ପୁରୁଷଙ୍କ ପାଇଁ ଲଜ୍ଜା ! ସୋସିଆଲ୍ ମିଡିଆରେ ପୀଡିତାଙ୍କ କାହାଣୀ ଭାଇରାଲ୍

27

କନକ ବ୍ୟୁରୋ : ରାଜଧାନୀରେ ଯୁବତୀଙ୍କୁ କମେଂଟମରା ଘଟଣାରେ ପଦାକୁ ଆସୁଛି ସାଂଘାତିକ ସତ । ନନ୍ଦନକାନନ ନିକଟରେ ଗତକାଲି କିଛି ଅସାମାଜିତ ଯୁବକ କିଛି ଯୁବତୀଙ୍କୁ ଘେରି ଯାଇଥିବା ବେଳେ କଣ କରୁଥିଲେ ଦେଖଣାହାରୀ । କୁଆଡେ ଗଲା କମିଶନରେଟ୍ ପୁଲିସ । ଏନେଇ ଆଜି ମୁହଁ ଖୋଲିଛନ୍ତି ଦୁଇ ପୀଡିତା । କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ତାମସା ଦେଖୁଥିଲେ, ଆଉ ପୁଲିସର ଚରିତ୍ର ବଦମାସଙ୍କ ଠାରୁ ଆହୁରି ଖରାପ ହୋଇପଡିଥିଲା । ଏନେଇ ପୀଡିତାଙ୍କ ଫେସବୁକ୍ ପୋଷ୍ଟ ଭାଇରାଲ ହୋଇଛି ।

ରାଜଧାନୀର ଲଜ୍ଜା । ଅସାମାଜିକ ବ୍ୟକ୍ତିଙ୍କ କମେଂଟ୍ ଠାରୁ ବଳିଗଲା ପୁଲିସର କମେଂଟ୍ । ଅଭିଯୁକ୍ତଙ୍କ ଅଶ୍ଳୀଳ ଇଙ୍ଗିତ ଠାରୁ ବଳିଗଲା ପୁଲିସର ନିଷ୍ଠୁର ବ୍ୟବହାର । ଏମିତି କିଛି ଅନୁଭୂତିକୁ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି କମେଂଟର ଶିକାର ହୋଇଥିବା ବୈଶାଳୀ ବିଶ୍ୱାଳ । ସ୍ପଷ୍ଟ ଭାବେ ଲେଖିଛନ୍ତି, ଯୁବକ ମାନେ ଅସଦାଚରଣ ପ୍ରଦର୍ଶନ କରୁଥିବା ବେଳେ ୩୦ରୁ ଅଧିକ ପୁରୁଷ ଦେଖଣାହାରୀ ସାଜିଥିଲେ । ଏପରିକି ପାଖରେ ଥାନା ଥାଇ ପୁଲିସ୍ ୪୦ ମିନିଟ୍ ପରେ ପହଂଚିଲା । ଆଉ ବିଳିମ୍ବ କାରଣ ପଚାରିବାରୁ, ଭ୍ୟାନରେ ତେଲ ନଥିଲା ବୋଲି କମେଂଟ ମାରିଥିଲା ।

କମେଂଟର ଶିକାର ହୋଇଥିବା ଆଉଜଣେ ଯୁବତୀ ହେଲେ ସମତା ମିଶ୍ର । ଅଭିଯୋଗ ମୂତାବକ ୭ରୁ ଅଧିକ ଯୁବକ ରଘୁନାଥପୁର ଠାରେ ସମତା, ବୈଶାଳୀ ଓ ଅନ୍ୟ ଦୁଇଜଣଙ୍କୁ ଅଟକାଇ ଅଶ୍ଳୀଳ କମେଂଟ କରିବା ସହ ପୁରୁଷ ବନ୍ଧୁଙ୍କୁ ଆକ୍ରମଣ କରିଥିଲେ । ସେପଟେ ଫେରାର୍ ପୁଲିସ୍ ଆରମ୍ଭ କରିଛି ତନାଘନା । ରଘୁନାଥପୁରରେ ରେଡ୍ ବେଳେ ଜଣେ ଯୁବକ ଫେରାର୍ ହୋଇଯାଇଥିବା ବେଳେ କିଛି ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ସେପଟେ ଡିସିପି କହିଛନ୍ତି ଘଟଣାର ତଦନ୍ତ ସହ ପୁଲିସ୍ କାହିଁକି ବିଳମ୍ବରେ ପହଂଚିଲା ସେନେଇ ମଧ୍ୟ ଯାଂଚ ହେବ ।

ପଛରେ ଇନଫୋସିଟି ଥାନା ପାଖରେ ନନ୍ଦନକାନନ ଥାନା । କମିଶନରେଟ୍ ପୁଲିସର ଦୁଇଦୁଇଟି ଥାନା ମଝିରେ ବିଚ ରାସ୍ତାରେ ଯୁବତୀଙ୍କୁ କମେଂଟ ଓ ଯୁବକଙ୍କୁ ମାଡ । ଅସୁରକ୍ଷିତ ରାଜଧାନୀର ଏ ଚିତ୍ର ସମସ୍ତଙ୍କୁ ବିବ୍ରତ କରିଛି ।