ଗ୍ରାହକ ହୋଇ ସୁନା ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ସିସିଟିଭିରେ କଏଦ ହେଲା ଲୁଟର ଲାଇଭ ଦୃଶ୍ୟ

୨୦ ଲକ୍ଷ ଟଙ୍କାର ଗହଣା ଲୁଟ୍ ଅଭିଯୋଗ

201

କନକ ବ୍ୟୁରୋ: ସୁନା କିଣିବା ବାହାନାରେ ଗହଣା ଦୋକାନ ଲୁଟିନେଲେ ଦୁବୃର୍ତ୍ତ । କେନ୍ଦ୍ରାପଡ଼ା ରାଜନଗରରେ ଏହି ଘଟଣା ଘଟିଥିବା ବେଳେ ସିସିଟିଭିରେ ଲୁଟ୍ ଘଟଣା କଏଦ୍ ହୋଇଛି । ଆଜି ପ୍ରାୟ ୧୦ଟା ବେଳେ ରାଜନଗର ହଂସୁଆ ସେତୁ ନିକଟରେ ଥିବା ଶ୍ରୀମତି ଅଳଙ୍କାର ଓ କଂସା ବାସନ ଦୋକାନକୁ ଜଣେ ଯୁବକ ଗହଣା କିଣିବା ବାହାନାରେ ଆସି ଲକେଟ୍ ଦେଖାଇବାକୁ କହିଥିଲେ ।

ଏହାପରେ ଦୋକାନୀ ଯୁବକଙ୍କୁ ସୁନା ଚେନ୍ ଦେଖାଇଥିଲେ । ଏହି ସମୟରେ ଅନ୍ୟଜଣେ ଯୁବକ ରୂପା ପଟି ଦେଖାଇବାକୁ କହିଥିଲେ । ଦୋକାନୀ ଗ୍ରାହକଙ୍କୁ ରୂପା ପଟି ଦେଖାଉଥିବା ବେଳେ ପ୍ରଥମ ଯୁବକ ଜଣକ ଅଳଙ୍କାର ଭର୍ତି ବ୍ୟାଗ୍ ନେଇ ଚମ୍ପଟ୍ ମାରିଥିଲେ ।

ପରେ ଦ୍ୱିତୀୟ ଯୁବକ ମଧ୍ୟ ସେଠାରୁ ଚାଲିଯାଇଥିଲେ । ଏହି ଲୁଟ୍ ଘଟଣା ସିସିଟିଭିରେ କଏଦ୍ ହୋଇଥିବା ବେଳେ ଲୁଟ୍ ସୁନାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଅନ୍ୟପଟେ ସିସିଟିଭି ଆଧାରରେ ପୁଲିସ୍ ଛାନଭିନ୍ ଚଳାଇଛି ।