ଅମୃତସର ରେଳ ଦୁର୍ଘଟଣା ଘଟିବା ପୂର୍ବର ଆଉ ଏକ ଭିଡିଓ ହେଲା ଭାଇରାଲ : ସିଙ୍ଗର ଷ୍ଟେଜ୍ ଉପରୁ ରେଳ ଲାଇନ୍ ରୁ ହଟିବାକୁ ଦେଇଥିଲେ ଚେତାବନୀ

37

ଅମୃତସର ରେଳ ଦୁର୍ଘଟଣା ଠିକ୍ ପୂର୍ବରୁ ଆୟୋଜନ ସ୍ଥଳୀରେ ହୋଇଥିବା କାର୍ଯ୍ୟକ୍ରମର ଆଉ ଏକ ଭିଡିଓ ସାମନାକୁ ଆସିଛି । ଯେଉଁଥିରେ କାର୍ଯ୍ୟକ୍ରମରେ ପ୍ରଦର୍ଶନ କରୁଥିବା ପଂଜାବୀ ସିଙ୍ଗର ରେଳବାଇ ଟ୍ରାକ୍ ଉପରେ ଛିଡା ଲୋକଙ୍କୁ ନିଜ ପ୍ରଦର୍ଶନ ମଧ୍ୟରେ ସମ୍ବୋଧିତ କରୁଥିବା ନଜର ଆସିଛନ୍ତି । ସେଥିରେ କହିଛନ୍ତି, “ଯେଉଁ ଭାଇମାନେ ସେହି ରେଳ ଲାଇନ୍ ଉପରେ ଛିଡା ହୋଇଛନ୍ତି, ମୁଁ ଜାଣିଛି ଯେ ତାଙ୍କୁ ଟ୍ରେନ୍ ଗୁଡିକର ସମୟ ଜଣା ଓ ଯେତେବେଳେ ଟ୍ରେନ୍ ଆସିବ, ସେମାନେ ଟ୍ରେନ୍ ଲାଇନ୍ ରୁ ହଟିଯିବେ ମଧ୍ୟ । କିନ୍ତୁ ମୁଁ କହିରଖୁଛି ଯେ, ଯେତେବେଳେ ଟ୍ରେନ୍ ହଠାତ୍ ଆସେ, ସେତେବେଳେ ସେ ନା କାହାକୁ ପଚାରେ ନା କାହାକୁ କହେ । ସେଥିପାଇଁ ରେଲୱେ ଲାଇନ୍ ରେ ଛିଡା ହୋଇଥିବା ବ୍ୟକ୍ତି ନିଜର ଧ୍ୟାନ ରଖନ୍ତୁ ।”

ଏହା ପୂର୍ବରୁ ଏହି ଘଟଣା ସହିତ ଜଡିତ ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ଦୁର୍ଘଟଣା ଘଟିବାର କିଛି ମିନିଟ୍ ପୂର୍ବରୁ କାର୍ଯ୍ୟକ୍ରମର ଆୟୋଜକଙ୍କୁ ଏହା କହୁଥିବା ଶୁଣାଗଲା କି, ଟ୍ରେନ୍ ଲାଇନ୍ ରେ ୫ହଜାରରୁ ଅଧିକ ଲୋକ କାର୍ଯ୍ୟକ୍ରମ ଦେଖିବା ପାଇଁ ଛିଡା ହୋଇଛନ୍ତି । ଷ୍ଟେଜରୁ ମାଇକରେ ଜଣେ ବ୍ୟକ୍ତି କହିଲେ, ମ୍ୟାଡମ୍(ନବଜୋତ୍ କୌର ସିଦ୍ଧୁ) ଏପଟେ ଦେଖନ୍ତୁ । ଲୋକମାନେ ଏହି ରେଲୱେ ଟ୍ରାକ୍ ଉପରେ ଅଛନ୍ତି, ଯେଉଁଠି ଯଦି ୫୦୦ଟି ଟ୍ରେନ୍ ବି ଅତିକ୍ରମ କରିଯିବ , ତେବେ ବି ତାଙ୍କୁ କୌଣସି ଖାତିର୍ ନାହିଁ ।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ଅମୃତସର ଘଟଣାରେ ୬୦ ଜଣ ଲୋକ ପ୍ରାଣ ହରାଇଛନ୍ତି, ଯେଉଁଥିରେ ମହିଳା ଓ ଶିଶୁ ମଧ୍ୟ ସାମିଲ ଅଛନ୍ତି । ଜୋଡା ବଜାର ଫାଟକ ପାଖରେ ରାବଣ ଦହନ ସମୟରେ ଲୋକମାନେ ଟ୍ରାକ୍ ଉପରେ ଛିଡା ହୋଇଥିଲେ । ଏହି ସମୟରେ ଟ୍ରାକ୍ ରେ ଟ୍ରେନ୍ ଆସିଗଲା ଓ ଛିଡା ଥିବା ଲୋକଙ୍କ ଉପରେ ଚଢ଼ିଗଲା ।