ପାର୍ଲାମେଂଟର ସେଂଟ୍ରାଲ ହଲରେ ୭୫ ମିନିଟ ଧରି ଚାଲିଲା ମାଷ୍ଟର ମୋଦିଙ୍କ କ୍ଲାସ । ସାଂସଦଙ୍କୁ ଦେଲେ ୧୦ ନୂଆ ମନ୍ତ୍ର

କହିଲେ, ନୂଆ ଭାରତ ନିର୍ମାଣ ପାଇଁ ହେବ ନୂଆ ଯାତ୍ରା, ବିନା ଭେଦଭାବରେ ନିର୍ବାଚିତ ପ୍ରତିନିଧି କରନ୍ତୁ କାମ

211

କନକ ବ୍ୟୁରୋ: ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଗତକାଲି ଏନଡିଏ ବୈଠକରେ ସେ କହିିଥିଲେ, ବର୍ତମାନ ସରକାର ନୂଆ ଜୋଶରେ କାମ କରିବ । କୌଣସି ମତଭେଦ ନ ରଖି ଲୋକଙ୍କ ପାଇଁ କାମ କରିବାକୁ ସେ ସାଂସଦଙ୍କୁ ପରାମର୍ଶ ଦେଇଥିଲେ । ଏହା ସହ ମୋଦି କହିଥିଲେ, ବର୍ତ୍ତମାନ ସବକା ସାଥ ସବକା ବିକାଶ ସହ ନୂଆ ନାରା ହେବ ସବକା ବିଶ୍ୱାସ । ଏହା ସହ ଏନଡିଏ ସାଂସଦଙ୍କୁ ସେ ଅନେକ ଗୁରୁମନ୍ତ୍ର ବି ଦେଇଥିଲେ ।

 

ସଂସଦ ଭବନର ସେଂଟ୍ରାଲ ହଲରେ ଆୟୋଜିତ ଏନଡିଏ ସଂସଦୀୟ ଦଳର ବୈଠକରେ ମୋଦିଙ୍କୁ ଏନଡିଏ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା । ଏନଡିଏର ନେତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ ଶିରୋମଣି ଅକାଳି ଦଳ ମୁଖ୍ୟ ପ୍ରକାଶ ସିଂ ବାଦଲ । ଏହି ପ୍ରସ୍ତାବକୁ ଏନଡିଏର ସମସ୍ତ ସହଯୋଗୀ ଦଳର ନେତା ସମର୍ଥନ ଜଣାଇଥିଲେ । ଦିଲ୍ଲୀରେ ସଂସଦର ସେଂଟ୍ରାଲ ହଲରେ ବସିଥିବା ବୈଠକରେ ସାମିଲ ହୋଇଥିଲେ ନବ ନିର୍ବାଚିତ ସାଂସଦ ତଥା ଏନଡିଏର ବରିଷ୍ଠ ନେତୃମଣ୍ଡଳି ।

ଓଡିଶାର ବିଜୟୀ ହୋଇଥିବା ସମସ୍ତ ବିଜେପି ସାଂସଦ ମଧ୍ୟ ଯୋଗ ଦେଇଥିଲେ ଏହି ବୈଠକରେ । ସାଂସଦ ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡଙ୍ଗୀ, ଜୁଏଲ ଓରାମ, ବସନ୍ତ ପଣ୍ଡା, ସଙ୍ଗୀତା ସିଂହଦେଓ, ବିଶେଶ୍ୱର ଟୁଡୁ, ସୁରେଶ ପୂଜାରୀ ଏବଂ ନିତେଶ ଗଙ୍ଗଦେବ ମୋଦିଙ୍କୁ ସାକ୍ଷାତ କରିଥିଲେ । ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଏଥର ଓଡିଶାର ଦୁଇରୁ ତିନି ଜଣ ସାଂସଦଙ୍କୁ ମନ୍ତ୍ରୀପଦ ମିଳିବା ଚର୍ଚ୍ଚା ହେଉଛି ।