ଗିରଫ ପରେ ଭାଇରାଲ ହେଲା ମନ୍ତ୍ରୀ ପୁଅଙ୍କ ଗୁଣ୍ଡାଗର୍ଦ୍ଦିର ଭିଡିଓ ! ହାତରେ ଖଣ୍ଡା ଧରି ଗୋଡାଇ ଗୋଡାଇ ହାଣିଥିଲେ ଗଣଶିକ୍ଷାମନ୍ତ୍ରୀଙ୍କ ପୁଅ ଦେବାଶିଷ ।

70

କନକ ବ୍ୟୁରୋ : ମନ୍ତ୍ରୀପୁଅଙ୍କ ଗୁଣ୍ଡାଗର୍ଦ୍ଦି । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ । ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ବିଚରାସ୍ତାରେ ଖଣ୍ଡାରେ ଯୁବକଙ୍କୁ ଆକ୍ରମଣ କରିଛନ୍ତି । ଏହି ଘଟଣା ପରେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଆକ୍ରମଣର ଶିକାର ହୋଇଥିବା ୨ଜଣ ଯୁବକ ଏବେ ହସ୍ପିଟାଲରେ । ସେମାନେ ଅଭିଯୋଗ କରିଛନ୍ତି, ଗୋଡ ଓ ହାତକୁ ଖଂଡାରେ ହାଣି ଦେଇଥିଲେ ମନ୍ତ୍ରୀଙ୍କ ପୁଅ । ସେପ୍ଟେମ୍ବର ୧୯ ତାରିଖରେ ଦେବାଶିଷ ପାତ୍ରଙ୍କୁ ୩ଟି ମାମଲାରେ ଗିରଫ କରିଛି ପୋଲିସ ।

ବିଚ ରାସ୍ତାରେ ଗୁଣ୍ଡାରାଜ । ଖଣ୍ଡା ଧରି ଗୋଡାଉଛନ୍ତି ମନ୍ତ୍ରୀଙ୍କ ପୁଅ । ସ୍ଥାନ-କେନ୍ଦୁଝର ଆନନ୍ଦପୁରର ସଇଲମ ଛକ । ଦିନ-ସେପ୍ଟେମ୍ବର ୬ ତାରିଖ । ଏକ ଗାଡିରେ ସତ୍ୟବ୍ରତ ଜେନା ଓ ସୁବ୍ରତ ଜେନା ଯାଉଥିବା ସମୟରେ ଗାଡିକୁ ଅଟକାଇଥିଲା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ସ୍କର୍ପିଓ । ସାଥିରେ ଥିଲେ ୧୦ରୁ ୧୨ଟି ବାଇକରେ ପ୍ରାୟ ୩୦ଜଣ ସମର୍ଥକ । ଅଚାନକ ହୋଇଥିଲା ଆକ୍ରମଣ । ପୁଲିସ ଉପସ୍ଥିତିରେ ଖଣ୍ଡା ଓ ଲାଠିରେ ଗୋଡେଇ ଗୋଡେଇ ଆଟାକ ।

ରାଜରାସ୍ତାରେ ଚାଲିଥିଲା ମନ୍ତ୍ରୀ ପୁଅ ଓ ତାଙ୍କ ସମର୍ଥକଙ୍କ ଖୁଲମଖୁଲା ଗୁଣ୍ଡାରାଜ । ଗୁଂଡାଗର୍ଦ୍ଦିର ଏକ ଭିଡିଓ ଏବେ ଭାଇରାଲ ହୋଇଛି । ଆଉ ଏହି ଭିଡିଓରେ ରହିଛନ୍ତି ଦେବାଶିଷଙ୍କ ଆକ୍ରମଣର ଶିକାର ହୋଇଥିବା ସତ୍ୟବ୍ରତ ଜେନା । ହସ୍ପିଟାଲରେ ଚାଲିଛି ଚିକିତ୍ସା । ଖଣ୍ଡା ଚୋଟରେ ତାଙ୍କ ଗୋଡ ଓ ହାତରେ ଲାଗିଛି ଗଭୀର କ୍ଷତ । ସିଧା ସିଧା ସେ ଅଭିଯୋଗ ଆଣିଛନ୍ତି ଦେବାଶିଷଙ୍କ ନାଁରେ । ଆଉ ବଖାଣିଛନ୍ତି କେମିତି ହୋଇଥିଲା ତାଙ୍କ ଉପରେ ଆକ୍ରମଣ ।

ଏବେ ଭୟ ପରିବାର ସଦସ୍ୟଙ୍କ ସୁରକ୍ଷାକୁ ନେଇ । ସତ୍ୟବ୍ରତ କହିଛନ୍ତି ତାଙ୍କ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି । ତାଙ୍କ ପରିବାରକୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାପାଇଁ ଦାବି ହୋଇଛି । ସେପଟେ ଗତ ୧୯ ତାରିଖରେ ରାମଚନ୍ଦ୍ରପୁର ଓ ଘଷିପୁରା ଥାନାରେ ଥିବା ୩ଟି ଭିନ୍ନ ଭିନ୍ନ ମାମଲାରେ ପୋଲିସ ଦେବାଶିଷଙ୍କୁ ଗିରଫ କରିଛି । ଦେବାଶିଷଙ୍କୁ ଦଫା ୧୪୭, ୧୪୮, ୪୨୭, ୩୨୩, ୨୯୪, ୩୨୪, ୩୨୫, ୩୦୭, ୧୪୯, ୫୦୬, ଆର୍ମଆକ୍ଟ ୨୫, ୨୬ ଆଇପିସି ଧାରାରେ କୋର୍ଟ ଚାଲାଣ କରିଛି । ଜାମିନ ନାମଂଜୁର ହେବାପରେ ଦେବାଶିଷଙ୍କୁ କେନ୍ଦୁଝର ଜେଲ ପଠାଇ ଦିଆଯାଇଛି ।