ମୁଖ୍ୟମନ୍ତ୍ରୀଙ୍କ ପାଠଶାଳା ‘ପାର୍ଟ-୨’ ! ଦ୍ୱିତୀୟ ମାସିକିଆ ରିପୋର୍ଟ ଦେଲେ ସବୁ ବିଭାଗର ମନ୍ତ୍ରୀ ।

547

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ମାସିକିଆ ରିପୋର୍ଟ କାର୍ଡ ଦେଲେ ସବୁ ମନ୍ତ୍ରୀ । ଲୋକସେବା ଭବନରେ ଦ୍ୱିତୀୟ ମାସିକିଆ ରିପୋର୍ଟ କାର୍ଡ ଦେଇଛନ୍ତି ପ୍ରତି ବିଭାଗର ମନ୍ତ୍ରୀ । ଆଉ ବିଭାଗୱାରୀ ମନ୍ତ୍ରୀମାନଙ୍କୁ ଦିଆଯାଇଥିବା ମାସିକିଆ ଟାସ୍କ କେତେ ପୂରଣ ହୋଇଛି ଏବଂ କେଉଁ କ୍ଷେତ୍ରରେ ଅଧା ଲଟକି ରହିଛି ତାହାର ହିସାବ କିତାବ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରତି ମାସର ୭ ତାରିଖରେ ମନ୍ତ୍ରୀମାନେ ନିଜ ନିଜ ବିଭାଗର କାର୍ଯ୍ୟକାରିତା ଏବଂ ଅଗ୍ରଗତି ନେଇ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ସରକାର ଗଢ଼ିବାର ଆରମ୍ଭରୁ ହିଁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ୫-ଟି ଫର୍ମ୍ୟୁଲାକୁ ଆପଣାଇ ନିର୍ଦ୍ଦିଷ୍ଟ କାର୍ଯ୍ୟକୁ ଯେଉଁ ବିଭାଗୀୟ ମନ୍ତ୍ରୀଙ୍କ ଅଧିନରେ ଥିବ ତାହାକୁ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟତଃ ବିଜେଡି ସରକାରର ଆରମ୍ଭରୁ ହିଁ ସକ୍ରିୟ ଭାବନା ଦେଖାଇ ପଞ୍ଚମ ପାଳିରେ ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ କରିବାକୁ କମାଣ ଧରିଛନ୍ତି ନବୀନ ।

ଏହି ମର୍ମରେ ରାଜ୍ୟ ପରିବହନ ମନ୍ତ୍ରୀ, ପଦ୍ମନାଭ ବେହେରା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏବଂ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଅନ୍ୟ ସମସ୍ତ ବିଭାଗୀୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଥିବା ଜଣାପଡ଼ିଛି । ସେହିଭଳି ମନ୍ତ୍ରୀଙ୍କ ମାସିକିଆ ରିପୋର୍ଟକୁ ତର୍ଜମା କରିବେ ନବୀନ । ଆଉ କିଏ କେତେ ପରିମାଣରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଳନ କରିଛନ୍ତି ସେନେଇ ମାର୍କ ଦେବେ ନବୀନ ।