ରାଜଧାନୀର ରାଧେ ମା’! ଗ୍ରହଶାନ୍ତି ପୂଜା ନାଁରେ ବାର୍ ମାଲିକଙ୍କୁ ଲୁଟିଲେ କିନ୍ନର

36

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଧେ ମାଆ ବେଶରେ ଆସି ଲୁଟ୍ । ରାଜଧାନୀରେ ଜଣେ କିନ୍ନର ଗ୍ରହଶାନ୍ତି ପୂଜା ନାଁରେ ଜଣେ ବାର୍ ମାଲିକଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଥିଲେ । ସପ୍ତାହକ ପରେ ତାକୁ କମିଶନରେଟ୍ ପୁଲିସ୍ ଗିରଫ କରିଛି । ଆଉ ଜେରା ବେଳେ ଜାଣି ପାରିଛି ତା ଲୁଟ୍ କାହାଣୀ ।

ଅଭିଯୁକ୍ତଙ୍କ ନାଁ ହେଉଛି ସୌମ୍ୟରଞ୍ଜନ ପ୍ରଧାନ । ଦେଖିବାକୁ ଖୁବ୍ ସାଦା ସିଦା ଏହି ତୃତୀୟ ଲିଙ୍ଗି । ହେଲେ ବେଶ ବଦଳିଲେ ବଦଳିଯାଏ ତାଙ୍କ ପେଶା । ମିଠା ମିଠା କଥାରେ ଜିତି ଯାଆନ୍ତି ବିଶ୍ୱାସ । ଆଉ ଚତୁରତାର ସହ କାଟି ପାରନ୍ତି କାହାର ବି ଚିତା ।

ଡିସେମ୍ବର ୨୦୧୬ରେ ଇନଫୋସିଟିସ୍ଥିତ ବାଏ ଦ ୱେ ହୋଟେଲରେ ନାରୀ ବେଶରେ ପହଂଚିଥିଲେ ସୌମ୍ୟରଞ୍ଜନ । ଠିକ୍ ରାଧେ ମା’ଙ୍କ ଭଳି । ଆଉ ବାର ମାଲିକ ବାଦଲ ପରିଜାଙ୍କୁ ରିଷ୍ଟ ଖଣ୍ଡନ ପାଇଁ ଗ୍ରହଶାନ୍ତି ପୂଜାର ପରାମର୍ଶ ଦେଇଥିଲେ । ବେଶଭୂଷା ଓ ବ୍ୟବହାରକୁ ଦେଖି ବିଶ୍ୱାସ କରି ଯାଇଥିଲେ ବାଦଲ୍ । ଆଉ ଦିନକ ପରେ ରାଧେ ମା’ ଆରମ୍ଭ କରିଥିଲେ ପୂଜା ।

ପୂଜା ସମୟରେ ରାଧେ ମା’ ମାଗିଥିଲେ ସୁନାଗହଣା । ଏକ ରୁମାଲରେ ବାନ୍ଧି ପ୍ରାୟ ଆଢେଇ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଦେଇଥିଲେ ବାଦଲ୍ । ଅଢେଇଦିନ ବନ୍ଧା ରୁମାଲ୍ ପୂଜା ହେଲା । ହେଲେ ରୁମାଲ୍ ଖୋଲିବା ବେଳକୁ ନା ଥିଲା ସୁନା, ନା ଥିଲେ ରାଧେ ମା’ ।

ବାଦଲଙ୍କ ଅଭିଯୋଗର ସପ୍ତାହକ ପରେ ଆଠମଲ୍ଲିକରୁ ଏହି ରାଧେ ମା’ ବେଶଧାରୀ ସୌମ୍ୟରଂଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍ ।