ମନ୍ତ୍ରୀ ମଣ୍ଡଳ ଅଦଳବଦଳ ସମ୍ଭାବନା ଜୋର : ପ୍ରସ୍ତୁତ ରହିବାକୁ ରାଜଭବନକୁ ସରକାରଙ୍କ ଅନୁରୋଧ

88

କନକ ବ୍ୟୁରୋ : ଆସନ୍ତାକାଲି କିମ୍ବା ପରଦିନ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଏକ ବଡ ଧରଣର ପରିବର୍ତନ ହେବାକୁ ଯାଉଛି । ଏଥିପାଇଁ ରାଜଭବନକୁ ପ୍ରସ୍ତୁତ ରଖିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ନିଜ ନିଜ ଅଂଚଳରେ ଥିବା ମନ୍ତ୍ରୀମାନଙ୍କୁ ମଧ୍ୟ ଏଥିପାଇଁ ଭୁବନେଶ୍ୱର ଡକରା ହୋଇଛି । ମନ୍ତ୍ରୀମାନେ ନିଜ ନିଜ ଅଚଂଳରୁ ଭୁବନେଶ୍ୱର ଆସୁଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ସୂଚନା ଦେଇଛନ୍ତି । ଖୁବ୍ଶୀଘ ମନ୍ତ୍ରୀ ମଣ୍ଡଳ ପରିବର୍ତନ ହେବା ନେଇ ସ୍ପଷ୍ଟ ଇଂଗୀତ କରିଥିଲେ । ତେବେ ନବୀନ ଦିଲ୍ଲୀ ଯିବା ପୁର୍ବରୁ ଏହିି ପ୍ରକ୍ରିୟା ସାରି ଦେବା ନେଇ ଚର୍ଚ୍ଚା ହେଉଥିବାରୁ ଆସନ୍ତାକାଲି କିମ୍ବା ପରଦିନ ମନ୍ତ୍ରୀମଣ୍ଡଳ ହେବା ସଂଭାବନା ରହିଛି । ମିଳିଥିବା ସୂଚନା ଅନୁସାରେ ୭ଜଣ ମନ୍ତ୍ରୀ ଇସ୍ତାଫା ଦେଇପାରନ୍ତି ।

୧- ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ମଣ୍ଡଳରୁ ଇସ୍ତାଫା ଦେଇପାରନ୍ତି । କନକ ନ୍ୟୁଜ୍ ସୂତ୍ରକୁ ମିଳିଥିବା ସୂଚନା ଅନୁସାରେ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ମନ୍ତ୍ରୀ ମଣ୍ଡଳରୁ ବିଦା ହୋଇପାରନ୍ତି । କଟକ ଜିଲ୍ଲାର ଟାଣୁଆ ନେତା । ଦୀର୍ଘ ବର୍ଷ ଧରି ନବୀନଙ୍କ ମନ୍ତ୍ରୀମଣ୍ଡଳରେ ରହି ଆସିଛନ୍ତି । ପଂଚାୟତ ନିର୍ବାଚନରେ ତାଙ୍କ ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ବଡ ଧରଣର ଝଟକା ଲାଗିଛି । କୁହାଯାଉଛି ମନ୍ତ୍ରୀ ପଦରୁ ବାହାରି ଦେବୀ ମିଶ୍ର ଏବେ ସଂଗଠନରେ ମନ ଲଗାଇବେ ।

୨- ଆଇନ ତଥା ପଂଚାୟତି ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇପାରନ୍ତି । ନବୀନଙ୍କ ମନ୍ତ୍ରୀ ମଣ୍ଡଳର ଜଣେ ଯୁବ ମନ୍ତ୍ରୀ ଭାବରେ ରହି ଆସିଥିବା ଅରୁଣ ମନ୍ତ୍ରୀ ପଦ ବଦଳରେ ସାଂଗଠନିକ ଦାୟିତ୍ୱରେ ରହିବାକୁ ଆଗ୍ରହ ପ୍ରକାଶ କରିଥିବା ସୂଚନା ମିଳିଛି । କାରଣ ୨୦୧୯ ନିର୍ବାଚନ ବିଜେଡି ପାଇଁ ଅଗ୍ନିପରୀକ୍ଷା ହେବାକୁ ଯାଉଛି ।

୩- ପ୍ରଣବ ପ୍ରକାଶ ଦାସ । ଶକ୍ତି ମନ୍ତ୍ରୀ । ପ୍ରଣବ ପ୍ରକାଶ ଦାସ ମଧ୍ୟ ମନ୍ତ୍ରୀମଣ୍ଡଳିରୁ ଇସ୍ତଫା ଦେଉଥିବା ନେଇ କନକ ନ୍ୟୁଜ୍ ସୁତ୍ରର ହସ୍ତଗତ ହୋଇଛି । ଅରୁଣ ସାହୁଙ୍କ ଭଳି ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ମନ୍ତ୍ରୀ ମଣ୍ଡଳ ବଦଳରେ ସାଂଗଠନିକ ଦାୟିତ୍ୱ ମିଳିପାରେ । ପ୍ରଣବ ସଂଗଠନ କ୍ଷେତ୍ରରେ ଜଣେ ଟାଣୁଆ ନେତା ବୋଲି କୁହାଯାଏ । ତେଣୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳରେ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ।

୪-ସଂଜୟ ଦାସବର୍ମା । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ । ନବୀନଙ୍କ ମନ୍ତ୍ରୀ ମଣ୍ଡଳର ଯୁବ ତଥା ଟାଣୁଆ ନେତା ଭାବେ ପରିଚିତ ସଂଜୟ ଦାସବର୍ମାଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳ ପଦ ହରାଇବାକୁ ପଡ଼ିପାରେ । ସଂଜୟ ମଧ୍ୟ ନିଜ ଆଡୁ ନିର୍ବାଚନ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଆଗ୍ରହ ପ୍ରକାଶ କରିଥିବା କୁହାଯାଉଛି ।

୫-ଯୋଗେନ୍ଦ୍ର ବେହେରା । ସାଧାରଣ ଅଭିଯୋଗ, ପେନସନ ଏବଂ ଏମଏସ୍ଏମଇ ମନ୍ତ୍ରୀ । ମନ୍ତ୍ରୀ ମଣ୍ଡଳରେ ଥାଇ ସୁଦ୍ଧା ଆଖିଦୃଶିଆ ପ୍ରଦର୍ଶନ କରିବାରେ ସଫଳ ହୋଇନଥିବାର ତାଙ୍କୁ ମନ୍ତ୍ରୀ ମଣ୍ଡଳ ହରାଇବାର ସଂଭାବନା ରହିଛି । ମିଳିଥିବା ସୂଚନା ଅନୁସାରେ ଯୋଗେନ୍ଦ୍ର ବେହେରାଙ୍କୁ ମଧ୍ୟ ଇସ୍ତଫା ଦେବା ପାଇଁ କୁହାଯାଉଛି ।

୬- ସ୍ନେହାଙ୍ଗୀନୀ ଛୁରିଆ । ହସ୍ତତନ୍ତ ଏବଂ ବୟନ ଶିଳ୍ପ ମନ୍ତ୍ରୀ । ବରଗଡ଼ ଜିଲ୍ଲାର ଏହି ବିଜେଡି ନେତ୍ରୀଙ୍କୁ ମଧ୍ୟ ମନ୍ତ୍ରୀ ପଦ ହରାଇବାକୁ ପଡ଼ିପାରେ ।  ସ୍ନେହାଙ୍ଗୀନୀ ଛୁରିଆଙ୍କୁ ମଧ୍ୟ ଇସ୍ତଫା ଦେବା ପାଇଁ କୁହାଯାଇଛି ।

୭- ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ, ଲାଲ୍ ବିହାରୀ ହିମିରିକା ମଧ୍ୟ ମନ୍ତ୍ରୀ ପଦରୁ ବିଦା ହୋଇପାରନ୍ତି । ତାଙ୍କ ମନ୍ତ୍ରୀ ପଦରୁ ଇସ୍ତାଫା ଦେବା ପାଇଁ କୁହାଯାଇଥିବା ସୂଚନା ମିଳିଛି । ପଂଚାୟତ ନିର୍ବାଚନରେ ଆଶାତିତ ସଫଳତା ଦେବାରେ ହିମିରିକା ବିଫଳ ହୋଇଥିବା କୁହାଯାଉଛି ।