ମୁଖ୍ୟମନ୍ତ୍ରୀଙ୍କୁ ଆଜି ୩ଟି ବିଭାଗର ରିପୋର୍ଟ କାର୍ଡ ଦେବେ ମନ୍ତ୍ରୀ : ଶ୍ରମ, ଜଳ ସଂପଦ ଏବଂ ସହରାଚଂଳ ବିକାଶ ବିଭାଗର ହେବ ସମୀକ୍ଷା, ନବୀନ କରିବେ ଆକଳନ

23

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ବାର୍ଷିକ ସମୀକ୍ଷା କାର୍ଯ୍ୟକ୍ରମରେ ଆଜି ୩ଟି ବିଭାଗର ସମୀକ୍ଷା କରିବେ । ଶ୍ରମ, ଜଳ ସଂପଦ ଏବଂ ଗୃହ ଓ ସହରାଚଂଳ ବିଭାଗର ସମୀକ୍ଷା କରିବେ ନବୀନ ପଟ୍ଟନାୟକ । ଏହି ତିନୋଟି ବିଭାଗର ମନ୍ତ୍ରୀ ଓ ସଚିବ ମୁଖ୍ୟମନ୍ତ୍ରୀଙ୍କୁ ବିଭାଗର କାର୍ଯ୍ୟକଳାପ ନେଇ ବାର୍ଷିକ ରିପୋର୍ଟ ଦେବେ । ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ନେଇ ଏହି ବିଭାଗଗୁଡ଼ିକ କେତେ ସଫଳ ହୋଇଛନ୍ତି ସେନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ।

ଏକ ଚିଠିରେ, ସବୁ ବିଭାଗର ମନ୍ତ୍ରୀଙ୍କୁ ହିସାବ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ୮ ତାରିଖରୁ ସବୁ ମନ୍ତ୍ରୀଙ୍କ ଦକ୍ଷତା ପରଖିବା ସହ ୱାନ ଟୁ ୱାନ କ୍ଲାସ ନେଉଛନ୍ତି ନବୀନ । ବିଭାଗ କେତେ ସଫଳତା ପାଇଛି, ଆଉ କେତେ କାମ ବାକି ରହିଛି ସେ ନେଇ ନବୀନଙ୍କୁ ଅବଗତ କରାଉଛନ୍ତି ମନ୍ତ୍ରୀ ।

ଆସନ୍ତା ମେ’ ୨୧ରେ ପୂରଣ ହେବାକୁ ଯାଉଛି ନବୀନ ସରକାରଙ୍କ ଚତୁର୍ଥ ପାଳିର ୪ ବର୍ଷ । ୨୦୧୯ରେ ନିର୍ବାଚନ ଥିବାରୁ ସରକାରଙ୍କର ଏହା ହେଉଛି ଶେଷ ସମୀକ୍ଷା । ଆଉ ଏହି ସଫଳତା ଆଧାରରେ ସାଧାରଣ ନିର୍ବାଚନକୁ ସାମନା କରିବ ବିଜେଡି । ତେଣୁ କୌଣସି ପ୍ରକାର ତ୍ରୁଟି ବିଚ୍ୟୁତିକୁ ବରଦାସ୍ତ କରିବେ ନାହିଁ ମୁଖ୍ୟମନ୍ତ୍ରୀ । ଅସଫଳ ମନ୍ତ୍ରୀଙ୍କୁ ତାଗିଦ କରିବା ସହ ମନ୍ତ୍ରୀ ଓ ସଚିବଙ୍କୁ ଦେଇପାରନ୍ତି ନୂଆ ଟର୍ଗେଟ । ୨୦୧୪ରେ କ୍ଷମତାକୁ ଆସିବା ପରେ ସରକାର ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ କରାଯାଇଛି । କିଭଳି ଲୋକଙ୍କ ପାଖରେ ପହଂଚିଛି ସରକାରୀ ଯୋଜନା ତାହାର ହିସାବ ନିକାଶ କରିବେ ମୁଖ୍ୟମନ୍ତ୍ରୀ ।