗହଣା ଲୁଟ କରି ଫେରାର ହୋଇଯାଇଛନ୍ତି । ଏନେଇ ଅଭିଯୋଗ ପାଇ ବୈଦନାଥ ଥାନା ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗତକାଲି ଭୁବନେଶ୍ୱରରୁ ଭାସ୍କର ପାତ୍ର ଓ ତାଙ୍କ ପତ୍ନୀ ରାଜ କୁମାରୀ ପାତ୍ର ଏକ ବାହଘର ଭୋଜିରେ ଯୋଗ ଦେବାକୁ ବ୍ରହ୍ମପୁର ଆସିଥିଲେ । ଦିନ ପ୍ରାୟ ସାଢେ ୧୧ଟାରେ କଲ୍ୟାଣମଣ୍ଡପ ଯାଉଥିବା ବେଳେ ରାସ୍ତାରେ ଦଂପତିଙ୍କୁ ଅଟକାଇ ୨ ଜଣ ଦୁର୍ବୃତ୍ତ ନିଜକୁ ସିବିଆଇ ଅଧିକାରୀର ପରିଚୟ ଦେଇଥିଲେ । ଏଥିସହ ରାସ୍ତାରେ ଚୋରଙ୍କ ପ୍ରାଦୁର୍ଭାବ ଥିବାରୁ ଏକ କାଗଜ ପୁଡିଆ ଦେଇ ସୁନା ଗହଣା ରଖିବାକୁ କହିଥିଲେ । ସେହି ସମୟରେ ସାହାଯ୍ୟ କରିବା ବାହାନାରେ ଦୁଇ ଦୁର୍ବୃତ୍ତ ପୁଡିଆ ବଦଲାଇ ଦେଇ କଳା ପଲସର ବାଇକରେ ଫେରାର ହୋଇଯାଇଥିଲେ ।

ତେବେ ଦଂପତିଙ୍କ ସନ୍ଦେହ ହେବାରୁ ପୁଡିଆ ଖୋଲି ଦେଖିବା ବେଳକୁ ସେଥିରେ କାଠଗୁଣ୍ଡ ରହିଥିଲା । ଖବର ପାଇ ବେଦନାଥ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛି । ସେହି ରାସ୍ତାରେ ଥିବା ସମସ୍ତ ସିସିଟିଭି ଫୁଟେଜ ଜବତ କରିବା ସହ ୨ ଦୁର୍ବୃତ୍ତଙ୍କୁ ଚିହ୍ନଟ ସହ ଗିରଫ ଉଦ୍ୟମ କରାଯାଉଛି ।