ବରଗଡରେ ଚାଂଚଲ୍ୟ: ଟାଙ୍ଗିଆରେ ହାଣି ଶିକ୍ଷକଙ୍କୁ ହତ୍ୟା, ଝିଅ ଗୁରୁତର । ଆତ୍ମସମର୍ପଣ କରି ଅଭିଯୁକ୍ତ କହିଲା, ଭୁଲରେ ମାରିଦେଲି

31

କନକ ବ୍ୟୁରୋ: ଟାଙ୍ଗିଆରେ ହାଣି ଶିକ୍ଷକଙ୍କୁ ହତ୍ୟା । ଏଭଳି ଏକ ଜଘନ୍ୟ ଘଟଣା ଘଟିଛି ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଖଇରପାଲି ଗାଁରେ । ସାଧୁ ଚରଣ ପ୍ରଧାନ ନାମକ ଜଣେ ଶିକ୍ଷକଙ୍କୁ ବିଳମ୍ବିତ ରାତିରେ ହତ୍ୟା କରାଯାଇଛି । ମାପାଲି ଗାଁର ନଗେନ୍ ଦାସ ଟାଙ୍ଗିଆରେ ହାଣି ପକାଇବାରୁ ସାଧୁଚରଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ଘର ଅତାବିରା ଥାନା ସରଣ୍ଡା ଗାଁରେ ହୋଇଥିବା ବେଳେ ସେ ଅମ୍ଭାଭୋନାରେ ସିଆରସିସି ଭାବେ କାର୍ଯ୍ୟରତ ଥିଲେ । ଅଭିଯୁକ୍ତର ଆକ୍ରମଣରେ ମୃତକଙ୍କ ଝିଅ ସସ୍ମିତା ପ୍ରଧାନ ମଧ୍ୟ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ବଡ ମେଡିକାଲରେ ଭର୍ତି କରାଯାଇଛି । ତେବେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ନଗେନ୍ ଦାସ ଅମ୍ବାଭୋନା ଥାନାରେ ଆତ୍ମସମର୍ପଣ କରିଛି । ଅନ୍ୟଜଣଙ୍କୁ ହତ୍ୟା କରିବାକୁ ଯାଇ ଭୁଲରେ ସାଧୁଚରଣଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ କହିଛି ଅଭିଯୁକ୍ତ ।

ସେପଟେ ବରଗଡ ଜିଲ୍ଲା ଭଟଲି ବ୍ଲର ବିଜେପି ଅଫିସ ଆଗରେ ଫୁଟିଛି ଗୁଳି । ଏଥିରେ ଜଣକର ମୃତ୍ୟୁ ହୋଇଛି । ମୃତକଙ୍କ ନାଁ ବୁଲୁ ସତନାମୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରୁ ପିସ୍ତଲ ଓ ଖୋଜା ଜବତ କରିଛି । ମିଳିଥିବା ଖବର ଅନୁସାରେ, ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଭଟଲି ଦଳୀୟ ଅଫିସରେ ଗତକାଲି ଦଳୀୟ ଅଫିସରେ କାଯ୍ୟକର୍ତାଙ୍କ ବୈଠକ ବସିଥିଲା । ଆଉ ବୁଲୁ ନିଜ ସାଙ୍ଗଙ୍କ ସହ ପାର୍ଟି ଅଫିସକୁ ଆସିଥିଲେ । ଏହି ସମୟରେ ଅଫିସ ବାହାରେ ଗୁଳି ଫୁଟିଥିଲା । ଗୁଳି ବୁଲୁଙ୍କ ଦେହରେ ବାଜିଥିଲା । ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ବରଗଡ ନିଆଯାଇଥିଲା । ପରେ ବୁର୍ଲା ମେଡିକାଲକୁ ନିଆଯିବା ବାଟରେ ସେ ପ୍ରାଣ ହରାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ତନାଘନା ଆରମ୍ଭ କରିଛି । ଏହା ରାଜନୈତିକ ଶତ୍ରୁତାର ପରିଣତି ବୋଲି ଚର୍ଚ୍ଚା ହେଉଛି ।