ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଥମ ଥର ପାଇଁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ମହିଳା ! ନିର୍ମଳା ସୀତାରମଣଙ୍କୁ ଦାୟିତ୍ୱ

44

କନକ ବ୍ୟୁରୋ : ରବିବାର ୪ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ଦେଇଥିବାବେଳେ ୯ଜଣ ନୂଆ ମୁହଁଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ମୋଦି । ଏଥିସହ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂଖ୍ୟା ୭୬ରେ ପହଁଚିଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ଶେଷ ମନ୍ତ୍ରିମଣ୍ଡଳ ଅଦଳବଦଳ ବୋଲି କୁହାଯାଉଥିବାବେଳେ ଯୁବ ବ୍ରିଗେଡ ଉପରେ ଭରସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ନିର୍ମଳା ସୀତାରମଣ । ଇନ୍ଦିରା ଗାନ୍ଧୀଙ୍କ ପରେ ଦେଶର ଦ୍ୱିତୀୟ ମହିଳା ପ୍ରତିରକ୍ଷା ମନ୍ତ୍ରୀ । ରାଷ୍ଟ୍ରମନ୍ତ୍ରୀ ଭାବେ ବାଣିଜ୍ୟ ମନ୍ତ୍ରାଳୟର ସ୍ୱାଧୀନ ଦାୟିତ୍ୱରେ ଥିବା ଏହି ମହିଳା ମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟାକୁ ଉନ୍ନିତ କରିବା ସହ ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦେଇଛନ୍ତି ମୋଦି । ଜେଟଲୀଙ୍କ ବୋଝ କମ୍ କରିବାକୁ ଜଣେ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବା ମୋଦିଙ୍କ ପାଇଁ ଥିବା ସବୁଠାରୁ ବଡ ଚ୍ୟାଲେଞ୍ଜ । ଗୋଟିଏ ପଟେ ପାକିସ୍ତାନ ପଟୁ ସୀମାରେ ଅନୁପ୍ରବେଶ, ଆଉ ଗୋଟିଏ ପଟେ ଭୁଟାନ ସୀମାନ୍ତ ଡୋକଲାମରେ ଚୀନ୍ ସହ ବିବାଦ । ଏହାରି ଭିତରେ ସୀତାରମଣଙ୍କୁ ସାମ୍ନାକୁ ଆଣି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପୀୟୁଷ ଗୋୟଲ । ସୁରେଶ ପ୍ରଭୁଙ୍କ ସ୍ଥାନରେ କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ମିଳିଛି ରେଳ ମନ୍ତ୍ରାଳୟ । ରାଷ୍ଟ୍ରମନ୍ତ୍ରୀ ଭାବେ କୋଇଲା ବିଭାଗର ସ୍ୱାଧୀନ ପାହ୍ୟାରେ ଥାଇ ସେ ଯେଉଁ ସଂସ୍କାରମୂଳକ କାର୍ଯ୍ୟକ୍ରମ ସବୁ ହାତକୁ ନେଇଥିଲେ ସେଥିପାଇଁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ସହ ଗୁରୁତ୍ୱପୂର୍ଣ୍ଣ ରେଳବାଇର ଦାୟିତ୍ୱ ଦେଇଛନ୍ତି ମୋଦି । ନିକଟରେ ଅନେକଗୁଡିଏ ରେଳ ଦୁର୍ଘଟଣା ପରେ ନୈତିକତା ଦୃଷ୍ଟିରୁ ନିଜ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ ସୁରେଶ ପ୍ରଭୁ ।

ମୁଖତାର ଆବାସ ନକଭୀ । ସଂସଦୀୟ ବ୍ୟାପାର ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ୱାଧୀନ ଦାୟିତ୍ୱରେ ଥିବା ନକଭିଙ୍କୁ କ୍ୟାବିନେଟ ପାହ୍ୟା ସହ ମିଳିଛି ସଂଖ୍ୟାଲଘୁ ମନ୍ତ୍ରାଳୟର ଦାୟିତ୍ୱ ।