ବନ୍ଧୁକ ଦେଖାଇ ସୁନା ଦୋକାନରୁ ଲୁଟ୍ । କଟକ ସିଡିଏ ଅଞ୍ଚଳରେ ଲୁଟେରାଙ୍କ ଉତ୍ପାତ

ସେପଟେ ଝାରସୁଗୁଡାରେ ଘରେ ପଶି ୨୧ ଲକ୍ଷ ଟଙ୍କା ଲୁଟିନେଲେ ୧୨ ଦୁର୍ବୃତ୍ତ

107

କନକ ବ୍ୟୁରୋ: ବନ୍ଧୁକ ଦେଖାଇ ସୁନା ଦୋକାନରୁ ଲୁଟ । ସିସିଟିଭିରେ କଏଦ ହେଲା ପୂରା ଘଟଣା । କଟକ ସିଡିଏ ଅଂଚଳରେ ଲୁଟେରାଙ୍କ ଉତ୍ପାତକୁ ନେଇ ଚାଂଚଲ୍ୟ ସୃଷ୍ଟି ହୋଇଛି । ସେକ୍ଟର ୬ରେ ଥିବା ଶ୍ରୀରାମ ଜୁଏଲାରୀରେ ୪ ଜଣ ଦୁର୍ବୃତ୍ତ ପଶି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରିଛନ୍ତି । ଦୋକାନରୁ ପ୍ରାୟ ଅଢେଇ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏକ କାରରେ ଆସିଥିବା ୪ ଜଣ ଡକାୟତଙ୍କ ମଧ୍ୟରୁ ୩ ଜଣ ଖସି ପଳାଇଥିବା ବେଳେ ଜଣକୁ କାବୁ କରିଦେଇଥିଲେ ସ୍ଥାନୀୟ ଲୋକ । ଏହା ପରେ ତାକୁ ନିସ୍ତୁକ ମାଡ ମାରିବା ପରେ ମର୍କତନଗର ପୁଲିସ ଜିମା ଦେଇଥିଲେ ।

ଗତକାଲି ରାତି ପ୍ରାୟ ୯ଟା ୩୦ରେ ସିଡିଏ ସେକ୍ଟର ୬ ରେ ଥିବା ଶ୍ରୀରାମ ଜୁଏଲାରୀ ବାହାରେ ଏକ କାର ପହଞ୍ଚିଥିଲା । ଗାଡିରେ ଥିବା ଦୁଇ ଜଣ ଦୁର୍ବୃତ୍ତ ବାହାରି ଦୋକାନ ଭିତରକୁ ଯାଇଥିଲେ । ସାଙ୍ଗରେ ଆଣିଥିବା ବନ୍ଧୁକ ଓ ଛୁରୀ ଦେଖାଇ ଦୋକାନ ମାଲିକଙ୍କୁ ଧମକ ଦେବା ସହ ଆକ୍ରମଣ କରିଥିଲେ ।ଏହା ପରେ ସୁନା ନେଇ ଦୁର୍ବୃତ୍ତ ଚମ୍ପଟ ମାରିଥିଲେ । ଦୋକାନରୁ ଦୁର୍ବୃତ୍ତମାନେ ଯିବା ବେଳେ ସ୍ଥାନୀୟ ଲୋକ ପାଟି କରିବାରୁ ୩ ଜଣ ଖସି ପଳାଇଥିଲେ । ଜଣେ ପଛରେ ରହିଯିବାରୁ ଯାଇ ପାରିନଥିଲେ । ପୁଲିସ ଦୋକାନ ବାହାରେ ଥିବା ସିସିଟିଭି ଫୁଟେଜକୁ ଯାଂଚ କରି ତଦନ୍ତ କରିବା ସହ କାବୁ ହୋଇଥିବା ଦୁର୍ବୃତ୍ତଙ୍କୁ ପଚରାଉଚରା କରୁଛି ।

ସେପଟେ, ରାତି ଅଧରେ ଘରେ ପଶି କଳାକନା ବୁଳାଇଛନ୍ତି ଦୁର୍ବୃତ୍ତ । ଝାରସୁଗୁଡା ବାଗଡିହିରେ ଶ୍ୟାମଲାଲ ଅଗ୍ରୱାଲଙ୍କ ଘରେ ୧୨ ଦୁର୍ବୃତ୍ତ ପଶି କଳାକନା ବୁଲାଇଛନ୍ତି । ଘରର ଝରକା ବାନ୍ଧି ଏମାନେ ପଶିଥିଲେ । ଶ୍ୟାମଲାଲ ଅଗ୍ରୱାଲ ଓ ତାଙ୍କ ସ୍ତ୍ରୀଙ୍କୁ ବାନ୍ଧିଦେଇ ୨୧ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଦୁର୍ବୃତ୍ତ ଲୁଟି ନେଇଛନ୍ତି । ଘଟଣାସ୍ଥଳରେ ବାଗଡିହି ପୁଲିସ ଓ ଲଇକେରା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତବର୍ଷ ବାଗଡିହିରେ ଜଣେ ପେଟ୍ରୋଲ ପମ୍ପ ମାଲିକ ଓ ଅନ୍ୟ ଜଣେ ବ୍ୟବସାୟୀଙ୍କ ଘରୁ ମଧ୍ୟ ଡକାୟତି ହୋଇଥିଲା ।