ମରିଗଲା ମୟୁରଭଞ୍ଜର ‘ପରୀ’! ସାଇକେଲ ଶିଖାଇବାକୁ ଡାକିନେଇ…

83

କନକ ବ୍ୟୁରୋ : ମରିଗଲା ମୟୂରଭଞ୍ଜର ପରୀ । କିଛି ଜାଣି ନଥିବା ୯ବର୍ଷର ନାବାଳିକାକୁ ମେଲଣ ଦେଖାଇବାକୁ ଡାକି ନେଇ ଜଙ୍ଗଲରେ ଦୁଷ୍କର୍ମ କରିବା ପରେ ଅତି ନୃଶଂସ ଭାବେ ତଂଟିଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ନିକଟସ୍ଥ ଜଙ୍ଗଲରୁ ଦିନକ ପରେ ମୃତଦେହ ଉଦ୍ଧାର କରାଯାଇଛି । ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏପଟେ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ତ୍ୱରିତ ବିଚାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ରଜର ମଉଜ ଭିତରେ ମୟୁରଭଞ୍ଜରୁ ଆସିଛି ଏଭଳି ଏକ ଚିତ୍ର, ଯାହା ଆପଣ ଦେଖି ପାରିବେ ନାହିଁ କିମ୍ବା ଯାହାକୁ ଆମେ ଦେଖାଇବାକୁ ମଧ୍ୟ ସମର୍ଥ ନୁହେଁ, ଏହି ଚିତ୍ର ହିଁ କରୁଛି କେତେ ଅସୁରକ୍ଷିତ ଆମ କୋମଳମତି ଶିଶୁ । ଜଙ୍ଗଲ ଭିତରେ ପଡି ରହିଥିବା ନାବାଳିକାର ମୃତଦେହ, ହିଁ ସୂଚାଇ ଦେଉଛି-ଆମ ସମାଜ ଭିତରେ କେମିତି ଘୁରିବୁଲୁଛନ୍ତି ମଣିଷ ରୁପରେ ପଶୁ ।
ଜଣେ ଚତୁର୍ଥ ଶ୍ରେଣୀର ନାବାଳିକାକୁ ଜଙ୍ଗଲ ଭିତରେ ଦୁଷ୍କର୍ମ ପରେ ହତ୍ୟା କରିବା ଭଳି ଖବର ପୁଣି ଥରେ ସାରା ଓଡ଼ିଶାକୁ ଦୋହଲାଇ ଦେଇଛି । ରଜ ପର୍ବ ବୁଲେଇ ନେବାର ବାହାନା କରି ଟେକି ନେଇଥିବା ସୈତାନ, ଜଣେ ୯ବର୍ଷର ନାବାଳିକା ସହ ଏମିତି କିଛି କରିଗଲା, ଯାହା ପୁରା ସଭ୍ୟ ସମାଜର ମୁଣ୍ଡକୁ ଲଜ୍ଜ୍ୟାରେ ନୁଆଁଇ ଦେଇଛି ।

୧୫ ଜୁନ୍ । ଅପରାହ୍ନ ସାଢ଼େ ୩ଟା ସମୟରେ ବେତନଟୀ ଥାନା ଗରୁଡ଼ବଶା ଗାଁ ଦାଣ୍ଡରେ ଖେଳୁଥିବା ଜଣେ ୯ବର୍ଷର ନାବାଳିକା ଉପରେ ପଡ଼ିଥିଲା ମଣିଷ ରୁପୀ ସୈତାନ-ଜାମିନିକାନ୍ତ ମହନ୍ତର ନଜର । ସାଇକେଲ ଶିଖିବାକୁ ବେଶ ଆଗ୍ରହୀ ଥିବା ଏହି ନାବାଳିକାକୁ ସାଇକେଲ ଶିଖାଇ ଦେବା ବାହାନା କରିବା ସହ ପାଖ ଗାଁରେ ହେଉଥିବା ରଜ ପର୍ବର ଦେଖାଇ ନେବାକୁ କହି ସାଇକେଲରେ ବସାଇ ଗାଁ ପାଖ ଜଙ୍ଗଲକୁ ଟେକି ନେଇଥିଲା । ଆଉ ସାଇକେଲରେ ବସାଇ ନେବାର ବି ଦେଖିଥିଲେ ଗାଁର ଲୋକ । ହେଲେ ଫେରିଲା ବେଳକୁ ଏକା ଫେରିଥିଲା ଜାମିନିକାନ୍ତ । ସନ୍ଧ୍ୟା ଯାଏଁ ଝିଅ ଘରକୁ ନଫେରିବାରୁ ସନ୍ଦେହ ବଢ଼ିଥିଲା ।

ଆଉ ରାତି ସାରା ଖୋଜାଖୋଜି କରିବା ପରେ ଜଙ୍ଗଲ ଭିତରୁ ଯେଉଁ ଚିତ୍ର ସାମ୍ନାକୁ ଆସିଲା ତାହା ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରି ଦେଇଥିଲା । ଆଉ ଥରି ଉଠିଥିଲା ପୂରା ଅଞ୍ଚଳର ଛାତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଘଟଣାର ତୁରନ୍ତ ବିଚାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୃତ ଶିଶୁଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମଧ୍ୟ ଘୋଷଣା କରଛନ୍ତି ମୁଖ୍ୟମନ୍ତ୍ରୀ ।