ଦମ୍ ଦେଖାଇଲେ ଦାମ : ବିଜେଡିରୁ ଟିକେଟ୍ ନ ମିଳିଲେ ବି ନିର୍ବାଚନ ଲଢିବେ

19

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଦାମଙ୍କ ବୟାନକୁ ନେଇ ଚର୍ଚା । ଦମ୍ ଦେଖାଇଛନ୍ତି ଦାମ । କହିଛନ୍ତି, ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିଲେ ବି ସରିବନି ତାଙ୍କ ରାଜନୈତିକ ଜୀବନ । ବିଜେଡିରୁ ଟିକେଟ୍ ନ ମିଳିଲେ ବି ନିର୍ବାଚନ ଲଢିବେ ବୋଲି ରୋକଠୋକ୍ କହି ଦେଇଛନ୍ତି ଦାମ ବାବୁ । ଦାମ ବାବୁଙ୍କ ଏପରି ମନ୍ତବ୍ୟ ପରେ ରୋଚକ ହୋଇଛି ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ।

ଦାମ ବାବୁ ମନ୍ତ୍ରୀ ପଦ ହରାଇବାର ଯେଉଁଠି ଆକଳନ କରାଯାଉଛି, ସେଠାରେ ଦଳୀୟ ହାଇକମାଣ୍ଡଙ୍କୁ ଦାମ ବାବୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ । ନାଲିବତୀ ଗାଡି ତାଲିକାରୁ ବାଦ୍ ପଡିବାର ପ୍ରଭାବ ନିର୍ବାଚନ ଲଢିବା ଉପରେ ପଡିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ପରେ ଯଦି ବିଜୁ ଜନତା ଦଳ ଟିକେଟ୍ ନ ଦିଏ, ଯେ କୌଣସି ପରିସ୍ଥିତିିରେ ବି ନିର୍ବାଚନ ଲଢିବେ କହି ସୃଷ୍ଟି କରିଛନ୍ତି ବିଜେଡି ବନାମ ଦାମ ବାବୁ ସ୍ଥିତି ।

ସେପଟେ ରଜ ପରେ ମନ୍ତ୍ରିମଣ୍ଡଳର ନବକଳେବର ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ପାୱାର କରିଡରରେ ଚାଲିଛି ଲବି । ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ବି ତାଙ୍କ ପ୍ରକୋଷ୍ଠ ପାଖରେ ମନ୍ତ୍ରୀ ଓ ବିଧାୟକଙ୍କ ଭିଡ । ଯେଉଁଠି ବିବାଦରେ ଥିବା କିଛି ମନ୍ତ୍ରୀ ସଚିବାଳୟ ତୃତୀୟ ମହଲାରେ ହାଜିରା ପକାଉଛନ୍ତି, ସେଠାରେ କିଛି ଆଶାୟୀ ବି ଧାଡି ବାନ୍ଧିଛନ୍ତି ।