ଜୟପୁରରେ ନାବାଳିକା ଗଣଦୁଷ୍କର୍ମ ଘଟଣା ! ଦୋଷୀଙ୍କୁ ଗିରଫ ଦାବିରେ କୋରାପୁଟରେ ଏନଏଚ ଅବରୋଧ, ଗାଡି ଚଳାଚଳ ଠପ୍

24

କନକ ବ୍ୟୁରୋ: କୋରାପୁଟ ଜିଲ୍ଲାରେ ଯବାନଙ୍କ ଏହି ଜଘନ୍ୟକାଣ୍ଡକୁ ନେଇ ଜଳିଲା ପ୍ରତିବାଦର ନିଆଁ । ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶତାଧିକ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଗତକାଲିଠାରୁ ଏହି ଆନ୍ଦୋଳନ ଜାରି ରହିଛି । କୋରାପୁଟରେ ଜାତୀୟ ରାଜପଥ ଅବରୋଧ କରାଯାଇଛି । କୁନ୍ଦୁଲିରେ ଏନଏଚ-୨୬ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି । ବିଶାଖାପାଟଣା-ଜୟପୁର ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦୋଷୀଙ୍କୁ ଗିରଫ ଦାବିରେ ଆନ୍ଦୋଳନକାରୀ ଅଡି ବସିଛନ୍ତି । ପୋଲିସ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଛନ୍ତି ।

ସୂଚନା ମୁତାବକ, ମାଓବାଦୀଙ୍କ କବଳରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ମୁତୟନ ହୋଇଥିବା ଯବାନଙ୍କ ବିରୋଧରେ ଆସିଥିଲା ଜଘନ୍ୟ ଅଭିଯୋଗ । କୋରାପୁଟରୁ ପାଖାପାଖି ଶହେ କିଲୋମିଟର ଦୂର ସେମିଳିଗୁଡାରେ ଜଣେ ନୀରିହ ନାବାଳିକାକୁ ସୁରକ୍ଷାକର୍ମୀ ମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସଂପୃକ୍ତ ନବମ ଶ୍ରେଣୀ ଛାତ୍ରୀଙ୍କୁ କୋବ୍ରା ବାଟାଲିୟନର ୪ ଜଣ ଯବାନ ଜଙ୍ଗଲ ମଧ୍ୟରେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ବି ସଂକଟାପନ୍ନ ରହିଛି । ସେପଟେ ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ଘଟଣାକୁ ଅମାନବୀୟ କହି କଡା ସ୍ୱରରେ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଯବାନଙ୍କ ପୋଷାକରେ ଥିବା ୪ ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ପୀଡ଼ିତା ନାବାଳିକା ତାଙ୍କ ବୟାନରେ କହିଛନ୍ତି । ନାବାଳିକାଙ୍କ ଏହି ବୟାନ ପରେ ସନ୍ଦେହ ଘେରରୁ ଚାଲି ଆସିଛନ୍ତି କୋରାପୁଟରେ ରହୁଥିବା ରିଜର୍ଭ ଫୋର୍ସର ଯବାନ । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଏସଏଫ୍ । ଘଟଣା ଘଟିଥିବା ଅଂଚଳକୁ ବିଏସଏଫ୍ ଅପରେସନ୍ ପାଇଁ ଯାଇନାହିଁ ବୋଲି କହିଛନ୍ତି ଡିଆଇଜି ଜେ.ସି ନାୟକ । ଅନ୍ୟପଟେ, ଏହି ଘଟଣାରେ ପୁଲିସ୍ ଡିଜି ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ଘଟଣାରେ ଯେକେହିବି ସଂପୃକ୍ତ ଥାଆନ୍ତୁ ନା କାହିଁକି, ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଡିଜି ସୂଚନା ଦେଇଛନ୍ତି ।