ଢେଙ୍କାନାଳ ଜିଲ୍ଲା ପରିଷଦ ବୈଠକରେ ମନ୍ତ୍ରୀ ବନାମ ବିଜେପି ସଭ୍ୟ । ସଭା ଚାଲିଥିବା ବେଳେ ପରିବହନ ମନ୍ତ୍ରୀ ପଚାରିଲେ ହୁ ଆର୍ ୟୁ?

38

କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ପରିଷଦ ବୈଠକରେ ମନ୍ତ୍ରୀ ବନାମ ଜିଲ୍ଲା ପରିଷଦ ସଭ୍ୟ । ପରଜଙ୍ଗ ବିଧାୟକ ତଥା ମନ୍ତ୍ରୀ ନୃସିଂହ ସାହୁଙ୍କ ସହ ବାକ୍ ବିତଣ୍ଡା କରିଛନ୍ତି ବିଜେପି ଜିଲ୍ଲା ପରିଷଦ ସଭ୍ୟ । ଭରା ସଭାରେ ମନ୍ତ୍ରୀ ସଭ୍ୟଙ୍କୁ ପଚାରିଛନ୍ତି ହୁ ଆର ୟୁ? ଯାହାର ଜବାବ ରଖି ବିଜେପି ସଭ୍ୟ ଜଣକ କହିଥିଲେ, ଆପଣ ବିଧାୟକ ବିଧାନସଭାରେ ଭାଷଣ ଦିଅନ୍ତୁ । ଏପରି ବଚସା ପରେ ସଭାଛାଡି ଚାଲିଯାଇଥିଲେ ମନ୍ତ୍ରୀ । ପରେ ତାଙ୍କୁ ମନାଇ ପରିସ୍ଥିତି ସ୍ୱାଭାବିକ କରିଥିଲେ ପରିଷଦ ସଭ୍ୟ ଓ ଅଧ୍ୟକ୍ଷା ।

ପ୍ରକୃତ ଘଟଣାଟି ଏହା ଥିଲା କି, ଢେଙ୍କାନାଳ ଜିଲ୍ଲାପରିଷଦର ୫ମ ସାଧାରଣ ପରିଷଦ ବୈଠକ ଚାଲିଥାଏ ଆଉ ଠିକ୍ ଏହି ସମୟରେ ଆରମ୍ଭ ହୋଇଯାଇଥିଲା ପାଟିତୁଣ୍ଡ । ଜିଲ୍ଲାପାଳଙ୍କ ଉପସ୍ଥିତିରେ ଯେତେବେଳେ ବୈଠକ ଆରମ୍ଭ ହେଲା ନିଜ ଅଧିକାର ବିଷୟରେ ଜାଣିବାକୁ ଚାହିଁଥିଲେ ଜିଲ୍ଲାପରିଷଦ ସଭ୍ୟ । ଜିଲ୍ଲାପାଳ ମହୋଦୟ ପ୍ରଥମେ ଆମ ଅଧିକାର ବାବଦରେ କୁହନ୍ତୁ ବୋଲି ପ୍ରଶ୍ନ କରିଥିଲେ ବିଜେପି ଜିଲ୍ଲା ପରିଷଦ ସଭ୍ୟ ରଂଜନ ପଣ୍ଡା । ଆଉ ଏଥିରେ ଉତକ୍ଷିପ୍ତ ହୋଇପଡିଥିଲେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ନୃସିଂହ ଚରଣ ସାହୁ- ହୁ ଆର ୟୁ ? ଅର୍ଥାତ ତୁମେ କିଏ? ମନ୍ତ୍ରୀଙ୍କ ପ୍ରଶ୍ନର ତତକ୍ଷଣାତ ଜବାବ ଦେଇ ରଞ୍ଜନ କହିଥିଲେ କି, ଆପଣ ଜଣେ ବିଧାୟକ । ବିଧାନସଭାରେ ଭାଷଣ ଦିଅନ୍ତୁ । ଯାହାପରେ ସଭା ଛାଡି ଚାଲି ଯାଇଥିଲେ ମନ୍ତ୍ରୀ ନୃସିଂହ ସାହୁ ।

ତେବେ ଏଭଳି ପରିସ୍ଥିତି ଏଥିପାଇଁ ଉପୁଜିଥିଲା କାରଣ ପରିଷଦ ସଭ୍ୟମାନେ ନିଜନିଜ ସମସ୍ୟା ବାବଦରେ ଆଲୋଚନା କରିବା ପୂର୍ବରୁ ନିଜ ଅଂଚଳର କେତେକ ସମସ୍ୟା ବାବଦରେ ଆଲୋକପାତ କରିବାକୁ ଚାହିଁଥିଲେ ପରଜଙ୍ଗ ବିଧାୟକ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ । ଯାହାକୁ ବିରୋଧ କରିଥିଲେ ପରଜଙ୍ଗ ଜୋନ ନଂ-୨ର ବିଜେପି ସଦସ୍ୟ ରଞ୍ଜନ ପଣ୍ଡା । ବିଧାୟକଙ୍କ ସହ ଆରମ୍ଭ କରିଦେଇଥିଲେ ବଚସା ।