କାହିଁକି ବଦଳିଲା ନବୀନଙ୍କ ମନ୍ତ୍ରିମଣ୍ଡଳ ? ସମୀକ୍ଷକ କହିଲେ, ଭାବମୂର୍ତୀ ବଂଚାଇବା ପାଇଁ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ

62

କନକ ବ୍ୟୁରୋ: ୧୭ ବର୍ଷ ଶାସନରେ ନବୀନଙ୍କ ମନ୍ତ୍ରିମଣ୍ଡଳର ସବୁଠାରୁ ବଡ ଧରଣର ଅଦଳ ବଦଳ । ଆଜି ଦିନ ତମାମ ରାଜ୍ୟ ରାଜନୀତିକୁ ସରଗରମ କରି ରଖିଥିଲା ସଚିବାଳୟ ତୃତୀୟ ମହଲାର ଏହି ହଟଚମଟ । ଅନେକ ପ୍ରଭାବଶାଳୀ ଯୁବ ନେତାଙ୍କ ସମେତ ନବୀନ ମନ୍ତିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ୯ ଜଣ । ଆଉ ସ୍ୱେଚ୍ଛାକୃତ ଭାବେ ମନ୍ତ୍ରୀ ମାନେ ଇସ୍ତଫା ଦେଇ ଦଳକୁ ସଂଗଠିତ କରିବା ପାଇଁ କାମ କରିବାକୁ ଆଗ୍ରହୀ ବୋଲି କହିଛନ୍ତି ସୁପ୍ରିମୋ । ରାଜ୍ୟ ରାଜନୀତିରେ ବିଜେପିର ଅଭ୍ୟୁଦୟ ପରେ ୨୦୧୯ ପ୍ରସ୍ତୁତି ପାଇଁ ନବୀନ ତାଙ୍କ କୋର୍ ଟିମରେ ଏଭଳି ପରିବର୍ତନ କରିଥିବା କୁହାଯାଉଛି । ବଛା ବଛା ନେତାଙ୍କୁ ଶାସନ ଦାୟିତ୍ୱରୁ ଅବ୍ୟାହତି ଦେଇ ଦଳୀୟ ସଂଗଠନକୁ ସଜାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି । କଟକ ଜିଲ୍ଲାର ଟାଣୁଆ ନେତା । ଦୀର୍ଘ ବର୍ଷ ଧରି ନବୀନଙ୍କ ମନ୍ତ୍ରୀମଣ୍ଡଳରେ ରହିଆସିଛନ୍ତି । ପଂଚାୟତ ନିର୍ବାଚନରେ ତାଙ୍କ ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ବଡ ଧରଣର ଝଟ୍କା ଲାଗିଥିଲା । କୁହାଯାଉଛି ମନ୍ତ୍ରୀ ପଦରୁ ବାହାରି ଦେବୀ ମିଶ୍ର ଏବେ ସଂଗଠନରେ ମନ ଲଗାଇବେ ।

ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ମଧ୍ୟ ଦେଇଛନ୍ତି ଇସ୍ତଫା । ନବୀନ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ପଦବୀରେ୍ ଥିବା ପୁଷ୍ପେନ୍ଦ୍ରଙ୍କୁ ଦଳୀୟ ସଂଗଠନ ସଜାଡିବାକୁ କୁହାଯାଇଛି । ପଂଚାୟତ ନିର୍ବାଚନରେ କଳାହାଣ୍ଡି ଜିଲ୍ଲାରେ ବିଜେଡି ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ତେଣୁ ଜିଲ୍ଲାରେ ବିଜେପିର ବଢୁଥିବା ପତିଆରାକୁ ଚେକମେଟ୍ ଦେବା ଲାଗି ତୃଣମୂଳ ସ୍ତରରେ କାମ କରିବେ ପୁଷ୍ପେନ୍ଦ୍ର ।

ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ । ସ୍ୱାସ୍ଥ୍ୟମନ୍ତ୍ରୀ ପଦରୁ ଅତନୁ ସବ୍ୟସାଚୀ ନାୟକ ବିଦା ହେବା ପରେ ଏହି ବିଭାଗର ଦାୟିତ୍ୱରେ ମଧ୍ୟ ଥିଲେ ପ୍ରଦୀପ । ହେଲେ ତାଙ୍କୁ ମଧ୍ୟ ମନ୍ତ୍ରୀପଦ ଛାଡିବାକୁ କୁହାଯିବା ପରେ ସେ ଇସ୍ତଫା ଦେଇଛନ୍ତି । ପ୍ରଦର୍ଶନ ଭିତିରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେଉଥିବାରୁ ତାଙ୍କ ମନ୍ତ୍ରୀପଦ ଯାଇଥିବା ଚର୍ଚ୍ଚା ହେଉଛି ।

କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀପଦ ଛାଡିଛନ୍ତି ସୁଦାମ ମାରାଣ୍ଡି । ଜେଏମଏମ ଛାଡି ବିଜେଡିରେ ସାମିଲ ହୋଇଥିବା ମୟୁରଭଞ୍ଜ ଜିଲ୍ଲାର ଏହି ପ୍ରଭାବଶାଳୀ ନେତାଙ୍କ ପ୍ରଭାବ ପଂଚାୟତ ନିର୍ବାଚନରେ ଫୁସକି ଯାଇଥିଲା । କୁହାଯାଉଛି ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଓ ସୁଦାମ ମାରାଣ୍ଡିଙ୍କ ଭିତରେ ବିବାଦ କାରଣରୁ ବିଜେଡିକୁ ବିଶେଷ କ୍ଷତି ହେଲ।। ଆଉ ସେଥିପାଇଁ ତାଙ୍କୁ ମନ୍ତ୍ରୀପଦରୁ ଇସ୍ତଫା ଦେଇ ଜିଲ୍ଲାରେ ବିଜେଡି ସଂଗଠନ ବଢାଇବାକୁ କୁହାଯାଇଛି ।

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା । ନବୀନଙ୍କ ମନ୍ତ୍ରୀ ମଣ୍ଡଳର ଯୁବ ତଥା ଟାଣୁଆ ନେତା ଭାବେ ପରିଚିତ ସଂଜୟ ଦାସବର୍ମା ମଧ୍ୟ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଅନେକ ଦିନ ଧରି ସେ ଦଳର ଯୁବ ସଂଗଠନର ସଭାପତି ଦାୟିତ୍ୱ ତୁଲାଇଛନ୍ତି । ତେଣୁ ସଂଜୟ ନିଜ ଆଡୁ ନିର୍ବାଚନ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଆଗ୍ରହ ପ୍ରକାଶ କରିଥିବା କୁହାଯାଉଛି ।

ଆଇନ ଓ ପଂଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ତାଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯିବ । ନବୀନଙ୍କ ମନ୍ତ୍ରିମଣ୍ଡଳର ଜଣେ ଯୁବ ମନ୍ତ୍ରୀ ଭାବରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇ ଆସିଥିବା ଅରୁଣ, ମନ୍ତ୍ରୀ ପଦ ବଦଳରେ ସାଂଗଠନିକ ଦାୟିତ୍ୱରେ ରହିବାକୁ ଆଗ୍ରହ ପ୍ରକାଶ କରିଥିବା କୁହାଯାଉଛି । କାରଣ ୨୦୧୯ ନିର୍ବାଚନ ବିଜେଡି ପାଇଁ ଅଗ୍ନିପରୀକ୍ଷା ହେବାକୁ ଯାଉଛି ।

ପ୍ରଣବ ପ୍ରକାଶ ଦାସ ଶକ୍ତି ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ଅରୁଣ ସାହୁଙ୍କ ଭଳି ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ସାଂଗଠନିକ ଦାୟିତ୍ୱ ମିଳିବ । ପ୍ରଣବ ସଂଗଠନ କ୍ଷେତ୍ରରେ ଜଣେ ଟାଣୁଆ ଯୁବନେତା ବୋଲି କୁହାଯାଏ । ତେଣୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳରେ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ।

ନବୀନଙ୍କ ଚତୁର୍ଥ ପାଳିରେ ପ୍ରଥମକରି ମନ୍ତ୍ରୀ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ବି ଛାଡିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ପଦ । ନବୀନଙ୍କ ନିଜ ନିର୍ବାଚନ କ୍ଷେତ୍ର ଥିବା ଗଞ୍ଜାମ ଜିଲ୍ଲାରେ ବିଜେଡି ଗଡ ରକ୍ଷା କରିବାକୁ ଏହି ଯୁବ ନେତାଙ୍କୁ ଦିଆଯାଇପାରେ ସାଂଗଠନିକ ଦାୟିତ୍ୱ ।

ଯାଗେନ୍ଦ୍ର ବେହେରା । ସାଧାରଣ ଅଭିଯୋଗ, ପେନ୍ସନ୍ ଏବଂ ଏମଏସ୍ଏମ୍ଈ ମନ୍ତ୍ରୀ । ମନ୍ତ୍ରୀ ମଣ୍ଡଳରେ ଥାଇ ସୁଦ୍ଧା ଆଖିଦୃଶିଆ ପ୍ରଦର୍ଶନ କରିବାରେ ସଫଳ ହୋଇନଥିବାରୁ ତାଙ୍କୁ ମଧ୍ୟ ମନ୍ତ୍ରୀପଦ ଛାଡିବାକୁ କୁହାଯାଇଥିଲା ।

ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ, ଲାଲ୍ ବିହାରୀ ହିମିରିକା ମଧ୍ୟ ମନ୍ତ୍ରୀ ପଦରୁ ବିଦା ହୋଇଛନ୍ତି । ତାଙ୍କୁ ମନ୍ତ୍ରୀ ପଦ ଛାଡିବାକୁ କୁହାଯିବା ପରେ ସେ ଇସ୍ତାଫା ଦେଇଛନ୍ତି । ପଂଚାୟତ ନିର୍ବାଚନରେ ବିଜେଡି ଆଶାନୁରୂପ ସଫଳତା ଦେବାରେ ହିମିରିକା ବିଫଳ ହୋଇଥିବାରୁ ଯାଇଛି ମନ୍ତ୍ରୀପଦ । ବ୍ୟୁରୋ ରିପୋର୍ଟ, କନକ ନ୍ୟୁଜ ।

ଦେଖନ୍ତୁ ଏହି ଭିଡିଓ –