ବାହା ବେଦୀକୁ ବାଟବରଣ ବେଳେ ବରକୁ ଲୁଟିଲା ଚୋର । ବର ସାଥୀରେ ଗଲେ, ପକେଟରେ ହାତ ପୁରାଇ ଲୁଟିନେଲେ ଟଙ୍କା ଓ ମୋବାଇଲ

351

କନକ ବ୍ୟୁରୋ: ବାହାଘର ବେଳେ ବରଠାରୁ ଲୁଟ୍ । ବର ପକେଟରେ ହାତ ପୁରାଇ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ରାଜଧାନୀ ଭୁବନେଶ୍ୱରରେ ଘଟିଛି ସମସ୍ତଙ୍କୁ ଚକିତ କଲାଭଳି ଏହି ଘଟଣା । ଗତ ୨୭ ତାରିଖରେ ଏହି ଲୁଟ୍ ହୋଇଥିବା ବେଳେ ସଂପୃକ୍ତ ବର ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଗତ ୨୭ ତାରିଖରେ ପୁରୁଣା ଭୁବନେଶ୍ୱର ଅଂଚଳରେ ଚାଲିଥିଲା ବାହାଘର । କନ୍ୟାଘର ପାଖରେ ବରଯାତ୍ରୀ ପହଁଞ୍ଚିଲା ।

ପରମ୍ପରା ଅନୁସାରେ, ବରବରଣୀ ବେଳେ କନ୍ୟାର ଭାଇ ଏବଂ ସାଙ୍ଗ ବରକୁ ଉଠାଇ ବେଦୀକୁ ନେଉଥିଲେ । ଏହି ସମୟରେ ବରଯାତ୍ରୀ ବେଶରେ ଆସିଥିବା ଜଣେ ଦୁର୍ବୃତ୍ତ, ବରର ପକେଟରେ ହାତ ପୁରାଇ ଟଙ୍କା ଲୁଟିନେଇଥିଲା । ତେବେ ସେହି ସମୟରେ ସଂପୃକ୍ତ ବର ଏହା ଜାଣିପାରିନଥିଲେ । ବେଦୀରେ ଶାଳୀ ଗଣ୍ଠି ଫିଟାଇବା ବେଳେ ଟଙ୍କା ଦରକାର ପଡିଲା , ଆଉ ବର ନିଜ ପକେଟରେ ହାତ ପୁରାଇବା ବେଳେ, ଖାଲି ହୋଇଯାଇଥିଲା ପକେଟ୍ ।

ପରେ ଘର ଲୋକଙ୍କଠାରୁ ଟଙ୍କା ଯୋଗାଡ କରି ବେଦୀରେ ସମସ୍ତ କାମ କରିଥିଲେ ବର । ରାଜଧାନୀରେ ଏଭଳି ଅଭିନବ ଉପାୟରେ ଟଙ୍କା ଚୋରି ଏବେ ସମସ୍ତଙ୍କୁ ଚକିତ କରିଦେଇଛି ।