ମନ୍ତ୍ରୀ ହେବ ତ ଏମିତି! ନିରାଶ୍ରୟ ବୃଦ୍ଧାଙ୍କ ଶବ ୫ ଘଣ୍ଟା ପଡି ରହିବା ପରେ ମଧ୍ୟ କେହି ଦେଲେନି କାନ୍ଧ, କୋକେଇ ବୋହି ନେବାସହ ଶେଷକୃତ୍ୟ କଲେ ସୁଶାନ୍ତ ସିଂହ

196

କନକ ବ୍ୟୁରୋ: ମନ୍ତ୍ରୀ ହେବ ତ ଏମିତି । ଯେତେବେଳେ ନିଜର ଲୋକ ପଛଘୁଞ୍ଚା ଦେଇଥିଲେ ସେତେବେଳେ ଜଣେ ନିରାଶ୍ରୟ ବୃଦ୍ଧାଙ୍କର ଶେଷ ଯାତ୍ରାର ସାଥୀ ସାଜଥିଲେ ମନ୍ତ୍ରୀ । ଆଉ ଏଭଳି ଘଟଣା ଏବେ ବରଗଡରେ ଦେଖିବାକୁ ମିଳିଛି । ଜଣେ ନିରାଶ୍ରୟ ବୃଦ୍ଧାଙ୍କ ଶବକୁ କାନେ୍ଧଇ ନେବା ସହ ତାଙ୍କର ଅନ୍ତିମ ସଂସ୍କାର କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ଆଉ ଏଭଳି କାମ କରି ମନ୍ତ୍ରୀ ସୁଶାନ୍ତ ସିଂହ ମାନବିକତାର ପରିଚୟ ଦେବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ସୂଚନା ଅନୁଯାୟୀ, ମଙ୍ଗଳବାର ସୋହେଲାର ସାହୁ ଟିକିରାରେ ଜଣେ ନିରାଶ୍ରୟ ବୃଦ୍ଧା ମାଟି ଭୁଏଙ୍କର ମୃତ୍ୟୁ ହୋଇଥିଲା । ଦୀର୍ଘ ସମୟ ଧରି ବୃଦ୍ଧାଙ୍କ ମୃତଦେହ ପଡି ରହିଥିଲେ ମଧ୍ୟ ଆଖପାଖର ପଡୋଶୀ କିମ୍ବା ତାଙ୍କର ଆତ୍ମୀୟସ୍ୱଜନ କେହି ମଧ୍ୟ ଚାରିକାନ୍ଧ ଦେବାକୁ ଆସିନଥିଲେ । ଚାରିକାନ୍ଧ ଦେବା ତ ଦୂରର କଥା ଏପରିକି ବୃଦ୍ଧାଙ୍କୁ ଛୁଇଁ ନଥିଲେ ପାଖପଡିଶା । ଆଉ ଏଭଳି ସମୟରେ ସବୁକିଛିକୁ ପଛ କରି ରାଜଧର୍ମ ପାଳନ କରିବାକୁ ଆଗେଇ ଆସିଥିଲେ ମନ୍ତ୍ରୀ ସୁଶାନ୍ତ ସିଂହ । ବୃଦ୍ଧାଙ୍କ ମୃତଦେହ ପଡିରହିଥିବା ଖବର ଶୁଣିବା ପରେ ଅନ୍ଧାର କିଟିକିଟି ରାତିରେ ସାହୁଟିକିରା ଗ୍ରାମରେ ପହଞ୍ଚିଥିଲେ ସୁଶାନ୍ତ ।

ନିରାଶ୍ରୟ ବୃଦ୍ଧାଙ୍କର କେହି ପୁଅ ନଥିବା ବେଳେ ସୁଶାନ୍ତ କିଛି ସମୟ ପାଇଁ ପୁଅର କର୍ତ୍ତବ୍ୟ କରିବାକୁ ଆଗେଇ ଆସିଥିଲେ । ନିଜ ସହଯୋଗୀ ଓ ସ୍ୱେଚ୍ଛାସେବୀଙ୍କ ସହ ମିଶି ବୃଦ୍ଧାଙ୍କ ଶବକୁ କାନ୍ଧରେ ଶ୍ମଶାନ ଘାଟକୁ ବୋହି ନେଇଥିଲେ ସୁଶାନ୍ତ । ଆଉ ମନ୍ତ୍ରୀଙ୍କୁ ବୃଦ୍ଧାଙ୍କ କୋକେଇ ନେଉଥିବାର ଦେଖି ଗ୍ରାମର ଅନ୍ୟ ଲୋକ ମାନେ ମଧ୍ୟ ସାମିଲ ହୋଇଥିଲେ । ଶ୍ମଶାନରେ ପହଞ୍ଚିବା ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ବୃଦ୍ଧାଙ୍କର ଅନ୍ତିମ ସଂସ୍କାର କରିଥିଲେ ସୁଶାନ୍ତ । ଆଉ ଏଭଳି କାର୍ଯ୍ୟ କରି ସୁଶାନ୍ତ ମାନବିକତାର ପରିଚୟ ଦେଇଥିବା ବେଳେ ସ୍ଥାନୀୟ ଲୋକମାନେ ମଧ୍ୟ ବେଶ ପ୍ରଂଶସା କରିଛନ୍ତି ।