କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମୁହଁରେ ଲେଜର ଲାଇଟ୍, ଗୁମର ଖୋଲିଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ।

787

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମୁହଁ ଉପରେ ଯେଉଁ ଲେଜର ଲାଇଟ୍ ପଡ଼ିବା ଘଟଣାକୁ ଚର୍ଚ୍ଚା ହୋଇଥିଲା, ତାହା ଉପରୁ ପରଦା ଉଠିଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳାୟ ତରଫରୁ ମିଳିଥିବା ସ୍ପଷ୍ଟୀ କରଣ ମୁତାବକ, ବିଧିବଦ୍ଧ ଯାଞ୍ଚ କରାଯିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମୁହଁ ଉପରେ ଯେଉଁ ଲେଜର ଲାଇଟ୍ ପଡ଼ିଥିଲା, ତାହା କୌଣସି ଲେଜର୍ ଗନ୍ ବା ସ୍ନାଇପର୍ ଗନ୍ର ଆଲୋକ ନଥିଲା ବରଂ କଂଗ୍ରେସ ପକ୍ଷରୁ ନିଯୁକ୍ତ ଫଟୋଗ୍ରାଫରଙ୍କ ମୋବାଇଲ ଫୋନର ଆଲୋକ ଥିଲା ।

ଏପରିକି ରାହୁଲ ଗାନ୍ଧୀଙ୍କ ଫଟୋ ଉଠାଉ ଥିବା ବେଳେ ଏହି ଲେଜର ଲାଇଟର ସବୁଜ ଆଲୋକ ରାହୁଲ ଗାନ୍ଧୀଙ୍କ ମୁହଁ ଓ କପାଳ ଉପରେ ପଡ଼ିଥିଲା। ଏଥିସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ତ୍ରୁଟି ବିଚ୍ୟୁତି ନଥିବା ସହ ଅତ୍ୟନ୍ତ ସୁଦୃଢ଼ ରହିଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ପ୍ରେସ୍ ଇସ୍ତାହାରରେ କୁହାଯାଇଛି।

ସୂଚନା ମୁତାବକ ଉତ୍ତରପ୍ରଦେଶର ଆମେଥି ଲୋକସଭା ମଣ୍ଡଳୀ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରାର୍ଥୀପତ୍ର ଦାଖଲ ପରେ ସେଠାରେ ଉପସ୍ଥିତ ସମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ମୁହଁର ଡାହଣ ପାର୍ଶ୍ୱରେ ଏକ ସବୁଜ ରଙ୍ଗର ଲେଜର ଲାଇଟ୍ ବାରମ୍ବାର ପଡ଼ୁଥିବା ଦେଖିବାକୁ ମିଳିଥିଲା । ଏହାପରେ କଂଗ୍ରେସ ଦଳ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇ ଏହା ଲେଜର୍ ଗନ୍ ବା ସ୍ନାଇପର୍ ଗନର ଆଲୋକ ଥିବା ଦର୍ଶାଇ ରାହୁଲଙ୍କ ନିରାପତ୍ତା ବ୍ୟବସ୍ଥାରେ ତ୍ରୁଟି ରହିଥିବା ଅଭିଯୋଗ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟକୁ ପତ୍ର ଲେଖାଯିବା ସହ ଏହାର ତଦନ୍ତ କରିବାକୁ କୁହାଯାଇଥିଲା।