ଗଞ୍ଜାମରେ ଅମାନବୀୟ କାଣ୍ଡ ! ଘରେ ପଶି ଭିନ୍ନକ୍ଷମ ନାବାଳିକାଙ୍କ ଗଳା କାଟି ହତ୍ୟା ଉଦ୍ୟମ କଲେ ଦୁବୃର୍ତ୍ତ

35

କନକ ବ୍ୟୁରୋ: ଗଂଜାମରେ ଅଭାବନୀୟ ଘଟଣା । ଭିନ୍ନକ୍ଷମକୁ ଗଳାକାଟି ହତ୍ୟା ଉଦ୍ୟମ ଅଭିଯୋଗ । ଜରଡା ଥାନା ଅନ୍ତର୍ଗତ ପୁହୁଣ୍ଡି ଗାଁରେ ଭିନ୍ନକ୍ଷମ ନାବାଳିକାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଛି । ନାବାଳିକାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଏନେଇ ଖବର ଜଣାପଡିବା ପରେ ପୁଲିସ ତଦନ୍ତ ଜାରି ରଖିଛି ।

ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜରଡ଼ା ଥାନା ଅନ୍ତର୍ଗତ ପୁହୁଣ୍ଡି ଗ୍ରାମରେ ଜଣେ ଭିନ୍ନକ୍ଷମ ନାବାଳିକା (୧୬ ବର୍ଷ) ପରିବାର ସହିତ ରୁହନ୍ତି । ସେ ଏକ ଭିନ୍ନକ୍ଷମ ବିଦ୍ୟାଳୟରେ ୭ମ ଶ୍ରେଣୀରେ ପଢ଼ନ୍ତି । ତେବେ ଗତକାଲି ରାତିରେ ପରିବାର ସହିତ ଖାଇ ପିଇ ନାବାଳିକା ଜଣକ ଶୋଇବାକୁ ଯାଇଥିଲେ। ଆଜି ସକାଳୁ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବାଡ଼ି ପଛପଟେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପ୍ରଥମେ ତାଙ୍କୁ ପାତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଖବର ପାଇ ପୁଲିସ ମେଡିକାଲରେ ପହଞ୍ଚିଛି । ତେବେ ଏହି ଦିବ୍ୟାଙ୍ଗ ନାବାଳିକାଙ୍କୁ  ଦୁଷ୍କର୍ମ କରାଯାଇଛି କି ନାହିଁ, ତାହା ଡାକ୍ତରମାଇନା ପରେ ହିଁ ଜଣାପଡ଼ିବ ବୋଲି ପୁଲିସ କହିଛି । ସନ୍ଦେହ କରାଯାଉଛି ଯେ, କେହି ଦୁର୍ବୃତ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଛନ୍ତି । ଏହାର ପ୍ରତିବାଦ କରିବାରୁ ତାଙ୍କୁ ଗଳା କାଟି ହତ୍ୟା ଉଦ୍ୟମ କରାଯାଇଥିବା ସନ୍ଦେହ କରାଯାଉଛି ।