ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଆଧୁନିକ ଯୁଗର ମଣିଷ ! ନବରଙ୍ଗପୁରରେ ଡାହାଣୀ ଛଡାଇବା ବାହାନାରେ ନାବାଳିକାକୁ ନିର୍ଯାତନା

28

କନକ ବ୍ୟୁରୋ : ଏକବିଂଶ ଶତାବ୍ଦୀରେ ମଧ୍ୟ ଅନ୍ଧବିଶ୍ୱାସର ଜାଲରେ ବାନ୍ଧି ହୋଇ ରହିଛନ୍ତି ଆଜିର ଲୋକ । ଆଉ ଏହାର ଏକ ନିଚ୍ଛକ ଉଦାହରଣ ନବରଙ୍ଗପୁରରେ ଦେଖିବାକୁ ମିଳିଛି । ଡାହାଣୀ ଛଡାଇବା ନାଁରେ ନାବାଳିକାକୁ ଦିଆଯାଉଛି ନିର୍ଯାତନା । ନାବାଳିକା ଜଣକୁ ୪ଜଣ ଯୁବକ ଓ ଜଣେ ମହିଳା ଜୋରଜବରଦସ୍ତ ହାତ ଗୋଡ ଧରି ବାନ୍ଧି ରଖିବା ସହ ନିର୍ଯ୍ୟାତନା ଦେଇଛନ୍ତି ।ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ମୋତି ଗାଁରେ ।

ଗାଁର ଜଣେ ନାବାଳିକା ଭଣ୍ଡାରୀ ନଦୀ ନିକଟକୁ କାମ କରିବାକୁ ଯାଇ ଫେରିଲା ପରେ ଅସ୍ୱାଭାବିକ ବ୍ୟବହାର କରିଥିବା ପରିବାର ଲୋକେ କହିଛନ୍ତି । ଏଥିପାଇଁ ସେମାନେ ଗୁଣିଆକୁ ଡାକିଥିଲେ । ତେବେ ଡାହାଣୀ ଲାଗିଥିବା କହି ଗୁଣିଆ ଓ କିଛି ଯୁବକ ଜୋରଜବରଦସ୍ତ ନାବାଳିକାକୁ ଧରିଥିଲେ । ନାବାଳିକାଟି କାନ୍ଦି କାନ୍ଦି ଛଟପଟ ହେଉଥିଲେ ମଧ୍ୟ କେହି ଏହାପ୍ରତି କର୍ଣ୍ଣପାତ କରିନଥିଲେ । ବେଶ କିଛି ସମୟ ଧରି ଏଭଳି ଘଟଣାଟି ଘଟିଥିଲେ ମଧ୍ୟ ସମସ୍ତେ ଦେଖିକି ଚୁପ୍ ରହିଥିଲେ । ତେବେ ଝଡାଫୁଙ୍କା ପରେ ନାବାଳିକାଟି ଭଲ ହୋଇଯାଇଥିବା ଗୁଣିଆ ଜଣକ ଦାବି କରିଛନ୍ତି ।